No Result
View All Result
୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲା ର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ଆଜି ଗୁରୁ ପୁଜନ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ବିଶିଷ୍ଟ ସାହିତ୍ୟିକ ଡ. ନୀରଦଚନ୍ଦ୍ର କହଁର ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ଶିକ୍ଷକ ମାନେ ସମାଜର ସ୍ରଷ୍ଟା ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଓ ସଂସ୍କାର ଦେଇ ସମାରେହ ଜଣେ ଜଣେ ଭଲ ମଣିଷ ତିଆରି କରିବା ଦିଗରେ ସାରା ଜୀବନ କାର୍ଯ୍ୟ କରି ଥାଆନ୍ତି । ତେଣୁ ଶିକ୍ଷକ ମାନଙ୍କ ଜୀବନ ଶୈଳୀ ଓ ସେମାନଙ୍କ ଶିକ୍ଷା ଦାନ ଏକ ସୁସ୍ଥ ମାଜର ଗଠନରେ ସମ୍ପୁର୍ଣ୍ଣ ଭାବରେ ସହାୟକ ହୋଇଥାଏ ବୋଲି କହିଥିଲେ ।
ଏହି ଅବସରରେ ଅନ୍ଯତମ ଅତିଥି ଭାବେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ତଥା ପ୍ରାଧ୍ଯାପକ ତୀର୍ଥ ଯାନୀ,ଯୋଗ ଦେଇ ଶିକ୍ଷା ପଦ୍ଧତି ରେ ପରିବର୍ତ୍ତନ ହେବାରେ ଲାଗିଛି । ଏହାର ପରିଣାମ ସ୍ୱରୂପ ଶିକ୍ଷା ର ମାନ ମଧ୍ୟ ବଦଳିବାରେ ଲାଗିଛି । ଫଳରେ ଛାତ୍ରଛାତ୍ରୀମାନେ ଖାଲି ପାଠ୍ଯକ୍ରମରେ ନମ୍ବର ଭିତ୍ତିକ ଶିକ୍ଷା ଗ୍ରହଣ କରିବା ବ୍ଯତୀତ ସମାଜରେ ଆବଶ୍ୟକୀୟ ସଂସ୍କାର ଓ ସଂସ୍କୃତି ବାବଦରେ ଜ୍ଞାନ ଆହରଣ କରିବା ଦିଗରେ ସଫଳତା ହାସଲ କରିପାରୁ ନାହାନ୍ତି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପ୍ରେସକ୍ଲବ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଏବଂ ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ମହାନ୍ତି ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ର ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ ଶିକ୍ଷା ଦାନ ଏବଂ ଏହି ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଅନୁଷ୍ଠାନର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ଡଃ କାହ୍ନୁଚରଣ ଶତପଥୀ ପରିଚାଳନା କରିଥିଲେ । ଶେଷରେ ସଭାପତି ପ୍ରଶାନ୍ତ କୁମାର ବେହେରା, ଶିକ୍ଷକ ମାନେ ସଠିକ୍ ଭାବେ ନିଜ ନିଜର ବିବେକାନୁମୋଦିତ ଭାବେ କାର୍ଯ୍ୟ ସମ୍ପାଦନ କଲେ ସମାଜରେ ଭଲ ମଣିଷ ତିଆରି ହୋଇ ପାରିବେ, ତାବେ ସେମାନଙ୍କ କାର୍ଯ୍ୟ କୁ କିଏ କେଉଁ ଦୃଷ୍ଟି କୋଣରୁ ଦେଖି କି ମନ୍ତବ୍ୟ ଦେଉଛନ୍ତି ତାହା ଅଣଦେଖା କରି କାର୍ଯ୍ୟ କଲେ ହିଁ ଶିକ୍ଷା ଦାନ ସଫଳତା ହେବା ସହିତ ସଠିକ୍ ଶିକ୍ଷକତା ହେବ ବୋଲି କହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ଶରତଚନ୍ଦ୍ର ମହାନ୍ତିଙ୍କ ସମେତ ବିରାଜିନୀ ମହାପାତ୍ର,ମୁସ୍କାନ ସୁଆର ଏବଂ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।
No Result
View All Result