୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜର୍ଷି ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜନ୍ମ ଜୟନ୍ତୀରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ବିଧାନସଭା ସମ୍ମୁଖ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ‘ଲଙ୍ଗଳ ଯାହାର, ଜମି ତାହାର’ ସ୍ଲୋଗାନ ଦେଇ ସେଦିନ ନବକୃଷ୍ଣଙ୍କ ସମେତ ଭଗବତୀ ଚରଣ ଓ ପ୍ରାଣନାଥ ଆଜି ସମାଜବାଦୀ ନେତାମାନେ ୧୯୩୪ ମସିହାରେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ, ଭାଗଚାଷୀ ମାନଙ୍କୁ ଜମି ଦେବା ପାଇଁ ଆଜି ମଧ୍ୟ ତାହା ଅପୂରଣୀୟ ରହିଛି । ଚଳିତ ବିଧାନସଭାର ଭାଗଚାଷ ଆଇନ ପାଇଁ ପ୍ରସ୍ତାବ ପାରିତ ହେଲେ ତାହା ହିଁ ହେବ ନବକୃଷ୍ଣ ଚୌଧୁରୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏହି ମାଲ୍ୟାର୍ପଣ ଅବସରରେ ମତବ୍ୟକ୍ତ କରିଛନ୍ତି ।
ମାନ୍ୟବର ବିଧାୟକମାନଙ୍କୁ ଅନୁରୋଧ କରି ଶ୍ରୀ ବେହେରା କହିଛନ୍ତି ଯେ, ଓଡ଼ିଶାରେ କୃଷକମାନଙ୍କର ଆୟ ମାସିକ ୫୧୧୨ଟଙ୍କା । ବନ୍ୟା, ବାତ୍ୟା, ମରୁଡ଼ି ଭଳି ସମସ୍ୟାରେ ଓଡ଼ିଶାବାସୀ ସବୁବେଳେ ଘାଣ୍ଟି ହେଉଛନ୍ତି । ଫସଲ କ୍ଷତିଗ୍ରସ୍ତ ହେଲେ ଭାଗଚାଷୀମାନେ କୌଣସି କ୍ଷତିପୂରଣ ପାଉନାହାଁନ୍ତି । ବ୍ୟାଙ୍କ ଓ ସମବାୟ ସମିତିରୁ ଆଣିଥିବା ଋଣ ଶୁଝିନପାରି ଭାଗଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟର ୮୪ ଭାଗ କ୍ଷୁଦ୍ର, ମଧ୍ୟମ ଭାଗଚାଷୀମାନଙ୍କର ସ୍ୱାର୍ଥକୁ ଆଖିଆଗରେ ରଖି ରାଜ୍ୟ ସରକାର ଚଳିତ ବିଧାନସଭାରେ ଭାଗଚାଷ ଆଇନ ପ୍ରଣୀତ କଲେ ତାହା ନବକୃଷ୍ଣ ଚୌଧୁରୀଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସମାଜବାଦୀଯ ପାର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।














