‘ସ୍ପେସ୍‌ ଅନ୍‌ ହୁଇଲ୍‌’ ପ୍ରଦର୍ଶନୀ ଉଦ୍‌ଘାଟିତ

ଛାତ୍ରଛାତ୍ରୀମାନଙ୍କ ପାଇଁ ମହତ୍ତ୍ୱାକାଂକ୍ଷୀ ଉପାଦେୟ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ସିଧା-ପ୍ରସାରଣ ବ୍ୟବସ୍ଥା

୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅନ୍ତରୀକ୍ଷ ଉପଯୋଗ କେନ୍ଦ୍ର (ସାକ୍‌) ପକ୍ଷରୁ ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ ଶୃଙ୍ଖଳାରେ ଆଜି ସ୍ଥାନୀୟ କ୍ୟାପିଟାଲ୍‌ ହାଇସ୍କୁଲଠାରେ ‘ସ୍ପେସ୍‌ ଅନ୍‌ ହୁଇଲ୍‌’ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସଂପର୍କରେ ତଥ୍ୟ ପ୍ରଦାନ ଓ ଜ୍ଞାନ ଆହରଣ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଦର୍ଶନୀ ୫୦ ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବ । ମହାକାଶ ଗବେଷଣାର ଇତିହାସ, ମହାକାଶ ଯାତ୍ରା, ଉପଗ୍ରହକୁ ଅବସ୍ଥାପିତ କରୁଥିବା ଯାନ ଓ ଭବିଷ୍ୟତ ଯୋଜନା ଇତ୍ୟାଦି ସଂପର୍କରେ ବିଭିନ୍ନ ବିବରଣୀ ସନ୍ନିବିଷ୍ଟ ୧୮ଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନିତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ପ୍ରଦର୍ଶନୀ ଉଦ୍‌ଘାଟନ କରି ଏହା ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ସଂପର୍କିତ ଜିଜ୍ଞାସା ପୂରଣ ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ବିଜ୍ଞାନ ଓ କାରଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବ ବୋଲି କହିଛନ୍ତି । ସେ କହିଛନ୍ତି ଯେ ବିଜ୍ଞାନ ଓ କାରିଗରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ଏହି ତିନିଦିନିଆ ପ୍ରଦର୍ଶନୀରେ ସ୍ଥାନୀୟ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନେ ‘ଇସ୍ରୋ’ର କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇପାରିବେ ।

୭୦ ଦର୍ଶକରେ ବିଜ୍ଞାନ ଶିକ୍ଷା ନିମନ୍ତେ ରହିଥିବା ବିଭିନ୍ନ ପ୍ରତିବନ୍ଧକଗୁଡ଼ିକ ଦୂର ହୋଇ ଏବେ ସରକାରଙ୍କ ଦ୍ୱାରା ବିଜ୍ଞାନ ଶିକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ବୋଲି ଦର୍ଶାଇ ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶାର ପଠାଣୀ ସାମନ୍ତ ଓ ପ୍ରାଣକୃଷ୍ଣ ପରିଜାଙ୍କ ଭଳି ବିଜ୍ଞାନୀମାନଙ୍କ ନାମ ଉଲ୍ଲେଖ କରିବା ସହିତ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘କଳିଙ୍ଗ ପୁରସ୍କାର’ ସଂପର୍କରେ ଆଲୋକପାତ କରିଥିଲେ । ବିଜ୍ଞାନ ଓ କାରଗରୀ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସାଙ୍ଗକୁ ୮ଟି ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା ହେବାକୁ ଯାଉଛି । ଏହା ବ୍ୟତୀତ ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ସାଧିତ ହୋଇଛି । ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ।କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମଧ୍ୟ ବକ୍ତବ୍ୟ ରଖିଥିଲେ । ‘ଇସ୍ରୋ’ର ଗ୍ରୁପ୍‌ ଡାଇରେକଫର ଡ. ପରୁଲ୍‌ ପଟେଲ୍‌ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଦେଶରେ ବିଜ୍ଞାନର ଅଗ୍ରଗତି ଏବଂ ଜୀବନରେ ବିଜ୍ଞାନର ଉପଯୋଗିତା ନେଇ ବକ୍ତବ୍ୟ ରଖିବା ସହିତ ପ୍ରଦର୍ଶନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଯୋଗାଯୋଗ, ଶିକ୍ଷଣ, ଉଚ୍ଚତର ତାଲିମ ଓ ଗବେଷଣା କ୍ଷେତ୍ରରେ ‘ଇସ୍ରୋ’ ସମଗ୍ର ଦେଶରେ ପ୍ରଭାବୀ ଭୂମିକା ଗ୍ରହଣ କରିଛି ବୋଲି ଡ. ପଟେଲ୍‌ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏପରି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ସାମିଲ ହେବା ସହିତ ‘ଇସ୍ରୋ’ରୁ ଆସିଥିବା ବୈଜ୍ଞାନିକମାନଙ୍କଠାରୁ ପ୍ରଶ୍ନୋତ୍ତର କ୍ରମେ ସେମାନଙ୍କର ସନ୍ଦେହ ଦୂର କରିପାରିବେ ବୋଲି ଉଲ୍ଲେଖ କରିଥିଲେ । ଆସନ୍ତାକାଲି ରାଜ୍ୟର ୩୯୦୬ଟି ୫-‘ଟି’ ରୂପାନ୍ତରିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀକୁ ‘ୟୁ-ଟୁ୍ୟବ୍‌ ଲାଇଭ୍‌’ ମାଧ୍ୟମରେ ସିଧାପ୍ରସାରଣରେ ଦେଖିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପ୍ରକାଶ କରିଥିଲେ । ବରିଷ୍ଠ ବୈଜ୍ଞାନିକ ଶ୍ରୀ ଲକ୍ଷ୍ମୀନାରାୟଣ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ୱନାଥ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନକ ନେଇ ଛାତ୍ରୀମାନେ ଚମତ୍କାର ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ପ୍ରଦର୍ଶନୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିବସରେ ପ୍ରାୟ ୧୬୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ଏକ ହଜାରରୁ ଊଦ୍ଧ୍ୱର୍ ସାଧାରଣ ନାଗରିକର ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିଛନ୍ତି । ଆସନ୍ତାକାଲି ୧୩ ତାରିଖ ଦିନ ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୯.୩୦ରୁ ଅପରାହ ୪ଟା ଓ ୧୪ ତାରିଖ ଦିନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲାରହିବ । ୧୨ତାରିଖ ଦିନ ଏହି ପ୍ରଦର୍ଶନୀ ଅପରାହ ୪ଟାରୁ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଥିବାବେଳେ ୧୩ ତାରିଖ ଦିନ ମଧ୍ୟ ଏହି ସମୟରେ ଜନସାଧାରଣଙ୍କ ପାଇଁ ପ୍ରଦର୍ଶନୀ ଖୋଲାରହିବ ।