୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ ସଦର :- କନ୍ଦରପୁର ଥାନା ଅନ୍ତର୍ଗତ ଅଗ୍ରଣୀ କଳା ଓ ସାମାଜିକ ଅନୁଷ୍ଠାନ ସରସ୍ଵତୀ କଳା ପରିଷଦର ୧୯ ତମ ପ୍ରତିଷ୍ଠା ଦିବସ ତଥା ପ୍ରତିଭା ସମ୍ମାନ ଉତ୍ସବ ସ୍ଥାନୀୟ ଉମାକାନ୍ତ ମଣ୍ଡପ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ତ୍ରିଦିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିବସର ପ୍ରଥମ ଅଧିବେଶନରେ ଉତ୍ସଵର ଉଦଘାଟକ ଭାବରେ ପରିବେଶବିତ୍ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା, ଆୟତପୁର ଗ୍ରା.ପ. ସରପଞ୍ଚ ରାଜେଶ ବେହେରା,ସମିତି ସଦସ୍ୟା ମାନସୀ ମଲ୍ଲିକ, କନ୍ଦରପୁର ଗ୍ରା.ପ. ସରପଞ୍ଚ ସୁଭାଷିନୀ ରାଉତ, ୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ମାହାଲି, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ଇଂ. ଅଶୋକ କୁମାର ବିଶ୍ବାଳ, ପିତାମ୍ବର ମହାପାତ୍ର, ନବଘନ ରାଉତ ଓ ନାଟ୍ୟକାର ବାମଦେବ ସ୍ୱାଇଁ ପ୍ରମୁଖ ଯୋଗଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ପ୍ରତିଭା ଶତପଥି ସଭାପତିତ୍ବ କରିଥିବାବେଳେ ସମ୍ପାଦକ ନାଟ୍ୟ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ ସ୍ଵାଗତ ସମ୍ବର୍ଦ୍ଧନା ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥି ପରିଚୟ ଓ ସଭା ପରିଚାଳନା ପ୍ରଭାତ ମଲ୍ଲିକ କରିଥିଲେ । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ଇଂ.ଶ୍ରୀକାନ୍ତ କୁମାର ବେଉରାଙ୍କ ସଂଯୋଜନାରେ ଦୈତାରି ପ୍ରଧାନ, ପ୍ରଲବ୍ୟ ମହାପାତ୍ର ଓ ଦୁର୍ଗା ପ୍ରସାଦ ପରିଡା ପ୍ରମୁଖ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଗୀତ,ନୃତ୍ୟ, କଳା,ଅଭିନୟ,ଗ୍ରୁପ୍ ଡ୍ୟାନସ୍ ,ବକ୍ତୃତା ଓ ପ୍ରବନ୍ଧ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପରିବେଶବିତ୍ ନବକିଶୋର ପଣ୍ଡାଙ୍କ ଜୀବନବ୍ୟାପୀ ପ୍ରକୃତି ସାଧନା ପାଇଁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା କରାଯିବା ସହ ବିଭନ୍ନ ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହିଭଳି କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ଅତିଥି ଭାବରେ ସାହିତ୍ୟକ ଓ ଗବେଷକ ପ୍ରମୋଦ ପଣ୍ଡା, ଶିକ୍ଷାବିତ୍ ଖଲିକୁଜ ଜମାନ ଖାନ,ସମାଜସେବୀ ଇଂ.ବସନ୍ତ ରାଉତ, କଳିଙ୍ଗ ଟିଭି କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଅୟସକାନ୍ତ ସ୍ୱାଇଁ ଓ ଅଭିନେତା ସମାଜସେବୀ କୃତିବାସ ମୁଣ୍ଡୁ ପ୍ରଭୃତି ଯୋଗଦେଇ ନିଜର ବହୁମୂଲ୍ୟ ସାମାଜିକ ବାର୍ତ୍ତା ଦେବା ସହ ଅନୁଷ୍ଠାନର ଦୀର୍ଘାୟୁ କାମନା କରିଥିଲେ ।