ପରିବାରରେ ଗୋଟେ ମାତ୍ର ପୁଅ କିନ୍ତୁ ଭାଗ୍ୟର ବିଡମ୍ବନା ସଡକ ଦୁର୍ଘଟଣାରେ ଭେଣ୍ଡିଆ ପୁଅଟିର ପ୍ରାଣ ଚାଲିଗଲା ।
ଦୁଃଖ କଷ୍ଟ ସହି ସହି ଦୁଇ ଭଉଣୀ ମାନସିକ ଭାରସାମ୍ୟ ହରେଇବାକୁ ବସିଲେଣି ।
୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଏନଏନଏସ,ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ସିଙ୍ଗେଶ୍ୱର ଗ୍ରାମପଞ୍ଚାୟତର କୁନ୍ତଳା ବଳିଆରସିଂଙ୍କ ପରିବାର ଏକ ଅସହାୟ ପରିବାର କହିଲେ ଭୁଲ ହେବନାହିଁ । ପରିବାର କହିଲେ ବୁଢ଼ୀ ମା ଟିଏ ଓ ଦୁଇ ଜଣ ଅବିବାହିତ ଝିଅ।ଦାରିଦ୍ର୍ୟତା ଯୋଗୁଁ ଝିଅ ଦୁଇଟି ବୟସ ଗଡ଼ିଗଲେ ମଧ୍ୟ ଏବେ ବି ଅବିବାହିତ ଅଛନ୍ତି । ପରିବାରରେ ଗୋଟେ ମାତ୍ର ପୁଅ କିନ୍ତୁ ଭାଗ୍ୟର ବିଡମ୍ବନା ସଡକ ଦୁର୍ଘଟଣାରେ ଭେଣ୍ଡିଆ ପୁଅଟିର ପ୍ରାଣ ଚାଲିଗଲା । ପୁଅକୁ ଝୁରି ଝୁରି ଘରର ମୁରବି ପିତା ଵିଷ୍ଣୁ ବଳିଆରସିଂ ମଧ୍ୟ ପରିବାରକୁ ଶୋକ ଶାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲେ ।ସେବେ ଠାରୁ ଦୁଃଖର ବାଦଲ ଛାଇଗଲା ଏହି ପରିବାର ଉପରେ ଘରର ଦୁଇ ରୋଜଗାରିଆ ବ୍ୟକ୍ତି ଚାଲିଗଲା ପରେ ଭାଇ ଓ ବାପାଙ୍କୁ ଝୁରି ଝୁରି ଦୁଇ ଭଉଣୀ ମାନସିକ ଭାବେ ଦୁର୍ବଳ ହୋଇଗଲେ ଆଉ ବୁଢ଼ୀ ମା ଟି ଆଖିରୁ ଲୁହ ଗଡେଇ କେବଳ ଭଗବାନଙ୍କ ଭରସାରେ ଦୁଇ ଅବିବାହିତ ଝିଅକୁ ନେଇ ଅଖିଆ ଅପିଆ ରେ ଘରେ ପଡିରହିଲେ । ଓଳିଏ ଖାଇଲେ ଓଳିଏ ଉପବାସ।ଭାତ ଥିଲେ ତରକାରୀ ନାହିଁ।ଘର କଥା କହିଲେ ନ ସରେ।ମାଟି କାନ୍ଥ ଘର। ଘର ଉପରେ ଜରିପାଲ ଭରସା।ବର୍ଷା ହେଲେ ଘରେ ଆଣ୍ଠୁଏ ପାଣି ।ଘର କହିଲେ ମାତ୍ର ଗୋଟିଏ ବୋଲି ବଖରା । ଯେଉଁଠି ଚୁଲି ସେଇଠି ଖିଆ ଓ ସେଇଠି ଶୁଆ ।ବର୍ଷା ହେଲେ ଘରେ ହୁଏ କାଦୁଅ ରାତି ହେଲେ ଘରେ ଦେଖାଯାଏ ଚନ୍ଦ୍ର ଓ ତାରା l ମୁଣ୍ଡରେ ତେଲ ନାହିଁ କି ଖାଇବାକୁ ଦାନା ନାହିଁ।ସ୍ୱାସ୍ଥ୍ୟ କଥା ନ କହିଲେ ଭଲ। ଚମ ଧୁଡୁ ଧୁଡୁ ଶରୀରକୁ ପୁଣି ନୁଖୁରା ମୁଣ୍ଡ।ସରକାରୀ ଯୋଜନାରେ କେବଳ ଚାଉଳ ଓ ଭତା ମିଳୁଛି ସତ କିନ୍ତୁ ଆଜିର ଏ ମହଙ୍ଗା ଯୁଗରେ ଏତିକିରେ ଚଳିବା କଷ୍ଟ ସାଧ୍ୟ ହେଇ ପଡୁଛି।ଏତେ ଦୁଃଖ କଷ୍ଟ ସହି ସହି ଦୁଇ ଭଉଣୀ ମାନସିକ ଭାରସାମ୍ୟ ହରେଇବାକୁ ବସିଲେଣି।
ତେଣୁ ଏ ଦୁଃଖୀ ପରିବାରକୁ ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସେବା ସଂସ୍ଥା ସହଯୋଗ ର ହାତ ବଢ଼େଇ ପାରିଲେ ଏମାନଙ୍କ ଦୁଃଖ ଦୂର ହୋଇପାରନ୍ତା ବୋଲି ସ୍ଥାନୀୟ ଗ୍ରାମବାସି ଦାବି କରିବା ସହ ପରିବାରର ମୁଖିଆ ବୁଢ଼ୀ ମାଁ ଆକୁଳ ହୋଇ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି l