ସ୍ୱାମୀଙ୍କ ପାଇଁ ମନ୍ଦିର ତୋଳିଲେ ସ୍ତ୍ରୀ

୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମୟୁରଭଞ୍ଜ :- ସ୍ୱାମୀ ଚାଲିଯିବା ପରେ, କୌଣସି ପତ୍ନୀ ତାଙ୍କ ଅନ୍ତିମ ଇଛା ପୂରଣ କରିବା ଆପଣ କୋଚିତ୍ ଦେଖିଥିବେ । କିନ୍ତୁ ମୟୁରଭଞ୍ଜ ଜିଲ୍ଲାର ଶ୍ୟାମାଖୁଂଟା ବ୍ଲକରେ ଦେଖିବାକୁ ମିଳିଛି ସେମିତି ଏକ ଦୃଶ୍ୟ । ମନ୍ଦିରର କାରୁକାର୍ଯ୍ୟକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଠୁ ଅଧିକ ଚର୍ଚ୍ଚା ଏହି ମନ୍ଦିର ନିର୍ମାଣ ପଛରେ ରହିଥିବା ସୁନ୍ଦର କାହାଣୀକୁ ନେଇ । ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଂଟା ବ୍ଲକର ପୋଡାଅସ୍ତିଆ ଗାଁର, ଏହି ରାମ ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ, ମା ସୀତା । ଆଉ ମନ୍ଦିରକୁ ଦେଖି ଖୁସି ହେଉଛନ୍ତି ସ୍ୱାମୀଙ୍କ ଇଛା ପୂରଣ କରିବାରେ ସଫଳ ହୋଇଥିବା ପତ୍ନୀ ବାସନ୍ତୀ । ୨୦୧୨ ମସିହାରେ ପ୍ରହଲ୍ାଦ ଘୋଷ ଓ ପତ୍ନୀ ବାସନ୍ତୀ ଘୋଷ ଆରମ୍ଭ କରିଥିଲେ ଏହି ରାମ ମନ୍ଦିର । ନିଜ ପୈତୃକ ଜମି ଉପରେ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ଘୋଷ ଦମ୍ପତି । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ୨୦୧୮ରେ ପ୍ରହ୍ଲାଦଙ୍କର ଅକାଳ ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁରେ ଭାଂଗି ପଡିଥିଲେ ପତ୍ନୀ ବାସନ୍ତୀ । ହେଲେ ସେ ହାର ମାନିନଥିଲେ । ସ୍ୱାମୀଙ୍କ ଇଛା ପୂରଣ ପାଇଁ ଲାଗି ପଡିଥିଲେ । ୨୦୨୧ରେ ପୁଣି ଆରମ୍ଭ କରିଥିଲେ ମନ୍ଦିର ନିର୍ମାଣ କାର୍ଯ୍ୟ । ଆଉ ଏବେ ସମ୍ପୂର୍ଣ୍ଣ କରିଛନ୍ତି ମନ୍ଦିର ନିର୍ମାଣ । ସ୍ୱାମୀଙ୍କ ମୃତ୍ୟୁ ପରେ ମନ୍ଦିର ନିର୍ମାଣ କରିବା ବାସନ୍ତୀଙ୍କ ପାଇଁ ଏତେ ସହଜ ନଥିଲା । କିନ୍ତୁ ସ୍ୱାମୀଙ୍କ ଇଛା ପୂରଣ କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ । ସ୍ୱାମୀଙ୍କ ଇଛା ପୂରଣ ପାଇଁ ଯାହା କିଛି ଜମିବାଡି ଥିଲା ସବୁ ବିକ୍ରି କରି ମନ୍ଦିର ନିର୍ମାଣରେ ଲଗାଇ ଦେଇଥିଲେ । ଆଉ ଶେଷରେ ବାସନ୍ତୀ ସ୍ୱାମୀଙ୍କ ଅନ୍ତିମ ଇଛା ପୂରଣ କରିବାରେ ସଫଳ ହୋଇଛନ୍ତି । ମନ୍ଦିର ନିର୍ମାଣ ଶେଷ ହେବା ପରେ ମନ୍ଦିର ପ୍ରତିଷ୍ଠା ହୋଇଛି । ନିଜ ଦିବଙ୍ଗତ ସ୍ୱାମୀଙ୍କ ଇଛା ପୂରଣ କରିବାରେ ସଫଳ ହୋଇଥିବାରୁ ଏହାହିଁ ତାଙ୍କର ସବୁଠାରୁ ବଡ ଲପଲବ୍ଧି ବୋଲି କହିଛନ୍ତି ବାସନ୍ତୀ .