ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର
୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମହାଶୟ, ସାଦର ନମସ୍କାର ! ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଏହି ଚିଠି ଲେଖୁଛି । ଓଡ଼ିଶାବାସୀଙ୍କର ଏହି ଆଶା ଓ ଆକାଂକ୍ଷାର ପଦବୀରେ ବସିଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ତଥା ଆପଣ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବାରୁ ଆପଣଙ୍କ ଉପରେ ଅନେକ ଆଶା ଓ ଭରସା ରଖିଛି । ଅନେକ ବର୍ଷ ପୂର୍ବେ ମୋ ବାପା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଏହି ପଦାନସୀନ ଥିଲେ । ତାଙ୍କୁ ପାଖରୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିଥିବାରୁ ଆପଣ ସାଧାରଣ ଲୋକଙ୍କ ସମସ୍ୟା ସମାଧାନର କେନ୍ଦ୍ରବିନ୍ଦୁ ପାଲଟିବେ, ଏହି ଆଶା ବି ରଖୁଛି ।
ଏବେ ସୋସିଆଲ ମିଡ଼ିଆରୁ ଭୁବନେଶ୍ୱରର ଏକ ଥାନାରେ ଜଣେ ଝିଅ ପ୍ରତି ପୁଲିସ ଦ୍ୱାରା ହୋଇଥିବା ବର୍ବରୋଚିତ ଅଶାଳୀନ ବ୍ୟବହାର ବାବଦରେ ସେ ଝିଅ କହୁଥିବା ଶୁଣିଲି । ଏହା ଦେଖି ମୁଁ ସତେ ଯେମିତି ନିର୍ବାକ ହୋଇଯାଇଛି। ସରକାରୀ କର୍ମଚାରୀ ପୁଣି ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ଥିବା ପୋଲିସର ବ୍ୟବହାର ଯଦି ମହିଳାମାନଙ୍କ କ୍ଷେତ୍ରରେ ଏପରି ହେବ, ତେବେ ମହିଳାମାନେ ଏହି ପୁରୁଷକୈନ୍ଦ୍ରିକ ସମାଜରେ କିପରି ବଞ୍ଚିବେ, ତାହା ମୁଁ ବୁଝିପାରୁ ନାହିଁ।















