୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆଜି ସକାଳେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଭୁବନେଶ୍ୱରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମାନ୍ୟବର ରାଷ୍ଟ୍ରପତି ତାଙ୍କର ୨ ଦିନିଆ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ଆଜି ସକାଳୁ ରାଜଭବନରୁ ବାହାରି ନିର୍ଦ୍ଧାରିତ ସକାଳ ୯ଟା ୧୫ ମିନିଟ୍ ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ ଲିଙ୍ଗରାଜ ମନ୍ଦିର ଠାରେ ପହଁଚିଥିଲେ । ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଷ୍ଟ୍ରପତି ମହୋଦୟାଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।
ସିଂହଦ୍ୱାର ଠାରେ ରାଷ୍ଚ୍ରପତି ମହୋଦୟା ପହଁଚିବା ପରେ ସେଠାରେ ଉପସ୍ଥିତ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଶ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ମାନ୍ୟବର ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୁର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ପରେ ମାନ୍ୟବର ରାଷ୍ଟ୍ରପତି ପାରମ୍ପରିକ ପ୍ରଥା ଅନୁସାରେ ଚାଲି ଚାଲି ବିନ୍ଦୁ ସାଗରରେ ପାଦ ଧୌତ କରିଥିଲେ ।
ଉପସ୍ଥିତ ପୂଜକ ସେଠାରେ ମହାପ୍ରଭୁଙ୍କୁ ଜଳାଭିଷେକ ଓ କ୍ଷୀର ଅଭିଷେକ କରାଇଥିଲେ । ରାଷ୍ଟ୍ରପତି ମହୋଦୟା ବିଭିନ୍ନ ପ୍ରକାର ପୁଷ୍ପ, ବେଲପତ୍ର ଅର୍ପଣ ପୂର୍ବକ ଧୂପ,ଦ୍ୱୀପ ପ୍ରଜ୍ଜ୍ୱଳନ କରି ସେ ପୂଜାର୍ଚ୍ଚନା କରିବା ସହ ପୁଷ୍ପାଞ୍ଜଳି ଦେଇଥିଲେ । ପରେ ପରେ ମାନ୍ୟବର ରାଷ୍ଟ୍ରପତି ମନ୍ଦିର ବେଢା ପରିକ୍ରମା କରି ଦେବୀ ଅନ୍ନପୂର୍ଣ୍ଣା( ମା’ ପାର୍ବତୀ ମନ୍ଦିର) ଦର୍ଶନ କରି ସେଠାରେ କିଛି କ୍ଷଣ ବସିଥିଲେ । ପରେ ପରେ ମା’ ଭୁବନେଶ୍ୱରୀଙ୍କୁ ଦର୍ଶନ କରିଥିଲେ ଏବଂ ବୃଷଭ ଓ ଗରୁଡସ୍ତମ୍ଭ ନିକଟକୁ ଆସି ପ୍ରଣିପାତ କରିଥିଲେ ।
ମନ୍ଦିର ଦର୍ଶନ ସାରି ରାଷ୍ଟ୍ରପତି ମହୋଦୟା ମନ୍ଦିର ଦର୍ଶନ ପଂଜୀକରଣ ଖାତା( ଭି.ଭି.ଆଇ.ପି. ଭିଜିଟର ରେଜିଷ୍ଟର)ରେ ମନ୍ଦିର ଦର୍ଶନ ଅନୁଭୂତି ବିବରଣୀ ଲେଖିଥିଲେ । ଭିଜିଟର ରେଜିଷ୍ଟରରେ ମାନ୍ୟବର ରାଷ୍ଟ୍ରପତି ଲେଖିଛନ୍ତି, “ଆଜିଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରର ଶାନ୍ତ ଓ ସ୍ନିଗ୍ଧ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରି ମୁଁ ଦିବ୍ୟ ଆନନ୍ଦ ଲାଭ କରିଛି । ଦେଶବାସୀଙ୍କ ସୁଖ, ସମୃଦ୍ଧି ତଥା ବିଶ୍ୱକଲ୍ୟାଣ ପାଇଁ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି” । ରାଷ୍ଟ୍ରପତି ମହୋଦୟା ମନ୍ଦିରରୁ ବାହାରିବା ପରେ ବେରିକେଡ୍ ବାହାରେ ଥିବା ଛୋଟ ପିଲାଙ୍କୁ ଚକୋଲେଟ୍ ଦେଇ ସେମାନଙ୍କ ଅନୁରୋଧ କ୍ରମେ ତାଙ୍କ ସହିତ ଫଟୋ ଉଠାଇଥିଲେ ।
ଏପଟେ ରାଷ୍ଟ୍ରପତିଙ୍କ ସ୍ୱାଗତ ଉଦ୍ଦେଶ୍ୟରେ ମନ୍ଦିର ସମ୍ମୁଖ ବେରିକେଡ ବାହାରେ ପ୍ରାରମ୍ଭରୁ ଆଦିବାସୀ-ସାନ୍ତାଳୀ ନୃତ୍ୟ ଓ ବାଦ୍ୟ ପରିବେଷଣ ଜାରି ରହିଥିଲା । ମନ୍ଦିର ଦର୍ଶନ ପରେ ମାନ୍ୟବର ରାଷ୍ଟ୍ରପତି ସାନ୍ତାଳୀ ନୃତ୍ୟ ଓ ବାଦ୍ୟ ପରିବେଷଣ କରୁଥିବା ଏହି ଭାଇଭଉଣୀମାନଙ୍କ ନୃତ୍ୟ ଓ ବାଦ୍ୟ ଶୁଣି ଅତ୍ୟନ୍ତ ଭାବବିହ୍ୱଳ ହୋଇ ସେମାନଙ୍କୁ ବେରିକେଡ୍ ବାହାରେ ସାକ୍ଷାତ କରିଥିଲେ । ମାନ୍ୟବର ରାଷ୍ଟ୍ରପତି ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ ସମେତ ପୋଲିସ୍ ପ୍ରଶାସନର ସଂପୃକ୍ତ ପଦାଧିକାରୀ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ଶ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

© 2023 Odisha Taza News.