ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ପକ୍ଷରୁ ଖୋର୍ଦ୍ଧା ରୋଡ ସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପ ଠାରେ ସମ୍ପ୍ରତି ମଣ୍ଡଳ ସ୍ତରୀୟ ସାଂସ୍କୃତିକ ମହୋତ୍ସବ- ୨୦୨୫ ଆୟୋଜନ କରାଯାଇଥିଲା। ଦୁଇ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ସାହ ଜନକ ଅଂଶ ଗ୍ରହଣ ଦେଖିବାକୁ ମିଳିଥିଲା ଏବଂ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଏଥିରେ ଉଜ୍ଜ୍ୱଳ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶିତ ହୋଇଥିଲା।

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ କ୍ଷେତ୍ରାଧିକାରର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦ ଜଣ ଅଂଶ ଗ୍ରହଣକାରୀ ବିଭିନ୍ନ ପ୍ରତି ଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଭୋକାଲ୍ ଶାସ୍ତ୍ରୀୟ (ସୋଲୋ) ଭୋକାଲ୍ ଲାଇଟ (ସୋଲୋ) ଶାସ୍ତ୍ରୀୟ ବାଦ୍ୟ ଯନ୍ତ୍ର (ସୋଲୋ) ବାଦ୍ୟ ଯନ୍ତ୍ର ଲାଇଟ (ସୋଲୋ) ନୃତ୍ୟ (ସୋଲୋ) ଦଳଗତ ନୃତ୍ୟ, ନାଟକ ଏବଂ ଫ୍ୟାନ୍ସି ଡ୍ରେସ୍ ଅନ୍ତର୍ଭୁକ୍ତ। ଏଗୁଡ଼ିକ ବ୍ୟତୀତ, ରଙ୍ଗୋଲି, ମେହେନ୍ଦି, ସାଲାଡ୍ ସାଜସଜ୍ଜା ଏବଂ ରୋଷେଇ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ଯାହା ଅଂଶ ଗ୍ରହଣ କାରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ କଳାକୃତିକୁ ପ୍ରଦର୍ଶିତ କରିଥିଲା।

ଏହି ଅବସରରେ, ଖୋର୍ଦ୍ଧାରୋଡର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ତଥା ରେଳ ମଣ୍ଡଳ ସାଂସ୍କୃତିକ ସଂଗଠନର ସଭାପତି ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ ଅଂଶ ଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିବା ସହ ଏପରି କାର୍ଯ୍ୟକ୍ରମ ପିଲା ଏବଂ ଯୁବକ ମାନଙ୍କ, ବିଶେଷକରି ରେଳବାଇ ପରିବାରର ପିଲା ମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ଚମତ୍କାର ମଞ୍ଚ ପ୍ରଦାନ କରିଛି।















