ଓଡିଶା ତାଜା ନ୍ୟୁଜ୍ (୧୩ ଜୁନ୍ ଶନିବାର ) ବାଲେଶ୍ୱର :– ରାତି ପାହିଲେ ରଜ। ବରଷକେ ଥରେ ଆସିଛି ଏହି ଗଣପର୍ବ । ଏହି ପର୍ବକୁ ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମଧାମରେ ପାଳନ କରିଥାନ୍ତି । ଓଡ଼ିଆ ପର୍ବପର୍ବାଣୀରେ ରଜର ସ୍ୱାତନ୍ତ୍ର୍ୟତା ରହିଛି। ରଜ ତିନି ଦିନ ପିଠାପଣା, ଦୋଳି ଖେଳରେ ଦୁଲୁକିଥାଏ ପୁରପଲ୍ଲୀ । ହେଲେ ଏଥର କରୋନା ମହାମାରୀ ସବୁ ବିଗାଡ଼ି ଦେଇଛି । ୧୪ରେ ପହଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ ଏବଂ ଚତୁର୍ଥ ଦିନ ମହାଲକ୍ଷ୍ମୀ ସ୍ନାନ (ବସୁମାତା ସ୍ନାନ)। ପହିଲର ରଜ ପୂର୍ବ ଦିନ ସଜବାଜ । ମୁହଁରେ ଚନ୍ଦନଟିପା, ପାଦରେ ଅଳତା, ନଖରେ ନେଲପଲିସି, ହାତରେ ମେହେନ୍ଦୀ ଲଗାଇ ସଜେଇ ହୋଇଥାନ୍ତି କୁଆଁରୀ କନ୍ୟା । ଏବର୍ଷ କିନ୍ତୁ କରୋନା ପ୍ରତିବନ୍ଧକ ସାଜିଛି । ଏଥର ଝିଅମାନେ ଏକାଠି ବସି ସଜବାଜ ହୋଇପାରିବେ ନାହିଁ । ଏକାଠି ଦୋଳି ଖେଳିପାରିବେ ନାହିଁ । ଆମ୍ବ ତୋଟାରେ ଦୋଳି ଲାଗିବ ନାହିଁ କି ଗାଁ ପଡ଼ିଆରେ କବାଡ଼ି ଖେଳ ହେବ ନାହିଁ । ନିଜ ନିଜ ଘରେ ରଜ ପର୍ବ ପାଳିବେ ସମସ୍ତେ ।
ଅନ୍ୟପକ୍ଷରେ ପହିଲି ରଜ ଆମିଷ ବାର ରବିବାରରେ ପଡ଼ୁଥିଲେ କାହାଁ ମୁହଁରେ ଆମିଷ ବାଜିବ ନାହିଁ । କାରଣ ସେଦିନ ରାଜ୍ୟ ସରକାର ସଟଡାଉନ ଘୋଷଣା କରିଛନ୍ତି । ଫଳରେ ଆମିଷ ଦୋକାନ ସବୁ ବନ୍ଦ ରହିବ । ଓଡିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜ ପାଳିତ ହୁଏ ଏବର୍ଷ ତା’ ମଧ୍ୟ ବନ୍ଦ । ରଜପାନ ନ ଖାଇଲେ ରଜରେ ମଜା ଆସି ନଥାଏ । ଅନ୍ୟ ଦିନରେ ପାନ କିଏ ଖାଉ ବା ନଖାଉ ରଜରେ କିନ୍ତୁ ସମସ୍ତେ ପାନ ଖାଇଥାନ୍ତି । ଏଥିପାଇଁ ଦୋକନ ମାନଙ୍କରେ ଖଚାଖଚ ଭିଡ଼ ହୋଇଥାଏ । ଏବର୍ଷ ତା’ମଧ୍ୟ ହେବ ନାହିଁ । ଘରେ ସମସ୍ତେ ପାନ ଭାଙ୍ଗି ଖାଇପାରିବେ । ରଜ ବଜାରରେ ସିନେମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଏହି ପର୍ବରେ ସିନେମା ହଲରେ ଟକ୍କର ହୋଇଥାଏ । କାହା ଫିଲ୍ମ କେତେ ଆୟ କରିବ ସମସ୍ତେ ତାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । କରୋନା ପାଇଁ ସିନେମା ହଲରେ ମଧ୍ୟ ତାଲା । ଫଳରେ ଏଥର ରଜ ମଉଜ ପୂରା ଫିକା । ( ରିପୋର୍ଟ- ଦୀପ୍ତିମାନ୍ ପତି )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com