ନୂଆଦିଲ୍ଲୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ଆସନ୍ତା ୪୮ତମ ରଥଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ପର୍ବ ଏବେ ବ୍ୟାପକ ଭାବେ ଚାଲିଥିବା ଲକ୍ଷ୍ୟ କରାଯାଉଛି । ରଥଯାତ୍ରା ଅବସରରେ ଜାତୀୟ ରାଜଧାନୀର ଏହି ପ୍ରମୁଖ ଧାର୍ମିକ ପୀଠସ୍ଥଳୀରେ ପ୍ରାୟ ଦେଢ଼ ଲକ୍ଷ ଭକ୍ତଙ୍କର ସମାଗମ ଘଟିବ ବୋଲି ଆକଳନ କରାଯାଉଛି । ମନ୍ଦିର ପରିଚାଳନା କମିଟି ‘ଶ୍ରୀ ନୀଳାଚଳ ସେବା ସଂଘ’ ଦ୍ୱାରା ଆୟୋଜନ କରାଯାଉଥିବା ଏହି ବାର୍ଷିକ ଧାର୍ମିକ, ଆଧ୍ୟାତ୍ମିକ,

ସାମାଜିକ ଓ ସାଂସ୍କୃତିକ ମହାକୁମ୍ଭରେ ରାଜଧାନୀ ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ଓଡ଼ିଆ ଏବଂ ଅଣ ଓଡ଼ିଆ ଶ୍ରଦ୍ଧାଳୁ ଯୋଗଦେବେ ବୋଲି ଜଣାଯାଇଛି । ସମସ୍ତ ଆୟୋଜନକୁ ଶାନ୍ତି, ଶୃଙ୍ଖଳା ଏବଂ ସକ୍ଷମତାର ସହିତ ସମ୍ପନ୍ନ କରାଯିବା ପାଇଁ ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରୁଥିବା ଦେଖାଯାଉଛି । ଏହି ପବିତ୍ର ପ୍ଲାବନ ପାର୍ବଣ ଉପଲକ୍ଷେ ସମଗ୍ର ମନ୍ଦିରକୁ ଆକର୍ଷକ ରଙ୍ଗରେ ସଜ୍ଜିତ ଓ ନବୀକରଣ କରାଯାଇ ନୂଆ ସ୍ୱରୂପ ପ୍ରଦାନ କରାଯାଉଛି ।
ଚଳିତ ମାସ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଉତ୍ସବ ପ୍ରକ୍ରିୟାର ଶୁଭାରମ୍ଭ ଘଟିବାକୁ ଯାଉଛି। ଜୁଲାଇ ମାସ ୧୪ ତାରିଖରେ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ତଥା ୧୬ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ୨୪ ତାରିଖରେ ବାହୁଡ଼ା ଯାତ୍ରା, ୨୫ ତାରିଖରେ ସୁନାବେଶ ଏବଂ ୨୭ ତାରିଖରେ ନୀଳାଦ୍ରି ବିଜେ ଆଦି ଦିଅଁ ମାନଙ୍କର ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ବିଧି ମୁତାବକ ସମାପନ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ୧୮ ଫୁଟ ଉଚ୍ଚତା ଏବଂ ୧୦ ଚକା ବିଶିଷ୍ଟ ରଥର ନିର୍ମାଣ ରଥଖଳାରେ ଏବେ ଜୋରସୋରରେ ଚାଲିଥିବା ସେ ଜଣାଇଛନ୍ତି ।















