୬ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ସରକାରଙ୍କ ଦ୍ବାରା ଚାଲିଥିବା ବିଭିନ୍ନ ଟସର ପ୍ରକଳ୍ପରେ ନିୟୋଜିତ ଶ୍ରମିକ ଓ ଚାଷୀ ମାନଙ୍କ ବକେୟା ମଜୁରୀ ପ୍ରଦାନ ତଥା ଅନ୍ୟାନ୍ୟ ଦାବୀ ନେଇ ଆଜି ଗଜପତି ଜିଲ୍ଲା ସେରିକଲଚର ଓ୍ଵାର୍କରସ୍ ୟୁନିଅନ୍ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ୟୁନିଅନ୍ ସଭାପତି ଶ୍ରୀ କାରୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ଶତାଧିକ ଟସର ଚାଷୀ , ଟସର ସାଥି ଓ ଟସର ମିତ୍ର ଯୋଗ ଦେଇ ନିଜର ସମସ୍ୟାକୁ ଉପସ୍ଥାପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ କମିଟି ସମ୍ପାଦକ ଶ୍ରୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାରେ ଟସର ଚାଷ ଓ ତା ଉପରେ ନିର୍ଭରଶୀଳ ହଜାର ହଜାର ଚାଷୀ ଓ ଶ୍ରମିକଙ୍କ ସମସ୍ୟା ପ୍ରତି ସରକାରୀ ଅବହେଳାକୁ ଦୃଢ଼ ନିନ୍ଦା କରିଥିଲେ । ସରକାର ଜିଲ୍ଲାରେ ଟସର ଚାଷର ବିକାଶ ପାଇଁ ଅତିତରେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ , ତାକୁ ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ ।
ଏହି ଅବସରରେ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ଦିଆଯାଇ ସେଥିରେ ଟସର ସାଥି , ଟସର ମିତ୍ର ଓ ଅନ୍ୟ ଶ୍ରମିକଙ୍କ ବକେୟା ମଜୁରୀ ଓ ଦରମାକୁ ତୁରନ୍ତ ପ୍ରଦାନ କରିବା , ପୁରୁଣା ପ୍ରକଳ୍ପର ନବୀକରଣ ଓ ନୂଆ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ କରିବା , ଠିକ୍ ସମୟରେ ଟସର ଚାଷୀଙ୍କୁ ସାର ,ଚାରା , କୀଟନାଶକ ଔଷଧ ଓ ଟସର ପୋକର ଅଣ୍ଡା ଯୋଗାଇବା , ଟସର କୋଷାକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବାକୁ ଗୋଦାମର ବ୍ୟବସ୍ଥା କରିବା , ଜିଲ୍ଲାରେ ଟସର ସୂତା ତିଆରି ଶିଳ୍ପ ପ୍ରତିଷ୍ଠା କରିବା ପ୍ରଭୃତି ଦାଵୀ କରାଯାଇଥିଲା ।ୟୁନିଅନ୍ ପକ୍ଷରୁ ଶ୍ରୀ କାରୁକା ଶବର , ସୁଭଦ୍ରା କାର୍ଯ୍ୟୀ , ଇସୋମତୀ ଭୂୟାଁ , ରୁଷମା ଗମାଙ୍ଗ , ଗାମନିଏଲ୍ ଭୂୟାଁ ଓ ଏଆଇକେଏମଏସ: ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଟସର ଶ୍ରମିକ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ସମସ୍ୟାର ସମାଧାନ ପାଇଁ ଖୁବ ଶୀଘ୍ର ଜିଲ୍ଲା ପ୍ରଶାସନ ଙ୍କ ପକ୍ଷରୁ ଏ ସମ୍ପର୍କିତ ଏକ ବୈଠକ ଡକାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗଣ ଧାରଣା ସ୍ଥଗିତ ରହିଥିଲା ।