No Result
View All Result
୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ଜିଲ୍ଲା ରାଜସୁନାଖଳାସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ “ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ବତନ୍ତ୍ର ଶିକ୍ଷକ” ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘ ପକ୍ଷରୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ଅନ୍ୟ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଏସ୍ଇଏଫଡ଼ି ସଂଘର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ସମ୍ମାନିତ ଅତିଥି ଭାବେ ସକ୍ଷମ ସଂଗଠନର ସମ୍ପାଦିକା ମନସ୍ମିତା ଜେନା,
ମୁଖ୍ୟବକ୍ତାଭାବେ ସକ୍ଷମ ସଂଗଠନର ଉପସଭାପତି ପ୍ରଫେସର ଡ଼ଃ ବିନୟ ଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ବତନ୍ତ୍ର ଶିକ୍ଷକ ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଓ କ୍ରମାଗତଭାବେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା କମିବା ପ୍ରସଙ୍ଗ ଆଦି ଆଲୋଚନା ହୋଇଥିଲା । ମାନ୍ୟବର ବାଚସ୍ପତି ଶ୍ରୀମତୀ ପାଢ଼ୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା ସ୍ବାଗତ ଭାଷଣ ରଖିଥିବା ସ୍ଥଳେ ସମ୍ପାଦକ ଜୀବନ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରିଥିଲେ । ଉକ୍ତ ସଭାରେ ଅଭିଭାବକମାନେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପାଢ଼ୀ ଓ ଅନ୍ୟ ବରେଣ୍ୟ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ରୌପ୍ୟ ରଞ୍ଜନ ସାମନ୍ତରାୟ, ନୟାଗଡ଼ ଜିଲ୍ଲା ସଭାନେତ୍ରୀ ତୃପ୍ତିମୟୀ ପ୍ରଧାନ, ସମ୍ପାଦିକା ଶୁଭସ୍ମିତା ମିଶ୍ର, ଉପସଭାନେତ୍ରୀ ଆର୍ଷୀ ଉପାସନା କର, ଯୁଗ୍ମ ସମ୍ପାଦକ ଶିବପ୍ରସାଦ ମିଶ୍ରଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।
No Result
View All Result