No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- ହିଞ୍ଜିଳିକାଟୁ ବନ ବିଭାଗ ନନ୍ଦିକ ବିଟ୍ ଅଧୀନ ସାହାପୁର ଗ୍ରାମ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ହରିଣ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲା । ଘଟଣା ପରେ ଗୁରୁତର ଥିବା ହରିଣର ଚିକିତ୍ସା ବ୍ୟବସ୍ଥା କରିଥିବା ପଶୁ ଚିକିତ୍ସକଙ୍କ ମତ, ବନପାଳ ଓ ବନରକ୍ଷୀଙ୍କ ଭିନ୍ନ ମତ ଓ ମନ୍ତବ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥିଲା । ଏଣୁ ଆହତ ହରିଣର ସ୍ଥିତି କଣ ରହିଛି ସେ ନେଇ ଅନୁସନ୍ଧାନ କରା ଯାଇଥିଲା। ଅନୁସନ୍ଧାନ ବେଳେ ଗତ ୧୭ ତାରିଖ ସୋମବାର ସନ୍ଧ୍ୟା ସମୟରେ ହରିଣଟି ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।
ସେତେବେଳେ ବିକାଶ ନାହାକ ଓ ସଂଗ୍ରାମ ଦାସ ଦୁର୍ଘଟଣା ବିଷୟରେ ହିଞ୍ଜିଳିକାଟୁ ବନପାଳ ଘରମଣୀ ପାଣିଗ୍ରାହିଙ୍କୁ ସୁଚନା ଦେଇଥିଲେ । ପରେ କର୍ମଚାରୀ ମାନେ ଆହତ ହରିଣର ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ପଶୁ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ସହକାରୀ ପଶୁ ଚିକିତ୍ସକ ଡାକ୍ତର ସିଦ୍ଧାନ୍ତ କୁମାର ସେଠ୍ ଆହତ ହରିଣର ଚିକିତ୍ସା ବ୍ୟବସ୍ଥା କରିଥିଲେ । ପରେ ଅସୁସ୍ଥ ଥିବା ହରିଣକୁ ବନପାଳଙ୍କ ଆବାସିକ କାର୍ଯ୍ୟାଳୟ ଓ ପରେ ବୁଗୁଡ଼ା ପଲ୍ଲୀ ଚାରା ଉତ୍ପାଦନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ବୋଲି ବନରକ୍ଷୀ ମିତାରାଣୀ ବିଶ୍ୱାସରାୟ ସୁଚନା ଦେଇଥିଲେ। ଏହା ପରେ ଗତ ୨୭ ତାରିଖ ଗୁରୁବାର ଆହତ ହରିଣର ସ୍ଥିତି ସମ୍ପର୍କରେ ବନରକ୍ଷୀଙ୍କ ସହ ଆଲୋଚନା ହୋଇଥିଲା ।

ସେତେବେଳେ ସେ କହିଥିଲେ ଯେ ହରିଣଟି ସୁସ୍ଥ ହେବା ପରେ ଆମ ପିଲାମାନେ ତାକୁ ନେଇ ସାହାପୁର ହରିଣ ବିଚରଣ ସ୍ଥଳରେ ଛାଡ଼ି ଦେଇ ଆସିଛନ୍ତି । କିନ୍ତୁ ଆହତ ହରିଣକୁ ଚିକିତ୍ସା କରିଥିବା ପଶୁ ଚିକିତ୍ସକ ହରିଣର ମେରୁଦଣ୍ଡରେ ଆଘାତ ଲାଗି ପଛ ପଟ ଗୋଡ଼ ଦୁଇଟି ଅଚଳ ଅବସ୍ଥାରେ ଥିବା ସୁଚନା ଦେଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବା ସେ ଆଶଙ୍କା ପ୍ରକାଶ କରିଥିଲେ । ଏଭଳି ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ଅସୁସ୍ଥ ହରିଣକୁ କେଉଁ କାରଣରୁ ଓ କାହା ନିର୍ଦ୍ଦେଶରେ ବନରକ୍ଷୀ ଜଣକ ସୁସ୍ଥ ବୋଲି ଦର୍ଶାଇ ଚାରା ଉତ୍ପାଦନ କେନ୍ଦ୍ରରୁ ସାହାପୁର ହରିଣ ବିଚରଣ ସ୍ଥଳରେ ଛାଡିଲେ ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ହରିଣଟି ଏବେ ଜୀବିତ ଅଛି ନା କୁକୁର,ହେଟା କିମ୍ୱା ଶିକାରୀଙ୍କ ଶିକାର ହୋଇଛି ତାହା ମଧ୍ଯ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଯଦିଓ ଅସୁସ୍ଥ ହରିଣର ମୃତ୍ୟୁ ହୋଇଥାଇ ପାରେ ବୋଲି ସାଧାରଣରେ ଆଶଙ୍କା ଦୃଢୀଭୂତ ହୋଇଛି , ତେବେ ଏଥିପାଇଁ ବିଭାଗ ପକ୍ଷରୁ ଉଦ୍ୟମ ହୋଇ ନ ଥିବା ଅନୁସନ୍ଧାନ ବେଳେ ପଶୁ ଚିକିତ୍ସାଳୟ ସୂତ୍ରରୁ ଜଣାପଡ଼ିଛି । ଏହି ସମ୍ବେଦନଶୀଳ ଘଟଣାର ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ ସକାଶେ ସଚେତନ ମହଲରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ )ଭୁବନେଶ୍ୱରଙ୍କ ଦୃଷ୍ଟି ଆକର୍ଷଣ କରଯାଇଛି । ଏ ନେଇ ହିଞ୍ଜିଳିକାଟୁ ବନ ବିଭାଗୀୟ ବନପାଳ ଘରମଣି ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କୁହନ୍ତି, ବର୍ତ୍ତମାନ ସମୟରେ ତୃଷାର୍ତ୍ତ ହରିଣ ଗୁଡିକ ପାଣି ପିଇବା ପାଇଁ ରାସ୍ତା ଉପରେ ଯାତାୟାତ କରୁଥିବା ବେଳେ ଦୂର୍ଘଟଣାର ଶୀକାର ହେଉଛନ୍ତି । କେତେବେଳେ କେଉଁଠାରେ କେତେ ହରିଣ ଦୂର୍ଘଟଣାର ଶୀକାର ହେଉଛନ୍ତି, ସମସ୍ତ ଖବର ରଖିବା ସମ୍ଭବପର ନୁହେଁ । ବନପାଳଙ୍କ ଏଭଳି ଖାମଖିଆଲ ମନ୍ତବ୍ୟ ତାଙ୍କ ଦାୟିତ୍ୱହୀନତାକୁ ସୂଚାଉଛି ।
No Result
View All Result