ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ଶୁକ୍ରବାର ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ବିଭାଗ ଅବହେଳିତ ଓ ଭଗ୍ନ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ତେବେ ରଣପୁର ଚିକିତ୍ସାଳୟର ପ୍ରସୂତୀ ବିଭାଗରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ମାଆ ଏବଂ ଜନ୍ମିତ ଶିଶୁ । ବିଭାଗର କୋଠରୀ ଗୁଡ଼ିକର କବାଟ ଭାଙ୍ଗି ଯାଇଥିବା ବେଳେ ଇଲେକ୍ଟିର ବ୍ୟବସ୍ଥା ଥିଲେ ମଧ୍ୟ ପଙ୍ଖା ବୁଲୁନଥିବା ଦେଖିବାକୁ ମିଳୁଛି । ଗରମ ରେ ଛଟପଟ ହେଉଛନ୍ତି ମା ଏବଂ ଶିଶୁ । ଦୀର୍ଘ ଦିନ ଧରି ଚିକିତ୍ସାଳୟରେ ସ୍ତ୍ରୀ ପ୍ରସୂତୀ ବିଭାଗର ଏଭଳି ଅବ୍ୟବସ୍ଥିତ ଢଙ୍ଗ ପାଇଁ ରୋଗୀ ଓ ରୋଗୀଙ୍କ ପରିବାର ଲୋକେ ହଇରାଣ ହନ୍ତ ସନ୍ତ ହେଉଥିବା ଅଭିଯୋଗ ହୋଇଛି ।
ପ୍ରସୂତୀ ସ୍ତ୍ରୀ ଓ ଛୁଆ ମାନେ ବିନା ପଙ୍ଖା ରେ ଜମ ଯନ୍ତ୍ରଣା ଭୋଗ କରୁଥିବା ବେଳେ ଡାକ୍ତରଙ୍କ ସରକାରୀ ସ୍ଥିତ ବାସଭବନରେ ଡାକ୍ତର ମାନେ ଏସି ର ମଜା ନେଉଥିବା ଦେଖା ଦେଇଛି । ତେବେ କିଛି ଦିନ ପୁର୍ବରୁ ଚିକିତ୍ସାଳୟ ର ବାହାର ପରିସରରେ ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଉପକରଣ ଗୁଡିକ ଲଗାଯାଇଥିବା ବେଳେ ଚିକିତ୍ସାଳୟ ଭିତରେ ରୋଗୀ ଦୁର୍ଦ୍ଦିନ ଅବସ୍ଥାରେ ପଡ଼ିରହିଛନ୍ତି । ଗତ କିଛି ଦିନ ତଳେ ଚିକିତ୍ସାଳୟରେ କାମ ହେବା ନେଇ ଆର୍ଥିକ ଅନୁଦାନ ଆସିଥିଲେ ହେଁ ପ୍ରସୂତୀ ବିଭାଗର କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରିନାହିଁ ।
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏଭଳି ଶୋଚନୀୟ ଅବସ୍ଥା କୁ ଦେଖି ନଦେଖିଲା ଭଳି ନୀରବ ଦ୍ରଷ୍ଟା ସାଜିିଛନ୍ତି ଇନଚାର୍ଜ ଅଫିସର । ଏଭଳି ସ୍ଥିତିରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନେ ବାରମ୍ୱାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦେଖାଦେଇଛି । ଏନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରାଯିବା ଅବହେଳିତ ଓ ଖାମଖିଆଲି ସ୍ବାସ୍ଥ୍ୟ ବ୍ୟବସ୍ଥା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବହୁ ଦିନ ଧରି ଦୃଷ୍ଟି ଆଢ଼ୁଆଳରେ ରଖିଥିବା ପ୍ରଶାସନ କେବେ ଏ ଦିଗରେ ଉଚ୍ଚିତ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।
















