ଦୀପାବଳି ସମୟରେ ସୁରକ୍ଷିତ ରୁହନ୍ତୁ

ଦୀପାବଳି ଆଲୋକ ଏବଂ ଖୁସିର ପର୍ବ, ବାଣ ଫୁଟାଇବାର ପର୍ବନୁହେଁ

ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ଭୁବନେଶ୍ୱର :-  ଦୀପାବଳି ଆଲୋକ ଏବଂ ଖୁସିର ପର୍ବ, ବାଣ ଫୁଟାଇବାର ପର୍ବନୁହେଁ । ତେଣୁ ଆସନ୍ତୁ ଆମ ଆଖପାଖରେ ଥିବା ଲୋକଙ୍କ ପ୍ରତି ଧ୍ୟାନ ଦେବା ଏବଂ ପରିବେଶ ପ୍ରତି ସଜାଗ ରହି ସୁରକ୍ଷିତ ଓ ସୁସ୍ଥ ଦୀପାବଳି ପାଳନ କରିବା । ପ୍ରତ୍ୟେକ ପିଲା ବାଣ ଫୁଟାଇବା ସମୟରେ ବୟସ୍କ ବ୍ୟକ୍ତି ତାହା ଉପରେ ନଜର ରଖିବା ଆବଶ୍ୟକ ଏବଂ ଅଗ୍ନିକାଣ୍ଡ ଜନିତ ଆଘାତ ଓ ଜଟିଳତାକୁ ଏଡ଼ାଇବା ପାଇଁ ଆମେ ସମସ୍ତେ ଉପଯୁକ୍ତ ସତର୍କତା ଅବଲମ୍ବନ କରାଯିବା ଉଚିତ୍ ବୋଲି କୁହନ୍ତି ଡକ୍ଟର ଶ୍ରୀକାନ୍ତ କୁମାର ସାହୁ, ଚକ୍ଷୁରୋଗ ବିଶେଷଜ୍ଞ, ମିଥୁ ତୁଳସୀ ଚନ୍ନରାଇ କ୍ୟାମ୍ପସ୍‌,ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌, ଭୁବନେଶ୍ୱର ।

ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌– ରୋଗୀଙ୍କ ପାଇଁ ଜରୁରୀକାଳୀନ ହେଲପଲାଇନ୍ ନମ୍ୱର-୦୬୭୪ ୨୬୫୩୦୦୫ / ୨୬୫୩୨୨୦ ଦୀପାବଳିରେ କଣ କରିବା ଉଚିତ୍ – କେବଳ ସ୍ୱୀକୃତିପ୍ରାପ୍ତ ବିକ୍ରେତାଙ୍କ ଠାରୁ ବାଣ କିଣନ୍ତୁ ଏବଂ ୨ ଦିନ ପାଇଁ ବାଣଗୁଡ଼ିକୁ ଖରାରେ ଶୁଖାନ୍ତୁ । ବାଣଗୁଡ଼ିକୁ ଏକ କାର୍ଡବୋର୍ଡରେ ଭର୍ତି କରି ପିଲାଙ୍କ ହାତପାଆନ୍ତାରୁ ଦୂରରେ ଗ୍ୟାସ୍ ସିଲିଣ୍ଡର କିମ୍ବା ଅଏଲ୍ କ୍ୟାନ୍ ପରି ଜ୍ୱଳନଶୀଳ ପଦାର୍ଥ ନଥିବା ସ୍ଥାନରେ ରଖନ୍ତୁ । ବାଣ ଫୁଟାଇବାକୁ ପିଲାମାନଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ । ବାଣ ଫୁଟାଇବା ସମୟରେ ସର୍ବଦା ସୁରକ୍ଷାମୂଳକ ଚଷମା ବ୍ୟବହାର କରନ୍ତୁ । କେବଳ ଜଣେ ବ୍ୟକ୍ତି ଏକ ସମୟରେ ବାଣ ଫୁଟାଇବା ଉଚିତ୍ ଅନ୍ୟମାନେ ନିରାପଦ ଦୂରତାରୁ ଏହାକୁ ଦେଖିବା ଉଚିତ୍ । ଖୋଲା ସ୍ଥାନରେ ହିଁ ବାଣ ଫୁଟାନ୍ତୁ ।

ବାଣରେ ଅଗ୍ନି ସଂଯୋଗ କରିବା ପାଇଁ ସର୍ବଦା ଏକ ଲମ୍ବା ମହମବତୀ କିମ୍ବା ଫୁଲଝରୀ ବ୍ୟବହାର କରନ୍ତୁ । ପାଖରେ ଦୁଇବାଲ୍ଟି ପାଣି ରଖନ୍ତୁ –ପୋଡ଼ି ଗଲେ, ପ୍ରଭାବିତ ସ୍ଥାନରେ ଯଥେଷ୍ଟ ମାତ୍ରାରେ ପାଣି ଢାଳନ୍ତୁ । ଆଘାତ ଲାଗିବା କ୍ଷେତ୍ରରେ ତୁରନ୍ତ ଡାକ୍ତରଖାନାକୁ ନିଅନ୍ତୁ । ନିଜେ ନିଜେ ଔଷଧ ସେବନ କରନ୍ତୁ ନାହିଁ । ବଡ଼ ଆକାରରେ ପୋଡ଼ାଜଳା ହୋଇଥିଲେ, ନିଆଁ ଲିଭାଇବା ପରେ, ପୀଡ଼ିତଙ୍କୁ ଏକ ସଫା ବେଡସିଟରେ ଘୋଡ଼ାଇ ଡାକ୍ତରଖାନାକୁ ନିଅନ୍ତୁ । ଦୀପାବଳିରେ କଣ କରିବା ଅନୁଚିତ୍‌- ହାତରେ ଗୁଡ଼ାଏ ବାଣ ଧରିଥିବା ବେଳେ ସେଥିରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ । ବାଣରେ ଅଗ୍ନିସଂଯୋଗ କରିବା ସମୟରେ ତାହାକୁ ନଇଁ ପଡ଼ି ଦେଖନ୍ତୁ ନାହିଁ ।

ବୋତଲ, ଟିଣ ପାତ୍ର କିମ୍ବା ଓଲଟି ପଡିଥିବା କୁଣ୍ଡରେ ବାଣ ଜଳାନ୍ତୁ ନାହିଁ – ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଅଗ୍ନି ସଂଯୋଗ କରିବା ପରେ ଫୁଟି ନ ଥିବା ବାଣ ପାଖକୁ ସଙ୍ଗେ ସଙ୍ଗେ ନ ଯାଇ କିଛି ସମୟ ଅପେକ୍ଷା କରନ୍ତୁ । ବଳକା ବାଣକୁ ସଂଗ୍ରହ କରି ନିଜେ ନୂଆ ବାଣ ତିଆରି କରନ୍ତୁ ନାହିଁ । ପକେଟରେ ବାଣ ରଖନ୍ତୁ ନାହିଁ । ଜଳନ୍ତା ମହମବତୀ, ଦୀପ କିମ୍ବା ଅଗରବତୀ ନିକଟରେ ବାଣ ରଖନ୍ତୁ ନାହିଁ । ବାଣ ଫୁଟାଇବା ସମୟରେ ସିନ୍େଥଟିକ୍ ପୋଷାକ କିମ୍ବା ଢିଲା ପୋଷାକ ପିନ୍ଧନ୍ତୁ ନାହିଁ – କେବଳ ମୋଟା ସୂତାର ପୋଷାକ ପିନ୍ଧନ୍ତୁ ଏବଂ ସମସ୍ତ ପୋଷାକକୁ ସଠିକ୍‌ ଭାବରେ ପିନ୍ଧିଥିବା ସୁନିଶ୍ଚିତ କରନ୍ତୁ । ଯଦି ପ୍ରବଳ ପବନ ହୁଏ ତେବେ ଉପରକୁ ଉଠୁଥିବା ଆତସବାଜିରେ ଅଗ୍ନିସଂଯୋଗ କରନ୍ତୁ ନାହିଁ । ଜଳିଯାଇଥିବା ସ୍ଥାନରେ କ୍ରିମ୍ କିମ୍ବା ମଲମ କିମ୍ବା ତେଲ ଲଗାନ୍ତୁ ନାହିଁ, ଏହା କରିବା ବଦଳରେ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଅନ୍ତୁ ।