
ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ଠାରେ ବୁଧବାର ଦିନ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ଅଧ୍ୟକ୍ଷତା କରିଥିଲେ । ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ କରାଯିବ । ବାଳଧୂପ ନୀତି ଠାରୁ ବଡସିଂହାର ନୀତି ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା କରାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଥିଲା ।

ଭୋର ୪ଟାର ଦ୍ବାରଫିଟା, ୪ଟା ୩୦ରେ ଭିତରଶୋଧ,୫ଟାରେ ମଙ୍ଗଳ ଆଳତି, ୬ଟା ୩୦ରୁ ୭ଟା ୩୦ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ । ନଭେମ୍ବର ୧୬ ତାରିଖ ସୋମବାର ଅବକାଶ ନୀତି ପରେ ହରିହର ବେଶ ଅନୁଷ୍ଠିତ ହେବ । ୨୧ ତାରିଖରେ ଲକ୍ଷ୍ମୀନାରାୟଣ ବେଶ ଓ ହରିଉଥାପନ ନୀତି, ୨୨ ତାରିଖରେ ତ୍ରିବିକ୍ରମ ବେଶ, ୨୩ ତାରିଖରେ ଲକ୍ଷ୍ମୀନାରାୟଣ ବେଶ, ୨୪ ତାରିଖରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ଚଳିତବର୍ଷ ବାଙ୍କଚୂଡ ବେଶ ହେବ ନାହିଁ । ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ, ସିଂହଦ୍ବାର ଦେଇ ପ୍ରବେଶ ଓ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ । ପଞ୍ଚୁକ ପାଇଁ ବ୍ଯାରିକେଡ ନିର୍ମାଣ କରାଯିବ ।















