ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର

୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମହାଶୟ, ସାଦର ନମସ୍କାର ! ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଏହି ଚିଠି ଲେଖୁଛି । ଓଡ଼ିଶାବାସୀଙ୍କର ଏହି ଆଶା ଓ ଆକାଂକ୍ଷାର ପଦବୀରେ ବସିଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ତଥା ଆପଣ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବାରୁ ଆପଣଙ୍କ ଉପରେ ଅନେକ ଆଶା ଓ ଭରସା ରଖିଛି । ଅନେକ ବର୍ଷ ପୂର୍ବେ ମୋ ବାପା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଏହି ପଦାନସୀନ ଥିଲେ । ତାଙ୍କୁ ପାଖରୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିଥିବାରୁ ଆପଣ ସାଧାରଣ ଲୋକଙ୍କ ସମସ୍ୟା ସମାଧାନର କେନ୍ଦ୍ରବିନ୍ଦୁ ପାଲଟିବେ, ଏହି ଆଶା ବି ରଖୁଛି ।

ଏବେ ସୋସିଆଲ ମିଡ଼ିଆରୁ ଭୁବନେଶ୍ୱରର ଏକ ଥାନାରେ ଜଣେ ଝିଅ ପ୍ରତି ପୁଲିସ ଦ୍ୱାରା ହୋଇଥିବା ବର୍ବରୋଚିତ ଅଶାଳୀନ ବ୍ୟବହାର ବାବଦରେ ସେ ଝିଅ କହୁଥିବା ଶୁଣିଲି । ଏହା ଦେଖି ମୁଁ ସତେ ଯେମିତି ନିର୍ବାକ ହୋଇଯାଇଛି। ସରକାରୀ କର୍ମଚାରୀ ପୁଣି ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ଥିବା ପୋଲିସର ବ୍ୟବହାର ଯଦି ମହିଳାମାନଙ୍କ କ୍ଷେତ୍ରରେ ଏପରି ହେବ, ତେବେ ମହିଳାମାନେ ଏହି ପୁରୁଷକୈନ୍ଦ୍ରିକ ସମାଜରେ କିପରି ବଞ୍ଚିବେ, ତାହା ମୁଁ ବୁଝିପାରୁ ନାହିଁ।

ମହାତ୍ମା ଗାନ୍ଧୀ ପରା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ, "ରାତ୍ରୀ ଅର୍ଦ୍ଧରେ ଯୁବତୀ ଝିଅଟିଏ ନିର୍ବିଘ୍ନରେ ଯେଉଁଦିନ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରିବ, ସେହିଦିନ ଯାଇ ବୁଝିବ ଯେ, ଏ ଦେଶକୁ ସ୍ୱାଧୀନତା ମିଳିଛି ବୋଲି ।" ଓଡ଼ିଶାର ରାଜଧାନୀର ଛାତି ଉପରେ ଯେଉଁ ହୃଦୟ ବିଦାରକ ଘଟଣା ଝିଅଟି ସହ ଘଟିଲା, ସେଥିରେ କଣ ମୁଁ ଓ ଆପଣ ନିଜକୁ ସ୍ୱାଧୀନ ବୋଲି କହିପାରିବା ? ଆମ ଦେଶ ପାଇଁ ତିଳ ତିଳ ଜଳି ଆମକୁ ବ୍ରିଟିଶ କବଳରୁ ମୁକ୍ତ କରି ଆମରି ହାତରେ ଆମ ଶାସନ ଡୋରି ଟେକି ଦେଇଥିବା ସେ ବୁଢା ଲୋକଟିର ଆତ୍ମା ଏ ଘଟଣା ଦେଖି ଉପରେ ରହି କାନ୍ଦୁଥିବ ନିଶ୍ଚେ।

ବାରାଣସୀ ଠାରେ ଉତ୍ତରପ୍ରଦେଶ ସରକାର ଓ ରେଳ ବିଭାଗ ପକ୍ଷରୁ ଅନୈତିକ ଭାବରେ ଗାନ୍ଧୀ - ବିନୋବା - ଜୟପ୍ରକାଶଙ୍କ ସର୍ବୋଦୟ ସାଧନା କେନ୍ଦ୍ର ଉପରେ ବୁଲଡୋଜର ଚଲା ଯାଇଥିବା ଘଟଣାକୁ ବିରୋଧ କରି ସତ୍ୟାଗ୍ରହରେ ବସିଥିବା ବେଳେ ଓଡ଼ିଶାର ଏହି ମର୍ମନ୍ତୁଦ ଘଟଣା ମୋତେ ଥରାଇ ଦେଇଛି। ମହିଳାମାନଙ୍କୁ ପୁରୁଷମାନଙ୍କ ସହ ସମକକ୍ଷ ଭାବରେ ସମ୍ମାନ ଦେଉଥିବା ଆଦିବାସୀ ସମାଜର ଜଣେ ପୁଅ ହିସାବରେ ଏହି ଦୁଃଖଦ ଘଟଣାରେ ଦୋଷୀ ସମସ୍ତଙ୍କ ପ୍ରତି ଆପଣ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବା ସହ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖୁଛି।

ଆପଣଙ୍କର ଶୁଭାନୁଧ୍ୟାୟୀ କୃଷ୍ଣା ମହାନ୍ତି ସଭାନେତ୍ରୀ