No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଶିଷ୍ଟ ସ୍ଥପତି ପ୍ରଫେସର ଡଃ ଅଜୟ ଚନ୍ଦ୍ର ରାୟ ୨୪ ଏପ୍ରିଲ, ୨୦୨୫ରେ ସ୍ୱର୍ଗବାସ କରିଛନ୍ତିି । ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକାଲରେ ଦୀର୍ଘ ଦେଢ ମାସ ହେବ ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଶେଷ ଶର୍ଯ୍ୟା ନିକଟରେ ତାଙ୍କ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ୧୯୪୩ ମସିହା ମେ ମାସ ୨ ତାରିଖରେ ଅନୁଗୁଳରେ ଜନ୍ମଗ୍ରହଣ କରିଥିଲେ । ଡଃ ରାୟ ଥିଲେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍, ସମ୍ମାନୀୟ ପରାମର୍ଶଦାତା ଏବଂ ସିଭିଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ଜଣେ ସୁଦକ୍ଷ ବ୍ୟକ୍ତିତ୍ୱ । ଡଃ ରାୟ ୧୯୭୮ ମସିହାରେ ଖଡ଼ଗପୁରର ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀରୁ ସିଭିଲ ଇଞ୍ଜିନିୟରିଂରେ ତାଙ୍କର ଏମ୍ଟେକ୍ ଏବଂ ପିଏଚ୍ଡି ହାସଲ କରିଥିଲେ ।
ତାଙ୍କର ଉଜ୍ଜ୍ୱଳ ଶିକ୍ଷାଗତ ଓ ବୃତ୍ତିଗତ ଜୀବନ ଜ୍ଞାନ ଓ ସୃଜନଶୀଳ ଏବଂ ସେବା ପ୍ରତି ଥିବା ପ୍ରଗାଢ ପ୍ରତିବଦ୍ଧତା ଦ୍ୱାରା ସେ ଜନମାନସରେ ବେଶ୍ ପରିଚିତ ଥିଲେ । ସେ କୃଷି ବୈଷୟିକ ଏବଂ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ (ସିଏଇଟି)ରେ ଜେନେରାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଏବଂ ଭୁବନେଶ୍ୱର କଲେଜ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି (ସିଇଟି) ରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ତାଙ୍କ ବୃତ୍ତିଗତ ଜୀବନକାଳରେ, ଡଃ ରାୟଙ୍କ ସିଭିଲ୍ ଇଞ୍ଜିନିୟରିଂ ଏବଂ କୃଷିକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।
ଛାତ୍ର, ସହକର୍ମୀ ଏବଂ ବ୍ୟାପକ ଶିକ୍ଷାକ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ସେ ଛାଡ଼ିଯାଇଛନ୍ତି । ତାଙ୍କର କାର୍ଯ୍ୟଦକ୍ଷତା ପିଢି ପରେ ପିଢି ସମସ୍ତ ଇଞ୍ଜିନିୟର ଏବଂ ବୁଦ୍ଧିଜୀବୀମାନଙ୍କୁ ପ୍ରେରଣା ଯୋଗାଇବ । ପ୍ରଫେସର ରାୟଙ୍କ ପରଲୋକରେ ଇଣ୍ଡିଆନ୍ ଆର୍କିଟେକ୍ ଆସୋସିଏସନ୍ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିବା ସହିତ ତାଙ୍କର ପରିବାର ବୃନ୍ଦ, ସହକର୍ମୀ, ଛାତ୍ର ଏବଂ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମବେଦନା ଜଣାଇବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛି ।
No Result
View All Result