କୋରାଇ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- କୋରାଇ ବ୍ଲକ କାଚରାସାହି ପଂଚାୟତର ପିଇଓ ପ୍ରଫୁଲ୍ଲ କୁମାର ନାଥ ଜଣେ ଅନ୍ତଦ୍ୱୟ ଗୃହ ହିତାଧିକାରୀଙ୍କଠାରୁ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ସୂଚନା ଅନୁସାରେ, ଅନ୍ତୋଦୟ ଗୃହ ଯୋଜନା (ଏଜେୱାଇ)ରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରିଥିବା ସହଗାଁର ଜଣେ ଦରିଦ୍ର ବିଧବା ହିତାଧିକାରୀଙ୍କ ଅନ୍ତିମ କିସ୍ତି ଏବଂ ବୋନସ୍ ରାଶି ଦେବା ପାଇଁ ପ୍ରଥମେ ପିଇଓ ପ୍ରଫୁଲ୍ଲ କୁମାର ନାଥ ୧୦ହଜାର ଟଙ୍କା ଲାଂଚ ଦାବି କରିଥିଲେ ।

ହିତାଧିକାରୀ ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବା ପରେ ସେ ଲାଂଚ ପରିମାଣକୁ ୫ହଜାର ଟଙ୍କାକୁ କମାଇ ଦେଇଥିଲେ । ଲାଂଚ ନ ଦେଲେ ଅନ୍ତିମ କିସ୍ତି ଓ ବୋନସ୍ ରାଶି ଦେବେ ନାହିଁ ବୋଲି ରୋକଠୋକ କହିବା ପରେ ହିତାଧିକାରୀ ଅସହାୟ ହୋଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ମଧ୍ୟାହ୍ନରେ ଯୋଜନାବଦ୍ଧ ଭାବେ ଚଢ଼ଉ କରାଯାଇଥିଲା । ପିଇଓ ପ୍ରଫୁଲ୍ଲ କୁମାର ନାଥ ହିତାଧିକାରୀଙ୍କଠାରୁ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।















