• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

Proprietor Abhimanyu Maharana by Proprietor Abhimanyu Maharana
August 16, 2026
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ମହାତ୍ମା ଗାନ୍ଧୀ ମାର୍ଗ,ଭୁବନେଶ୍ୱର,ସ୍ଵାଧୀନତା ଦିବସ ଅବସରରେ ରାଜ୍ୟବାସୀ ତଥା ଦେଶ ଓ ବିଦେଶରେ ବସବାସ କରୁଥିବା ପ୍ରତ୍ଯେକ ଭାରତୀୟଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ସ୍ଵାଧୀନ ଭାରତର ଗୌରବମୟ ଯାତ୍ରାରେ, ଆଜି ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଯାଇଛି । ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ, କେବଳ ଏକ ସଂଗ୍ରାମର କାହାଣୀ ନୁହେଁ, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାହାଚ। ମହାତ୍ମା ଗାନ୍ଧୀ’ଙ୍କ ନେତୃତ୍ଵରେ ବିଭିନ୍ନ ବିଚାରଧାରାର ସ୍ଵାଧୀନତା ସଂଗ୍ରାମୀମାନେ, ଗୋଟିଏ ମଞ୍ଚରେ ଆସି, ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଏକଜୁଟ୍ ହୋଇଥିଲେ। ‘ସତ୍ୟାଗ୍ରହ’ ଓ ‘ଅହିଂସା’ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ, ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଏକ ଲମ୍ବା ଲଢେଇ ଚାଲିଥିଲା ।

ଏଥି ସହିତ ସମାନ୍ତରାଳ ଭାବେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଶହିଦ ଭଗତ ସିଂ’ଙ୍କ ପରି ମହାନ କ୍ରାନ୍ତିକାରୀମାନେ ସଶସ୍ତ୍ର ସଂଗ୍ରାମ କରିଥିଲେ। କିନ୍ତୁ, ମୋଟାମୋଟି ଭାବେ ଏହି ସ୍ଵାଧୀନତା ସଂଗ୍ରାମର ମୁଖ୍ୟ ଆଧାର ଥିଲା ଅହିଂସା। ଫଳସ୍ବରୂପ, ୮୦ ବର୍ଷ ତଳେ, ଆଜିର ଦିନରେ ଆମ ଦେଶ ସ୍ଵାଧୀନ ହୋଇଥିଲା। ଏହି ମହାସଂଗ୍ରାମରେ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ୍ ସ୍ଵତନ୍ତ୍ରତା ସଂଗ୍ରାମୀ ପଣ୍ଡିତ ଜବାହାରଲାଲ୍ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର୍ ସବରକର୍, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ,

ଡକ୍ଟର ବାବା ସାହେବ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୂର ଶାସ୍ତ୍ରୀ, ମୌଲାନା ଆଜାଦଙ୍କ ପରି ମହାନ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସହିତ ଲକ୍ଷ ଲକ୍ଷ ସଂଗ୍ରାମୀ ମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଦେଶର ଅନ୍ୟାନ୍ୟ ରାଜ୍ୟ ପରି ଆମ ରାଜ୍ୟ ଓଡିଶା ମାଟିର ବୀର ସନ୍ତାନମାନେ ମଧ୍ୟ, ଦେଶର ସ୍ଵାଧୀନତା ପାଇଁ ସଂଗ୍ରାମ କରିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ନେତୃବୃନ୍ଦଙ୍କ ଅସୀମ ତ୍ୟାଗ ଓ ସଂଘର୍ଷ, ଓଡ଼ିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିଥିଲା ।  ଆଜିର ପବିତ୍ର ଦିନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ,

ବୀର ସୁରେନ୍ଦ୍ର ସାଏ, ସହିଦ୍ ମାଧୋ ସିଂ, ଚକରା ବିଶୋଇ, ରେଣ୍ଡୋ ମାଝୀ, ମା’ ରମାଦେବୀ, ମା’ ମାଳତୀ ଚୌଧୁରୀ, ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ମା’ ପାର୍ବତୀ ଗିରି ଓ ସରଳା ଦେବୀଙ୍କ ପରି ମହାନୁଭବଙ୍କ ବଳିଦାନକୁ ମନେ ପକାଇ, ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆପଣମାନେ ଜାଣିଛନ୍ତି ୧୮୫୭ ମସିହାର ସିପାହୀ ବିଦ୍ରୋହର ପ୍ରାୟ ୪୦ ବର୍ଷ ପୂର୍ବରୁ, ୧୮୧୭ ମସିହାରେ ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ ।

ଏହି ବିଦ୍ରୋହର ପୁରୋଧା ସାଜିଥିବା ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ପରି ମହାନ୍ ଦେଶପ୍ରେମୀ ଓ ବୀର ଯୋଦ୍ଧାଙ୍କ ପ୍ରତି ମୋର ଭକ୍ତିପୂତ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଓଡିଶାର ଜନ ଆନ୍ଦୋଳନ ବିନା, ସ୍ଵାଧୀନତା ସଂଗ୍ରାମର କାହାଣୀ ଅକଳ୍ପନୀୟ। ରକ୍ତତୀର୍ଥ ଇରମ୍ , ଘୁମୁସର ବିଦ୍ରୋହ, ପ୍ରଜାମଣ୍ଡଳ ସଂଗ୍ରାମ, କନ୍ଧ ବିଦ୍ରୋହ, ସମ୍ବଲପୁର ବିଦ୍ରୋହ, କେନ୍ଦୁଝରର ଭୂୟାଁ ବିଦ୍ରୋହ, କୋରାପୁଟର ଆଦିବାସୀ ବିଦ୍ରୋହ ଆଦି, ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଆହୁରି ଶାଣିତ କରିଥିଲା । 

ଏହି ସମସ୍ତ ଜନଜାତି ଆନ୍ଦୋଳନକାରୀ ମାନଙ୍କ ବୀରତ୍ଵ ଓ ବଳିଦାନ ସବୁଦିନ ପାଇଁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ସ୍ଵାଧୀନତା ପରବର୍ତ୍ତୀ କାଳରେ ଏ ଦେଶର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିଥିବା ପ୍ରତିରକ୍ଷା ବାହିନୀ ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀର ବୀର ଯବାନ ମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସ୍ଵାଧୀନତା ସଂଗ୍ରାମକୁ କାଶ୍ମୀର’ରୁ କନ୍ୟାକୁମାରୀ, ଗୁଜୁରାଟ’ରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଏକତାର ସୂତ୍ରରେ ବାନ୍ଧିଥିଲା, ଆମ ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ ଏବଂ ଆମ ଜାତୀୟ ପତାକା ‘ତ୍ରିରଙ୍ଗା’।  ଆଜି ପୁଣିଥରେ ବନ୍ଦେ ମାତରମ୍ ଏବଂ ତ୍ରିରଙ୍ଗାକୁ ଘରେ ଘରେ ପହଞ୍ଚାଇବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ତାହା ଆଜି ଭାରତୀୟ ମାନଙ୍କ ମନରେ ଦେଶପ୍ରେମର ବହ୍ନିକୁ ପୁନଃ ପ୍ରଜ୍ଜ୍ଵଳନ କରିଛି । 


ବନ୍ଧୁଗଣ, ଆଜି ଆମ ଦେଶ ସ୍ୱାଧୀନତାର ୭୯ ବର୍ଷ ଅତିକ୍ରାନ୍ତ କରି ୮୦ ବର୍ଷରେ ପହଞ୍ଚିଛି। ଏହି ୮୦ ବର୍ଷରେ ଭାରତ ତା’ର ବିକାଶ ଯାତ୍ରାରେ ଅଗ୍ରସର ହୋଇ ଆଜି ବିଶ୍ୱର ଏକ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି । ଗତ ଏକବର୍ଷ ଥିଲା ଅତ୍ୟନ୍ତ ଘଟଣା ବହୁଳ। ଭାରତ ଉଭୟ ଆଭ୍ଯନ୍ତରୀଣ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସମସ୍ଯାର ସମ୍ମୁଖୀନ ହୋଇଥିଲା । କିନ୍ତୁ ମାନନୀୟ ପ୍ରଧାନମନ୍ତ୍ରୀ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇ, ଦେଶର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖିବା ସହିତ ମଜବୁତ୍ କରିଛନ୍ତି।

ସ୍ଵାଧୀନତା ପରବର୍ତ୍ତୀ କାଳରେ ଦେଶର ବିକାଶ ସବୁଠାରୁ ବଡ ଆହ୍ଵାନ ଥିଲା। ସବୁ ସରକାର ନିଜ ସାଧ୍ୟ ଓ ସାମର୍ଥ୍ୟ ମୁତାବକ ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଦେଇଥିଲେ। କିନ୍ତୁ, ସ୍ଵାଧୀନତାର ଅଠଷଠି ବର୍ଷରେ ବିକାଶର ଗତି ଯେତେ ଆଶାନୁରୂପ ହେବା କଥା, ତାହା ହୋଇ ପାରି ନ ଥିଲା। କିନ୍ତୁ, ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀ ଦେଶର ଶାସନ ଭାର ସମ୍ଭାଳିବା ପରେ, ନୂତନ ଭାରତର ନିର୍ମାଣ ଯଥାର୍ଥରେ ଆରମ୍ଭ ହୋଇଥିଲା। ୨୦୧୪ ମସିହାର ସ୍ଵାଧୀନତା ଦିବସ ସମ୍ବୋଧନରେ ‘ସ୍ଵଚ୍ଛ ଭାରତ’ର ନାରାରୁ ଆରମ୍ଭ ହୋଇଥିଲା ନୂତନ ଭାରତର ନିର୍ମାଣ।  ଏହି ବାର ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ଦୂରଦର୍ଶୀ ନିଷ୍ପତ୍ତି ନେଇ ଦେଶକୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ, ବିଶ୍ଵର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ସେ ପ୍ରତିଷ୍ଠିତ କରିଛନ୍ତି । 

‘ଆଜିର ଭାରତ ହେଉଛି ଆତ୍ମବିଶ୍ଵାସ, ଆତ୍ମନିର୍ଭର ଓ ଆତ୍ମସମ୍ମାନରେ ଭରା ଭାରତ।’ ଆମ ଦେଶର ଆତ୍ମା ହେଉଛନ୍ତି ଆମ ଦେଶର ନାଗରିକ। ସେମାନେ ତାଙ୍କର ଛୋଟ ଛୋଟ ସମସ୍ଯାର ଆଶୁ ନିରାକରଣ ଚାହାନ୍ତି। ଯାହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀ ପୂରଣ କରିବାରେ ସହାୟକ ହୋଇପାରିଛନ୍ତି । ଆଉ ଆଗ ପରି ରନ୍ଧନ ଗ୍ଯାସ ଏକ ବିଳାସ ପୂର୍ଣ୍ଣ ସାମଗ୍ରୀ ହୋଇ ରହିନାହିଁ, କି ଗ୍ଯାସ ପାଇବା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁ ନାହିଁ। ଆଜି ଦେଶର ଗରିବଙ୍କ ପାଖରେ ବ୍ଯାଙ୍କ ଖାତା ଅଛି, ଯେଉଁଥିରେ ବିନା ଲାଞ୍ଚ ଦେଇ ନିଜର ନ୍ୟାଯ୍ୟ ପ୍ରାପ୍ୟ ସରକାରଙ୍କ ଠାରୁ ପାଉଛନ୍ତି। ମାନନୀୟ ମୋଦୀଜୀଙ୍କ ଦୂରଦର୍ଶୀ ନୀତିର ସଫଳ ରୂପାୟନ ଯୋଗୁଁ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସେବା ପାଇବା ଏବେ ଆଉ ସ୍ଵପ୍ନ ନୁହେଁ, ଏହା ଆଜି ବାସ୍ତବତାରେ ପରିଣତ ହୋଇଛି।

ମୋଦୀଜୀଙ୍କ ନେତୃତ୍ଵରେ ଦେଶ ଆଜି ସୁରକ୍ଷିତ । ବାଲାକୋଟ ଏୟାର ଷ୍ଟ୍ରାଇକ୍ ଓ ‘ଅପରେସନ ସିନ୍ଦୁର’ ଏହାର ଜୀବନ୍ତ ପ୍ରମାଣ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଯୋଗୁ ଏହା ସମ୍ଭବ ହୋଇଥିଲା।  ଦେଶରେ ନିର୍ମିତ ହେଉଥିବା ଅଗ୍ନି, ବ୍ରହ୍ମୋସ୍, ଆକାଶ, ଡ୍ରୋନ୍ ପରି ବିଭିନ୍ନ ଅସ୍ତ୍ରଶସ୍ତ୍ର ବାହ୍ୟ ଶତ୍ରୁଙ୍କ ମନରେ ଭୟ ସଂଚାର କରିପାରିଛି। ଆପଣମାନେ ଜାଣିଥିବେ, କିଛିଦିନ ତଳେ ଭାରତର ଜେନ୍‌-ଜି ବର୍ଗର ବୈଜ୍ଞାନିକମାନେ ନିଜସ୍ଵ ଜ୍ଞାନ କୌଶଳରେ, ପ୍ରଥମ ପ୍ରଚେଷ୍ଟାରେ ହିଁ ସଫଳତାର ସହିତ ରକେଟ୍ ଉତ୍‌କ୍ଷେପଣ କରି ଇତିହାସ ରଚିଛନ୍ତି ଓ ଦେଶ ପାଇଁ ଗୌରବ ଆଣିଛନ୍ତି ।

ଏହାର ଅର୍ଥ ହେଉଛି ‘ଭାରତର ସାଧାରଣ ଲୋକ, ବିଶେଷକରି ଭାରତର ଯୁବଶକ୍ତି ପାଖରେ ଯେଉଁ ଶକ୍ତି ଓ ସାମର୍ଥ୍ୟ ଅଛି, ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୃଢ ଓ ଦୂରଦର୍ଶୀ ନେତୃତ୍ୱ ମାଧ୍ୟମରେ ତାହାର ପୂର୍ଣ୍ଣ ଉପଯୋଗ ହେଉଛି । ଆମର ଯୁବଶକ୍ତି ହିଁ, ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ଦିଗରେ ମୁଖ୍ୟ ଯୋଦ୍ଧା ଭାବେ ନିଜକୁ ସାମିଲ କରିଛନ୍ତି ।’ ଗତ ବାର ବର୍ଷରେ ମୋଦୀଜୀଙ୍କ ନେତୃତ୍ଵରେ, ଦେଶ ଅନେକ ସଫଳତା ହାସଲ କରିଛି। କିନ୍ତୁ, ଏକ ଉଲ୍ଲେଖନୀୟ ସଫଳତା ହେଉଛି ରେଡ୍‌ ଟେରର୍’ର ପରିସମାପ୍ତି । ବାର ବର୍ଷ ତଳେ ଦେଶର ପ୍ରାୟ ଏକ ଚତୁର୍ଥାଂଶ ଜିଲ୍ଲା ଏହି ନକ୍ସଲ ଓ ମାଓ ହିଂସାରେ କବଳିତ ଥିଲା।

କିନ୍ତୁ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ ସଠିକ୍ ମାର୍ଗଦର୍ଶନ ଏବଂ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଜୀଙ୍କ ଦକ୍ଷ ପରିଚାଳନା ଯୋଗୁଁ ଆଜି ରେଡ୍‌ ଟେରର୍ ଇତିହାସ ପାଲଟିଛି। ଏହି ପଦକ୍ଷେପର, ସୁଫଳର ଏକ ବଡ଼ ଅଂଶୀଦାର ହୋଇଛି, ଆମ ରାଜ୍ୟ ଓଡିଶା। କାରଣ, ଆମ ରାଜ୍ୟର ପ୍ରାୟ ଅଧା ଅଞ୍ଚଳ ଏହି ରେଡ୍‌ ଟେରର୍’ରେ ପ୍ରଭାବିତ ଥିଲା । ଗତ ମାର୍ଚ୍ଚ ୩୧ ତାରିଖରେ ଏହା ସମାପ୍ତ ହେବା ପରେ ସେହି ଜିଲ୍ଲା ଗୁଡିକରେ ବନ୍ଦ ହୋଇଥିବା ବିକାଶ କାର୍ଯ୍ୟ ତ୍ଵରାନ୍ଵିତ ହୋଇଛି ।

ବନ୍ଧୁଗଣ, ଗତ ଦୁଇ ବର୍ଷ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ସାଢେ ଚାରିକୋଟି ଜନସାଧାରଣଙ୍କ ଆଶୀର୍ବାଦରୁ ଆମ ସରକାର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟରତ। ଏଇ ଦୁଇ ବର୍ଷରେ ଆମ ସରକାର, ‘ସବ୍‍କା ସାଥ, ସବ୍‍କା ବିକାଶ, ସବ୍‍କା ବିଶ୍ବାସ ଓ ସବ୍‍କା ପ୍ରୟାସ’ ମନ୍ତ୍ରକୁ ପାଥେୟ କରି ସମୃଦ୍ଧ ଓଡିଶା ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ କାର୍ଯ୍ୟରତ। ସମୃଦ୍ଧ ଓଡିଶା ଓ ବିକଶିତ ଓଡ଼ିଶା ଗଠନର ସବୁଠାରୁ ବଡ ପାଥେୟ ହେଉଛନ୍ତି ଏହାର ନାଗରିକ। ଆମ ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ନାଗରିକ ହେଉଛନ୍ତି ଜନଜାତି ସମ୍ପ୍ରଦାୟର ଓ ପ୍ରାୟ ୧୬ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି। ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା ।

ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ହେଉଛନ୍ତି କୃଷକ, ମତ୍ସ୍ୟଜୀବୀ ଓ ପ୍ରାଣିପାଳକ। ଏହି ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ନ ହେଲେ, ସମୃଦ୍ଧ ଓଡିଶା କେବଳ ଏକ ପରିକଳ୍ପନାରେ ରହିଯିବ। ତେଣୁ, ଆମ ସରକାର ପ୍ରଥମ ଦିନରୁ ହିଁ ସମସ୍ତ ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିଆସୁଛନ୍ତି। ନାଗରିକଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ପ୍ରତ୍ଯେକ ସରକାରଙ୍କ କର୍ତ୍ତବ୍ୟ। ସ୍ଵାଧୀନତାର ଆଠ ଦଶନ୍ଧି ପରେ ମଧ୍ୟ ରାଜ୍ୟର ସବୁ ଗାଁ କୁ ସଡକ, ବିଜୁଳି ଓ ପାନୀୟ ଜଳ ଯୋଗାଣ ହୋଇ ନ ପାରିବା, ନିଶ୍ଚିତ ଭାବେ ଏକ ଦୁଃଖଦ ବିଷୟ।

ତେଣୁ, ଏହାକୁ ସୁଧାରିବା ପାଇଁ ଆମ ସରକାର ‘ମିଶନ ପାୱାର’ ଯୋଜନା ପ୍ରଣୟନ କରିଛନ୍ତି, ଯାହା ମାଧ୍ୟମରେ ଆସନ୍ତା ୨୦୨୭ ମସିହା ଶେଷ ସୁଦ୍ଧା, ସବୁ ଗାଁକୁ ଏହି ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜଣେ ସାଧାରଣ ଲୋକ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ହେଉଛି ସବୁଠାରୁ ବଡ ଆକାଂକ୍ଷା। କାରଣ ଗୋଟିଏ ପରିବାରର ଏକ ସିଂହ ଭାଗ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ ହୋଇଥାଏ। ଲୋକଙ୍କ ଏହି କଷ୍ଟକୁ ଲାଘବ କରିବା ପାଇଁ ଆମ ସରକାର ତାର ପ୍ରତିଶ୍ରୁତିକୁ ପାଳନ କରିଚାଲିଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ‘କେଜି ରୁ ପିଜି’ ଶିକ୍ଷାକୁ ସଂପୂର୍ଣ୍ଣ ଭାବେ ନିଃଶୁଳ୍କ କରିବା ହେଉଛି ଏହାର ସବୁଠାରୁ ବଡ ଉଦାହରଣ। ଅର୍ଥାତ୍, ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ତଥା ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନରେ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯାଇଛି।

ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ୨,୨୦୦ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଏଇ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆ ଯାଇଛି। ଆଗାମୀ ଦିନରେ ୪୫ ହଜାର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରଥମ ଥର ପାଇଁ ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ।

ପୂର୍ବରୁ ବିଦ୍ୟାଳୟ ଗୁଡ଼ିକରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିଲା। ଏହା ସହିତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ଆଜି ଏହି ପବିତ୍ର ଅବସରରେ ମୁଁ ଘୋଷଣା କରୁଛି।  ଉଚ୍ଚଶିକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ଉପାନ୍ତ ଜିଲ୍ଲାରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ସହିତ ୪ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ – ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତଥା ରାଜ୍ୟ ସରକାରଙ୍କ ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାର ମିଳିତ କାର୍ଯ୍ୟକାରିତା ଯୋଗୁଁ ରାଜ୍ୟର ୩ କୋଟି ୭୦ ଲକ୍ଷ ଲୋକ ଅର୍ଥାତ ୮୦ ପ୍ରତିଶତ ଲୋକଙ୍କ ପାଇଁ ଦେଶର ପ୍ରତିଷ୍ଠିତ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେବା, ଆଉ ସ୍ଵପ୍ନ ନୁହେଁ, ଏହା ବାସ୍ତବତାରେ ପରିଣତ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାଜପୁର, ତାଳଚେର ଓ କନ୍ଧମାଳ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ସହିତ ଆଉ ୪ଟି ନୂତନ ଓ ଆଧୁନିକ ମେଡିକାଲ କଲେଜ ଓ ୭ଟି ନର୍ସିଙ୍ଗ୍ କଲେଜ ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଏହା ସହିତ ରାଜ୍ୟରେ ୩ଟି ନୂତନ ଆୟୁର୍ବେଦିକ ଓ ୨ଟି ହୋମିଓପାଥିକ୍ ମେଡିକାଲ କଲେଜ ମଧ୍ୟ ଖୋଲାଯିବ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି ।

ପ୍ରିୟ ଭାଇ ଓ ଭଉଣୀମାନେ, ଆମ ପାଇଁ ଚାଷୀମାନେ କେବଳ କୃଷକ ନୁହନ୍ତି, ସେମାନେ ଆମ ପାଇଁ ଅନ୍ନଦାତା। ତାଙ୍କର ଆୟ ବୃଦ୍ଧି ନ ହେଲେ ରାଜ୍ୟର ଅର୍ଥନୀତି ସୁଦୃଢ ହୋଇ ପାରିବ ନାହିଁ।* ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୩୧୦୦ ଟଙ୍କାରେ ଧାନ କିଣା, ପି.ଏମ୍ କିଷାନ୍ ଓ ସି.ଏମ୍ କିଷାନ୍ ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କାର ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମତ୍ସ୍ୟଜୀବୀ ଓ ପ୍ରାଣିପାଳକ ମାନଙ୍କ ପାଇଁ ଯୋଜନା ଜରିଆରେ ପ୍ରତ୍ଯେକ କୃଷକ ପରିବାରର ଆୟରେ, ଆଖି ଦୃଶିଆ ଭାବେ ବୃଦ୍ଧି ହୋଇଛି। ଆଗାମୀ ଦିନରେ, ଏହା ଅଧିକ ବୃଦ୍ଧି କରିବାକୁ ଯାହାସବୁ ସମ୍ଭବ, ଆମ ସରକାର ତାହା ପୂରଣ କରିବା ପାଇଁ ବଦ୍ଧପରିକର ।

ବନ୍ଧୁଗଣ, ଏହି କିଛି ଦିନଧରି କୃଷକ ବନ୍ଧୁମାନଙ୍କର ଧାନକିଣା ପାଇଁ ପଞ୍ଜିକରଣରେ କିଛି ସମସ୍ୟା ରହୁଥିବାର ଖବର ଆସୁଛି। ଏ ସମସ୍ୟା ସମ୍ପର୍କରେ ସରକାର ବିଶଦ ଭାବେ ଆଲୋଚନା କରିଛନ୍ତି। ମୁଁ ଆମର ଚାଷୀ ଭାଇଭଉଣୀମାନଙ୍କୁ ଆଜି ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ, ଏଗ୍ରି-ଷ୍ଟାକ୍ ପଞ୍ଜିକରଣ ସହିତ ଧାନକିଣା ପାଇଁ ପି-ପାସ୍ ପଞ୍ଜିକରଣର କୌଣସି ସମ୍ପର୍କ ନାହିଁ। ଚାଷୀ ଭାଇମାନେ ତାଙ୍କର ଏଗ୍ରି-ଷ୍ଟାକ୍ ପଞ୍ଜିକରଣକୁ ନେଇ ଧାନବିକାରେ ସମସ୍ୟା ଆସିପାରେ ବୋଲି ଚିନ୍ତିତ ହେବା ଆବଶ୍ୟକ ନାହିଁ। ପ୍ରତିବର୍ଷ ଭଳି, ଏ ବର୍ଷ ମଧ୍ୟ ପି-ପାସ୍ ପଞ୍ଜିକରଣ କରାଯିବ ଏବଂ ସେହି ଆଧାରରେ ଧାନକିଣା କାର୍ଯ୍ୟକ୍ରମ ଚାଲିବ। 

ପ୍ରାକୃତିକ ବିପର୍ଯ୍ୟୟ ସମୟରେ, ଅନ୍ନଦାତାମାନେ ଅନେକ କ୍ଷତିର ସମ୍ମୁଖୀନ ହୋଇ ଥାଆନ୍ତି। ଆମ ସରକାର ଆସିବାର ପ୍ରଥମ ବର୍ଷରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଥିଲା। ଯଦିଓ, ଏଥିପାଇଁ କ୍ଷତିପୂରଣ ଦେବାକୁ ରିଲିଫ କୋଡ୍‌’ରେ ପ୍ରାବଧାନ ନ ଥିଲା, ଆମେ ସେଥିରେ ସଂଶୋଧନ କରି ଆବଶ୍ୟକ କ୍ଷତି ପୂରଣ ଯେତେଦୂର ସମ୍ଭବ ପ୍ରଦାନ କରିଥିଲୁ। ମୁଁ ନିଜେ ଏବଂ ମୋ କ୍ଯାବିନେଟ ସହଯୋଗୀମାନେ ବ୍ୟକ୍ତିଗତ ଭାବେ କ୍ଷେତ୍ର ପରିଦର୍ଶନ କରି ସହାୟତାକୁ ତ୍ଵରିତ କରିଥିଲେ। ଚଳିତ ବନ୍ୟାରେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ପୀଡିତ ତଥା ଚାଷୀଙ୍କୁ ୧୩୬ କୋଟି ଟଙ୍କାର ପ୍ରାରମ୍ଭିକ ସହାୟତା ପ୍ରଦାନ କରାଯାଇଛି ।

ଚୁଡାନ୍ତ ରିପୋର୍ଟ ଆସିବା ପରେ ଅଧିକ ସହାୟତା ପ୍ରଦାନ କରାଯିବ। ମୁଁ ଆଜିର ଏହି ପବିତ୍ର ଅବସରରେ କହିବାକୁ ଚାହେଁ ଯେ ଆପଣଙ୍କ ସରକାର ସବୁବେଳେ ଆପଣଙ୍କ ସହିତ ସୁଖ ଦୁଃଖରେ ଦୃଢ ଭାବେ ଛିଡା ହୋଇଛନ୍ତି। ଓଡିଶାର ଅଧା ଜନସଂଖ୍ୟା ହେଉଛନ୍ତି ମହିଳା। ଭାରତୀୟ ସଂସ୍କୃତି ଅନୁସାରେ, ମହିଳା ହେଉଛନ୍ତି ‘ନାରୀଶକ୍ତି’ର ପ୍ରତୀକ। କୁହାଯାଏ, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ’। ଅର୍ଥାତ, ଯେଉଁଠି ନାରୀଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଦେବତାମାନେ ବାସ କରନ୍ତି। ତାଙ୍କର ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ତେଣୁ, ଆମ ସରକାର ମହିଳାଙ୍କ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ।

ଅର୍ଥନୈତିକ ସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ସୁଭଦ୍ରା ଓ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଉଲ୍ଲେଖନୀୟ। ଏକ କୋଟିରୁ ଅଧିକ ସୁଭଦ୍ରା ହିତାଧିକାରୀ ଓ ୨୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଆଜି ବିଭିନ୍ନ ଛୋଟ ବଡ ବ୍ୟବସାୟ କରିବାକୁ ପୁଞ୍ଜି ନିବେଶ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ନୁହନ୍ତି। ସାମାଜିକ ସ୍ତରରେ ଆମ ସରକାର ମହିଳାଙ୍କ ସମ୍ମାନ ବୃଦ୍ଧି କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନା’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ପ୍ରଣୟନ କରିଛନ୍ତି। ସରକାରୀ ଖର୍ଚ୍ଚରେ ଗରିବ କନ୍ୟାଙ୍କ ବିବାହ ସମ୍ପନ୍ନ କରିବା ସହିତ କନ୍ୟା ସୁମଙ୍ଗଳ ଯୋଜନାରେ ପ୍ରତ୍ଯେକ ଝିଅ ସ୍ନାତକ ପରେ ଏକ ଲକ୍ଷ ଏକ ଟଙ୍କା ପାଇବେ । ଏହି ସବୁ ଯୋଜନା ଫଳରେ ଆଜି ଗରିବ ପରିବାରରେ ଜନ୍ମ ହେଉଥିବା ଝିଅ ପିତାମାତାଙ୍କ ପାଇଁ ‘ବୋଝ’ ନୁହେଁ, ବରଂ ‘ଆଶୀର୍ବାଦ’। 

ରାଜନୈତିକ ସ୍ତରରେ ମାନନୀୟ ମୋଦୀଜୀ ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ କରାଇଛନ୍ତି। ଯଦିଓ, କିଛି ସମୟ ପାଇଁ ଏହା ବାଧିତ ହୋଇଛି, ମୋର ପୂର୍ଣ୍ଣ ବିଶ୍ବାସ ଅଛି ଯେ, କେନ୍ଦ୍ର ସରକାର ଏହାର ସଂଶୋଧିତ ବିଧେୟକ ଆଗାମୀ ଦିନରେ ପାରିତ କରାଇ, ୨୦୨୯ ନିର୍ବାଚନଠାରୁ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ କରିବେ। ମୁଁ ଆଶା କରୁଛି, ମହିଳାମାନଙ୍କ ରାଜନୈତିକ ସଶକ୍ତିକରଣ ଦିଗରେ, ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିବ। ଆମ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ରାଜ୍ୟର ଅଧା ଜନସଂଖ୍ୟା ପାଇଁ, ଏହା ଆମର ପ୍ରତିବଦ୍ଧତା ।

ବନ୍ଧୁଗଣ, ମହାପ୍ରଭୁଙ୍କ ଅପାର କରୁଣାରୁ, ପ୍ରକୃତି ଆମ ରାଜ୍ୟକୁ ଅମାପ ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ ପ୍ରଦାନ କରିଛି। କିନ୍ତୁ, ଏତେ ପ୍ରାଚୁର୍ଯ୍ୟର ସଠିକ ବିନିଯୋଗ ଆଗରୁ କେବେ ବି, ହୋଇ ପାରି ନ ଥିଲା। କିନ୍ତୁ, ଆମ ସରକାର ଆସିବା ପରେ, ଏହାର ସଦୁପୋଯୋଗ କରିବାକୁ ପଦକ୍ଷେପ ନେଇଥିଲେ। କେବଳ ଖଣି ଏବଂ ଖଣିଜ ଦ୍ରବ୍ଯ ଆଧାରିତ ଶିଳ୍ପରୁ ଆଗକୁ ଯାଇ ଆଜି ଆମ ସରକାର ଟେକ୍ସଟାଇଲ, ଫାର୍ମାସିଉଟିକାଲ, ଖାଦ୍ଯ ପ୍ରକ୍ରିୟାକରଣ, ସେମି-କଣ୍ଡକ୍ଟର, Artificial Intelligence, ଟୁରିଜିମ, ଆଇଟି ଇତ୍ୟାଦି କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି।

ମୁଁ ଆଜିର ଏହି ପବିତ୍ର ମଞ୍ଚରୁ କହିବାକୁ ଚାହେଁ ଯେ, ଗତ ଦୁଇ ବର୍ଷରେ ଆମ ସରକାରଙ୍କ ଉଦ୍ୟମ ଫଳରେ ୨୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ବେଳେ ୧୦ ଲକ୍ଷ କୋଟି ଟଙ୍କାର ୪୫୩ ଗୋଟି ଶିଳ୍ପ ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁରୀ ଦେଇଛୁ। ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଆମେ ସାଢେ ତିନି ଲକ୍ଷ କୋଟି ଟଙ୍କାର ୧୫୨ଟି ପ୍ରକଳ୍ପର ଉଦ୍‌ଘାଟନ ତଥା ଶିଳାନ୍ୟାସ କରିସାରିଛୁ। ଏହା ଦ୍ୱାରା ୨ ଲକ୍ଷ ୫୦ ହଜାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଆଜି ଓଡିଶାରେ ଏକ ଦ୍ଵିତୀୟ ଶିଳ୍ପ ବିପ୍ଲବ ଚାଲିଛି। କେବଳ କିଛି ଜିଲ୍ଲା, ବା କିଛି ଅଞ୍ଚଳ ନୁହେଁ, ରାଜ୍ୟର ପ୍ରତ୍ଯେକ ଜିଲ୍ଲାରେ କିଛି ନା କିଛି ଶିଳ୍ପ ପ୍ରତିଷ୍ଠା ହୋଇଛି।

ଆମର ଏହି ପଦକ୍ଷେପ, ରାଜ୍ୟର ବହୁଦିନରୁ ଥିବା ଆଞ୍ଚଳିକ ବୈଷମ୍ୟତାକୁ ଦୂର କରିବ। ଆମର ଲକ୍ଷ୍ୟ ଓଡିଶା ମାଟିରେ ଏତେ ସଂଖ୍ୟକ ରୋଜଗାର ସୃଷ୍ଟି କରିବୁ ଯେ ସେମାନେ ଆଉ ଦୂର ଦୁରାନ୍ତକୁ କାମ ପାଇଁ ଯିବେ ନାହିଁ।  ଉଦାହରଣ ସ୍ୱରୂପ, ଦେଶର ପ୍ରମୁଖ ଟେକ୍ସଟାଇଲ ସେଣ୍ଟର ଯେପରିକି ସୁରଟ, ତିରୁପୁର, ବନାରସ, ଅହମଦାବାଦରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ଓଡିଆ କାରିଗର କାର୍ଯ୍ୟକରୁଛନ୍ତି। ଏବେ ଆମେ ଓଡିଶାରେ ଅନେକ ବୃହତ ଟେକ୍ସଟାଇଲ ଓ ଆପାରେଲ ୟୁନିଟ ନିର୍ମାଣ କରୁଛୁ, ଯାହା ଫଳରେ ଓଡିଶାର ପ୍ରତିଭାବାନ କାରିଗର, ବିଶେଷ ଭାବେ ମହିଳାମାନେ ନିଜ ରାଜ୍ୟରେ ରୋଜଗାର ପାଇବେ।

ଏହି ମଡେଲ ଅନ୍ୟ ସବୁ କ୍ଷେତ୍ର ପାଇଁ ମଧ୍ୟ ପ୍ରଯୁଜ୍ୟ।  ବର୍ତ୍ତମାନ ଶିଳ୍ପକ୍ଷେତ୍ରରେ ଯେଉଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି, ତାହା ଦ୍ୱାରା ରାଜ୍ୟରେ ରିଭର୍ସ-ମାଇଗ୍ରେସନ୍ ଆରମ୍ଭ ହେଲାଣି।  ଆମ ସରକାର ନିବେଶ ପାଇଁ ଏମିତି ଏକ ଇକୋ-ସିଷ୍ଟମର ନିର୍ମାଣ କରିଛି ଯେ, ଆଜି ଦେଶର ପ୍ରମୁଖ ଶିଳ୍ପପତିମାନେ ମଧ୍ୟ କହୁଛନ୍ତି, ଓଡିଶାରେ ନିବେଶ କରିବା ପାଇଁ ‘ୟହି ସମୟ ହେ, ସହି ସମୟ ହେ’, ଯାହା ମାନନୀୟ ପ୍ରଧାନମନ୍ତ୍ରୀଜୀ ଗତ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଳେଭ ସମୟରେ ଆହ୍ଵାନ ଦେଇଥିଲେ। ‘ଓଡ଼ିଶା ଉପରେ ଆଜି ନିବେଶକମାନଙ୍କ ଭରସା ବୃଦ୍ଧି ପାଇଛି ।’ ନୀତି ଆୟୋଗର ଇନ୍‌ଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬ରେ ଆମେ ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛୁ ।

ଯେ କୌଣସି ରାଜ୍ୟ କିମ୍ବା ଦେଶର ବିକାଶ ପାଇଁ ଭିତ୍ତିଭୂମି ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ ଆମର ଡବଲ ଇଞ୍ଜିନ ସରକାର’ର ବିକାଶ ମଡେଲରେ ଭିତ୍ତିଭୂମି ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଉଛି । ମୁଁ ରାଜ୍ୟବାସୀଙ୍କୁ କହିବାକୁ ଚାହେଁ ଯେ, ଭିତ୍ତିଭୂମି ନିର୍ମାଣ ପାଇଁ ଓଡିଶା ସାରା ଦେଶରେ ରାଜ୍ୟ ଜିଡିପିର ଆନୁପାତିକ ଭାବେ ସବୁଠାରୁ ଅଧିକ, ଅର୍ଥାତ୍ ୬.୫ ପ୍ରତିଶତ ଖର୍ଚ୍ଚ କରୁଛି। ଏହାର ଫଳ ସ୍ୱରୂପ ରାଜ୍ୟରେ ସଡକ, ସେତୁ, ବନ୍ଦର, ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସଫଳତାର ସହ ଜାରି ରହିଛି। କେନ୍ଦ୍ର ସରକାରଙ୍କ ସହାୟତାରେ ଏକ ଲକ୍ଷ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ ସହିତ ୫୯ ଗୋଟି ରେଳ ଷ୍ଟେସନର ଆଧୁନିକୀକରଣ,

୪୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ନିର୍ମାଣ ଓ ଉନ୍ନତିକରଣ, ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ, ୫ ହଜାର କୋଟି ଟଙ୍କାରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BKPPER) ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି । ‘ଏହି ସବୁ ପ୍ରକଳ୍ପ ଓଡିଶାର ଅର୍ଥନୈତିକ ଦଶା ଓ ଦିଶା ବଦଳାଇ ଦେବାର ସାମର୍ଥ୍ୟ ରଖିଛି।’ ରାଜ୍ୟ ସରକାର ମଧ୍ୟ ଓଡ଼ିଶାର ସବୁ ଅଞ୍ଚଳକୁ ଯୋଡ଼ିବା ପାଇଁ ୩ଟି ପ୍ରମୁଖ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି । ବ୍ରହ୍ମପୁରରୁ ଜୟପୁର, ପାରଳାଖେମୁଣ୍ଡିରୁ ଆମ୍ବାଭୋନା ପର୍ଯ୍ୟନ୍ତ ନମୋ ଏକ୍ସପ୍ରେସ ୱେ ଏବଂ ମୋଟୁ ଠାରୁ ତିରିଙ୍ଗି ପର୍ଯ୍ୟନ୍ତ ଅଟଳ ଏକ୍ସପ୍ରେସ ୱେ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ତିନୋଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩୧ ହଜାର କୋଟି ଟଙ୍କା ବିନିଯୋଗ କରିବେ।

ମୋର ପ୍ରିୟ ଯୁବ ବନ୍ଧୁଗଣ, ଆପଣମାନେ ହେଉଛନ୍ତି ଦେଶର ଭବିଷ୍ୟତ, ନୂତନ ଚିନ୍ତା ଓ ଚେତନାର ଉତ୍ସ। ଆପଣଙ୍କ ସାମର୍ଥ୍ୟ, ଶକ୍ତି ଏବଂ ସୃଜନଶୀଳତାରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ। ଆମ ସରକାର ଅବଗତ ଅଛନ୍ତି ଯେ, ଆଜିର ଯୁବ ସମାଜ ପାଇଁ ରୋଜଗାର ସୃଷ୍ଟି ଏକ ବଡ ଆହ୍ୱାନ। ତେଣୁ, ଏହି ପ୍ରସଙ୍ଗକୁ ସମାଧାନ କରିବା ପାଇଁ ଯୁବ ସମାଜର ଦକ୍ଷତାକୁ ବିକାଶ କରିବା ଅତ୍ୟନ୍ତ ଆବଶ୍ୟକ। କାରଣ ଆଗାମୀ ଏକ କି ଦୁଇ ବର୍ଷରେ ଅତି କମ୍’ରେ ୩ ଲକ୍ଷ, ଏବଂ ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ଆକର୍ଷଣୀୟ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି। ଏହି ସୁଯୋଗର ଲାଭ ଉଠାଇବା ପାଇଁ ଆମେ ରାଜ୍ୟର ଯୁବଗୋଷ୍ଠୀଙ୍କୁ ଶିଳ୍ପସଂସ୍ଥା ଗୁଡିକର ଆବଶ୍ୟକତା ଅନୁଯାୟୀ ଦକ୍ଷତାରେ ପ୍ରଶିକ୍ଷିତ କରିବାକୁ ପଦକ୍ଷେପ ନେଇଛୁ ।

ସେଥିପାଇଁ ଆମେ ଅତ୍ୟାଧୁନିକ ଓ ଆଗାମୀ ଦିନର ନିଯୁକ୍ତିକୁ ପ୍ରଭାବିତ କରୁଥିବା ସ୍କିଲ୍‌ ଟ୍ରେନିଙ୍ଗ୍ ଉପରେ ଗୁରୁତ୍ୱ ଆରୋପ କରୁଛୁ । ସିଙ୍ଗାପୁର ସହ ପାର୍ଟନରସିପ୍‌ରେ ଆମେ ୱାର୍ଲଡ୍‌ ସ୍କିଲ୍‌ ସେଣ୍ଟର’ରେ ଆମର ଯୁବବର୍ଗଙ୍କୁ ଦକ୍ଷତା ପ୍ରଦାନ କରୁଛୁ । ୱାର୍ଲଡ୍‌ ସ୍କିଲ୍‌ ସେଣ୍ଟର୍‌’ର ଆଉ ୩ଟି ନୂତନ କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି କରିଛୁ ।
ଆଜି ଓଡ଼ିଶାର ଦକ୍ଷତା ମଡେଲ ବେଷ୍ଟ ପ୍ରାକ୍ଟିସେସ୍ ସର୍ଭେରେ ଦେଶର ଅନ୍ୟତମ ଶ୍ରେଷ୍ଠ ମଡେଲ ଭାବରେ ପରିଗଣିତ ହୋଇଛି । ITI ଗୁଡ଼ିକର ଆଧୁନିକୀକରଣ ପାଇଁ ଉତ୍କର୍ଷ ITI ଯୋଜନା ଆରମ୍ଭ ହୋଇଥିବା ବେଳେ, ରାଜ୍ୟର ୨୫ଟି ITIରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ପ୍ରତିଷ୍ଠା କରାଯାଉଛି । ୧୩ଟି ITIରେ AI Lab ସ୍ଥାପନ କରାଯାଉଛି ।

ଦକ୍ଷତା କ୍ଷେତ୍ରରେ ଆମର ଉନ୍ନତ ପ୍ରଶିକ୍ଷଣ ଯୋଗୁ ଇଣ୍ଡିଆ ସ୍କିଲ୍‌ସ ୨୦୨୫-୨୬ ରେ ଓଡ଼ିଶା ଜାତୀୟ ଦକ୍ଷତା ଚମ୍ପିଆନ୍ ହେବା ସହିତ ବିଭିନ୍ନ ବର୍ଗରେ ଓଡ଼ିଶାର ଯୁବକମାନେ ୫୭ଟି ପଦକ ହାସଲ କରିଛନ୍ତି। ଏହା ଏକ ସାଧାରଣ ସଫଳତା ନୁହେଁ । ଏହା ହେଉଛି ଓଡ଼ିଶାର ଯୁବବର୍ଗର ଉଜ୍ଜ୍ୱଳ ଭବିଷ୍ୟତର ପ୍ରତୀକ ।  ଆଜି ମୁଁ ଏହି ପବିତ୍ର ମଞ୍ଚରୁ ଆପଣଙ୍କ ସହିତ କିଛି କଥା ହେବି। ଗତ କିଛି ଦିନ ଧରି ଦେଶର ଯୁବ ସମାଜକୁ ବିଭ୍ରାନ୍ତ କରିବା ପାଇଁ ଦେଶ ଭିତର ତଥା ଦେଶ ବାହାରର କିଛି ବାହ୍ୟଶକ୍ତି ଚେଷ୍ଟା କରୁଛନ୍ତି। କାରଣ, ସେମାନେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରଭାବେ ଦେଖିବାକୁ ଚାହୁଁ ନାହାନ୍ତି । 

ସେମାନେ ଭଲଭାବେ ଅବଗତ ଅଛନ୍ତି, ମାନନୀୟ ମୋଦୀଜୀ ତାଙ୍କ ଆଗରେ ମୁଣ୍ଡ ନୂଆଁଇବେ ନାହିଁ, ଦେଶର ହିତକୁ ନେଇ ତିଳେମାତ୍ର ସାଲିସ କରିବେ ନାହିଁ। ତେଣୁ, ସେମାନେ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରୁଛନ୍ତି।  ତାଙ୍କର ଏହି ପ୍ରୟାସ ଭଲଭାବେ ସାରା ଦେଶରେ ଏକ୍ସପୋଜ ହୋଇ ସାରିଲାଣି। କିନ୍ତୁ, ଆମ ଯୁବ ସମାଜ ଜାଣିଛନ୍ତି ଯେ,  ତାଙ୍କର ଯାହା ବି ସମସ୍ଯା ରହିଛି, ତାହା କେବଳ ମୋଦୀଜୀ ହିଁ ସମାଧାନ କରିପାରିବେ ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ସେ ଦିଗରେ ଆବଶ୍ୟକ ପଦକ୍ଷେପ ମଧ୍ୟ ନେଉଛନ୍ତି। ତେଣୁ, ଆପଣମାନେ କାହାଦ୍ବାରା ପ୍ରଭାବିତ ନ ହୋଇ ନିଜ ନିଜ କ୍ଯାରିୟର ପାଇଁ ଧ୍ୟାନ ଦିଅନ୍ତୁ, ଏହା ହିଁ ଆପଣମାନଙ୍କର ପ୍ରଥମ ପ୍ରାଥମିକତା ହେବା ଆବଶ୍ୟକ। 

ପ୍ରିୟ ଭାଇ ଓ ଭଉଣୀମାନେ, ଆମ ସରକାର ହେଉଛି ଲୋକଙ୍କ ସରକାର । ତେଣୁ, ସେମାନଙ୍କର ଜୀବନ ଜୀବିକା ତଥା ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଅନୁସୂଚିତ ଜାତି, ଜନଜାତି ତଥା ପଛୁଆ ବର୍ଗ ହେଉଛନ୍ତି ସମାଜର ଏକ ଅବହେଳିତ ବର୍ଗ। ତେଣୁ, ଚଳିତ ବର୍ଷ ଆମ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସାଧାରଣ ଶିକ୍ଷା ସହିତ ମେଡିକାଲ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ଜନସଂଖ୍ୟାର ଆନୁପାତିକ ଭାବେ ଆରକ୍ଷଣ ବ୍ୟବସ୍ଥା କରାଯାଇଛି। ସାମାଜିକ ଓ ଶିକ୍ଷାଗତ କ୍ଷେତ୍ରରେ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଯଥାର୍ଥ ଆରକ୍ଷଣ ବ୍ୟବସ୍ଥା କରିଛନ୍ତି ।

ଏହି ନିଷ୍ପତ୍ତି ଫଳରେ ଅଧିକ ସଂଖ୍ୟକ ପଛୁଆ ବର୍ଗର ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ସହିତ ବୈଷୟିକ ଶିକ୍ଷା ପ୍ରାପ୍ତ ହୋଇ ପାରିବେ। ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ବିଶିଷ୍ଟ ଜନଜାତିଙ୍କ କଲ୍ୟାଣ ପାଇଁ ଆମ ସରକାର ତତ୍ପରତାର ସହିତ କାର୍ଯ୍ୟ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ମୌଳିକ ସୁବିଧାରେ ସମ୍ପୂର୍ଣ୍ଣତା ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଧରତି ଆବା ଜନ ଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ପି.ଏମ୍ ଜନ୍‌ମନ୍‌ ଆଦି ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଡ୍ରପ ଆଉଟ ରୋକିବା ପାଇଁ ସହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ସହାୟତା ଦିଆ ଯାଉଛି। ଆଦିବାସୀ ଯୁବବର୍ଗର ଆର୍ଥିକ ଉନ୍ନତି ପାଇଁ ସେମାନଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଅଣୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସହାୟତା ଦିଆ ଯାଉଛି ।

ଆମ ସରକାରଙ୍କ ଏକ ପ୍ରମୁଖ ପ୍ରାଥମିକତା ହେଉଛି ଗରିବ କଲ୍ୟାଣ ଓ ସାମାଜିକ ସୁରକ୍ଷା। ଆର୍ଥିକ ଭାବେ ସ୍ୱଚ୍ଛଳ ନଥିବା ଲୋକଙ୍କୁ ଅନ୍ନଚିନ୍ତାରୁ ଦୂରରେ ରଖିବା ପାଇଁ କରୋନା ସମୟରୁ ବିନା ମୂଲ୍ୟରେ ୫ କେଜି ଲେଖାଏଁ ଚାଉଳ ଯୋଗାଇ ଦିଆଯାଉଛି। ଓଡ଼ିଶାରେ ଆମେ ରାଜ୍ୟର ୮୦ ପ୍ରତିଶତ ଲୋକଙ୍କୁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ରେ ଅତିରିକ୍ତ ୫ କେଜି ଚାଉଳ ବିନା ମୂଲ୍ୟରେ ଯୋଗାଇ ଦେଉଛୁ । ମଧୁବାବୁ ପେନସନ ଯୋଜନାରେ ଆଉ ୭ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ୍ କରି ରାଜ୍ୟର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଆମେ ପଦକ୍ଷେପ ନେଇଛୁ ।

ବନ୍ଧୁଗଣ, ସରକାର ଯେତେ ଯୋଜନା କରନ୍ତୁ ନା କାହିଁକି, ଯଦି ସୁଶାସନ ନ ଥିବ, ତାହା କାର୍ଯ୍ୟରେ ରୂପାନ୍ତରିତ ହୋଇ ପାରିବ ନାହିଁ। ସୁଶାସନର ଦୁଇଗୋଟି ମୁଖ୍ୟ ଦିଗ ହେଉଛି ଅଭିଯୋଗ ଶୁଣାଣି ଏବଂ ଦୁର୍ନୀତିର ମୂଳୋତ୍ପାଟନ। ବର୍ତ୍ତମାନ ସରକାର ଆପଣଙ୍କ ଦୁଆରକୁ ଯାଉଛନ୍ତି। । ଆମ ସରକାର ଆସିବା ଠାରୁ ବର୍ତ୍ତମାନ ମଧ୍ୟରେ ୧୮ଟି ପାଳିରେ ଆମେ ୧୫ ହଜାର ଲୋକଙ୍କ ଅଭିଯୋଗ ଶୁଣି ୯୬ ପ୍ରତିଶତ ସମାଧାନ କରିଛୁ । ଆମ ସରକାରଙ୍କ ନୀତି ଯୋଗୁଁ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଏବେ ରାଜ୍ୟସ୍ତରରୁ ବ୍ଲକ୍‌ ସ୍ତର ପର୍ଯ୍ୟନ୍ତ ନିୟମିତ ଭାବେ ଜାରି ରହିଛି ।

ଆମ ସରକାର ଆସିବା ଦିନରୁ ହିଁ ଘୋଷଣା କରିଛନ୍ତି ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା। ଆପଣମାନେ ଜାଣିଛନ୍ତି ପିଅନ ଠାରୁ ଆଇ.ଏ.ଏସ୍ ପର୍ଯ୍ୟନ୍ତ, ନୂଆ କରି ଚାକିରିରେ ଜଏନ୍ କରିଥିବା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅବସର ଦିନ ପର୍ଯ୍ୟନ୍ତ ଯେଉଁ ଅଧିକାରୀମାନେ ଦୁର୍ନୀତି କରୁଥିବେ, ତାଙ୍କ ପାଇଁ ନିସ୍ତାର ନାହିଁ। ସରକାରଙ୍କ ଦୁର୍ନୀତି ନିବାରଣ ପଦକ୍ଷେପ ଯୋଗୁଁ, ଦୁର୍ନୀତି ଅଭିଯୁକ୍ତଙ୍କ କ୍ଷେତ୍ରରେ ଦଣ୍ଡହାର ୫୦ ପ୍ରତିଶତରୁ ବି ଅଧିକ।  ମୁଁ ଆଜି ଏହି ମଞ୍ଚରୁ ଆହ୍ଵାନ ଦେଉଛି ଯେ, ସବୁ ସରକାରୀ ଅଧିକାରୀ ସ୍ଵଚ୍ଛ, ନିର୍ମଳ ଏବଂ ଦୁର୍ନୀତିମୁକ୍ତ ଭାବେ କାର୍ଯ୍ୟ କରନ୍ତୁ। ସରକାର ଆପଣଙ୍କ କାର୍ଯ୍ୟକଳାପ ବିଷୟରେ ସଂପୂର୍ଣ୍ଣ ସଚେତନ ଅଛନ୍ତି। 

ଆମେ ସମସ୍ତେ ଜାଣିଛୁ ଯେ ସରକାରୀ ଚାକିରି ସୀମିତ। ପ୍ରତ୍ଯେକଟି ପଦପଦବୀ ପାଇଁ ପ୍ରତିଯୋଗୀତା ବହୁତ ଅଧିକ। ତେଣୁ, ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ପାଇଁ ସର୍ବାଧିକ ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି । ତା ସହିତ, ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଯେଉଁ ସର୍ବାଧିକ ୬ଟି ସୁଯୋଗ ରହିଛି, ତାକୁ ଉଠାଇ ଦେବା ପାଇଁ ଆଜି ଏହି ପବିତ୍ର ଅବସରରେ ମୁଁ ଘୋଷଣା କରୁଛି। ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ ।  ସେହିପରି ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଅନୂକମ୍ପା ମୂଳକ ନିଯୁକ୍ତିରେ ଯେଉଁ କିଛି କଟକଣା ଥିଲା, ତାକୁ ମଧ୍ୟ କୋହଳ କରାଯାଇଛି। 

ସବୁ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଏବଂ ଦୁର୍ନୀତିମୁକ୍ତ ପରୀକ୍ଷା ପରିବେଶ ପ୍ରଦାନ କରିବା ପାଇଁ ମୁଁ ସମ୍ପୃକ୍ତ ଅଧିକାରୀ ଓ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦେଇଛି। ପରୀକ୍ଷାରେ ସାମାନ୍ୟତମ ତ୍ରୁଟି ବିଚ୍ୟୁତି ହେଲେ, ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛି। ଆମ ସରକାର ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତାକୁ ଏକ ଅକ୍ଷମଣୀୟ ଅପରାଧ ଭାବେ ବିଚାରକୁ ନେଇଛି । ଏହି ବାର୍ତ୍ତା ଉଭୟ ପରୀକ୍ଷା ମାଫିଆ ଏବଂ ପରୀକ୍ଷା କରାଉଥିବା ଅଧିକାରୀଙ୍କ ପାଖକୁ ସ୍ପଷ୍ଟ ଭାବେ ଯିବା ଉଚିତ୍ । 

ପ୍ରିୟ ଓଡିଶାବାସୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ‘ବିକାଶ ଭି, ବିରାସତ ଭି’ ଆହ୍ଵାନର ଫଳ ସ୍ୱରୂପ ବର୍ତ୍ତମାନ ଦେଶରେ ଏକ ସାଂସ୍କୃତିକ ରାଷ୍ଟ୍ରବାଦର ବହ୍ନି ସମସ୍ତ ଭାରତୀୟଙ୍କ ମନରେ ପ୍ରଜ୍ଜ୍ଵଳିତ ହୋଇଛି ।  ଏହାର ପ୍ରତିଫଳନ ଅଯୋଧ୍ୟା ରାମମନ୍ଦିର, ମହାକୁମ୍ଭ ଏବଂ କାଶୀ ବିଶ୍ଵନାଥ କରିଡରରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଗତ କିଛି ବର୍ଷ ହେଲା ଓଡିଶାରେ ବି ଓଡିଆ ଅସ୍ମିତାକୁ ନେଇ ଲୋକେ ଉଦ୍‌ବେଳିତ ହୋଇଥିଲେ । ଆମ ସରକାର ଆସିବା ପରେ ଲୋକଙ୍କ ଏହି ଭାବନାକୁ ସମ୍ମାନ ଦେଇ ଓଡିଆ ଅସ୍ମିତାକୁ ବଜାୟ ରଖିବାକୁ ଅନେକ ପଦକ୍ଷେପ ନେଇଛନ୍ତି ।

ଓଡିଶାର ପ୍ରମୁଖ ମଠ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ, ଓଡିଆ ଭାଷାକୁ ସରକାରୀ ସ୍ତରରେ ବହୁଳ ପ୍ରଚଳନ କରିବା, ରାଜ୍ୟ ସରକାରଙ୍କ ଓଡିଆ ଅସ୍ମିତା ପ୍ରତି ପ୍ରତିବଦ୍ଧତାର ପ୍ରମାଣ । କୋଟି କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ପ୍ରଥମ କ୍ଯାବିନେଟରେ ହିଁ ପଦକ୍ଷେପ ନେଇଥିଲେ। ଆଗାମୀ ଦିନରେ ପୁରୀକୁ ଏକ ବିଶ୍ଵସ୍ତରୀୟ ଆଧ୍ୟାତ୍ମିକ-ପର୍ଯ୍ୟଟନ ସ୍ଥଳ ଭାବେ ନିର୍ମାଣ କରିବା କାର୍ଯ୍ୟ ଆରମ୍ଭ ହୋଇ ସାରିଛି।

ଆମେ ସମସ୍ତେ ଗର୍ବିତ ଯେ, ଆମେ ହେଉଛୁ ଭାରତମାତାର ସନ୍ତାନ। ବନ୍ଦେ ମାତରମ୍’ର ଜୟଗାନ ଏହି ଭାବନାକୁ ପ୍ରତିଫଳିତ କରେ। ଏହି ଗୀତ, ସ୍ଵାଧୀନତା ଆନ୍ଦୋଳନ ସମୟରେ କୋଟି କୋଟି ସଂଗ୍ରାମୀଙ୍କୁ, ଏକତାର ସୂତ୍ରରେ ବାନ୍ଧିରଖିଥିଲା। ଏହି ଗୀତ ଗାଇ ବିପ୍ଳବୀମାନେ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ। ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ, ଆଜି ଲାଲକିଲ୍ଲାର ପ୍ରାଚୀରରୁ ବନ୍ଦେ ମାତରମ୍’ର ପ୍ରେରଣାଦାୟୀ ସଙ୍ଗୀତ ଦେଶବାସୀଙ୍କ ହୃଦୟରେ ଦେଶପ୍ରେମର ଆବେଗ ସୃଷ୍ଟି କରିଛି ।

ତେଣୁ ଆପଣମାନେ ବି, ଆଜି ଏହି ରାଷ୍ଟ୍ରଗୀତ ଗାନ କରନ୍ତୁ ଏବଂ ସ୍ଵାଧୀନତା ଓ ସ୍ଵାଭିମାନର ପ୍ରତୀକ ‘ତ୍ରିରଙ୍ଗା’କୁ ନିଜ ନିଜ ଘରେ ଉତ୍ତୋଳନ କରନ୍ତୁ ।  ଶେଷରେ, ଆଜି ଏହି ପବିତ୍ର ଦିନରେ ମୁଁ ସମସ୍ତଙ୍କୁ ଆହ୍ଵାନ ଜଣାଇବି, ଯେ ଆସନ୍ତୁ,  ଏକ ସମୃଦ୍ଧ, ସଶକ୍ତ, ସମାବେଶୀ ଓ ବିକଶିତ ଓଡିଶା ଗଠନ ପାଇଁ ଆମେ ପ୍ରତ୍ୟେକ ଓଡିଆ ପ୍ରତିବଦ୍ଧ ହେବା । ଆଗାମୀ ଦଶ ବର୍ଷ ହେବ ଓଡିଶାର ଦଶକ। ୨୦୩୬ ସୁଦ୍ଧା ନିର୍ମାଣ କରିବା ସମୃଦ୍ଧ ଓଡିଶା, ଏବଂ ୨୦୪୭ ସୁଦ୍ଧା ଗଢିବା ବିକଶିତ ଓଡ଼ିଶା ଓ ବିକଶିତ ଭାରତ । 

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

August 16, 2026
ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ

ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ

August 16, 2026
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

August 16, 2026
୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ

୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ

August 15, 2026

Recent News

ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

August 16, 2026
ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ

ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ

August 16, 2026
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

August 16, 2026
୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ

୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ

August 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

August 16, 2026
ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ

ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ

August 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version