ରାଇସିଂ ଘାଟିରେ ଘରୋଇ ବସ କାମଧେନୁ ଦୁର୍ଘଟଣାର ସମ୍ମୁଖିନ ; ୨୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଲେ

ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ବର ସୋମବାର ) ମୋହନା :- ରାଇସିଂ ଘାଟିରେ ଘରୋଇ ବସ କାମଧେନୁ ଦୁର୍ଘଟଣାର ସମ୍ମୁଖିନ ହୋଇଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ବି ବସରେ ଯାତ୍ରା କରୁଥିବା ୨୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରାୟଗଡା ଜିଲା ଆମ୍ବା ଦଳାରୁ ବ୍ରହ୍ମପୁର ଅଭିମୁଖେ ଘରୋଇ ବସ କାମଧେନୁ ବସ ଯୋଗେ ପ୍ରାୟ ୨୪ ଜଣ ଯାତ୍ରୀ ନିଜ ଘରକୁ ଫେରୁଥିଲେ । ବସଟି ରାତ୍ରୀ ପ୍ରାୟ ୩ଟା ବେଳେ କଣ୍ଚେଇକୋଳି ଗାଁ ନିକଟ ରାଇସିଂ ଛକ ନିକଟ ଘାଟି ଉଠୁଥିବା ବେଳେ ଚାଳକଙ୍କର ଆଖି ଲାଗିଯାଇଥିଲା ।

ଯାହାଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ବକୁ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଖବର ପାଇ ମୋହନା ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବସ ମଧ୍ୟରେ ଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଅଧିକାଂଶ ଯାତ୍ରୀ ଦିଗପହଣ୍ଡି ଓ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।