ଭଲ ମଣିଷ ତିଆରି କରିବା ବାଲିପଟ୍ଟା ଓ ଛେଣ୍ଡିପଦାର ସଂସ୍କାରରେ ରହିଛି । ଏହି କାରଣରୁ ବାଲିପଟ୍ଟା ହାଇସ୍କୁଲରୁ ପାଠପଢି ୫ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମାଜିକ ଜୀବନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ନିଜ କାମକୁ ସୂଚାରୁରୂପେ ପାଳନ କରୁଛନ୍ତି । ହାଇସ୍କୁଲଟି ୫୦ ବର୍ଷ ପୂରଣ କରିବା ଏକ ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ । ଅଭିଭାଷଣ ବେଳେ ଶ୍ରୀ ପ୍ରଧାନ ତାଙ୍କୁ ପ୍ରେରଣା ଦେଇଥିବା ବ୍ୟକ୍ତିଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ପିଲା ଥିବା ବେଳେ ସେ ତାଙ୍କ ପ୍ରେରଣା ପୁରୁଷ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବିଚାର ପରିବାରର ବରିଷ୍ଠ ପ୍ରଚାରକ ସ୍ୱର୍ଗତ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ଠାରୁ ବାଲିପଟ୍ଟାର ସଂସ୍କାର ଶୁଣିଥିଲେ ।
ସେହି ପ୍ରେରଣା ପୁରୁଷଙ୍କ କର୍ମଭୂମି ତଥା ନିଜ ଗୃହ ଜିଲ୍ଲାର ଏକ ସଂସ୍କାର ଧାମ ଏବଂ ଆତ୍ମୀୟ ମାନଙ୍କ ଗ୍ରାମକୁ ଆସିବା ତାଙ୍କ ପାଇଁ ବଡ ସୌଭାଗ୍ୟର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।ଏହି କାର୍ୟ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ କୋଶଳା ଠାରେ ମା’ ରାମଚଣ୍ଡୀ ପୀଠରେ ଦର୍ଶନ କରିଥିଲେ । ସେହି ଅଞ୍ଚଳରେ ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବାସାହେବ ଡକ୍ଟର ବି.ଆର୍ ଆମ୍ବେଦକର ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବଅଁରପାଳ, ଜରାସିଂହା, କଙ୍କରାଇ, ରାଇଝରନ, କୋଶଳା, ଛେଣ୍ଡିପଦା, ପାଟକୁମୁଣ୍ଡା, ବାରମଞ୍ଚା, ଖମାର, ପଗଡିଆ, ବସନ୍ତପୁର, ତେଣ୍ଟୁଲୋଇ ଓ ବାଲିପଟ୍ଟା ସମେତ ବିଭିନ୍ନ ସ୍ଥାନରେ କାର୍ୟ୍ୟକର୍ତ୍ତା ଓ ସାଧାରଣ ଲୋକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

© 2023 Odisha Taza News.