ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା । ସମ୍ପାନର ପ୍ରାରମ୍ଭରେ ମୁଖ୍ୟ ଅତିଥି ତଥା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ କହିଥିଲେ ଡ. ହରେକୃଷ୍ଣ ମହତାବ ରାଜନୈତିକ କ୍ଷେତ୍ରରେ ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ । ଦେଶୀୟ ରାଜ୍ୟ ଗୁଡ଼ିକୁ ଏକତ୍ରିତ କରିବାରେ ତାଙ୍କର ଭୂମିକା ଅନନ୍ୟ । ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠାତା । ହିରାକୁଦର ବହୁମୁଖି ମାଟିବନ୍ଧ, ରାଉରକେଲା ଇସ୍ପାତ କାରଖାନା, ସାହିତ୍ୟ, ସାମାଜିକ ଏବଂ ସାମ୍ବାଦିକ କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ ।
ତାଙ୍କ ସମୟରେ ସମସ୍ତ ଏକାଡେମୀ ଗଠନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ବକ୍ତା ଡ. କୈଳାଶ ଚନ୍ଦ୍ର ଦାଶ କହିଥିଲେ ନବଉତ୍କଳର ନିର୍ମାତା, ଅସାଧାରଣ ରାଜନୀତିଜ୍ଞ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଜୀବନର ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ୱକାଳ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଜୀବନରେ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ । ସେ ଗାନ୍ଧିବାଦୀ ଆଦର୍ଶ ଓ କର୍ମପନ୍ଥାରେ ଉଦବୁଦ୍ଧ ହୋଇ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ପର୍ଯ୍ୟାୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୯୨୩ରେ ସେ ପ୍ରଜାତନ୍ତ୍ର ଖବର କାଗଜ ପ୍ରକାଶ କରି ସମ୍ବାଦ ଜଗତରେ ଆପଣାର ପରିଚିତି ଅଙ୍କନ କରିଥିଲେ । ୧୯୪୯ରୁ ପ୍ରଜାତନ୍ତ୍ର ଗଠନ କରି ଝଙ୍କାର ମାସିକ ସାହିତ୍ୟ ପତ୍ର ପ୍ରକାଶ କରି ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି କରିଥିଲେ ।
ଓଡ଼ିଶାର ସାଂସ୍କୃତିକ ଧାରାକୁ ସେ ପ୍ରବଳ ପ୍ରସାରିତ କରିଥିଲେ । ପରିଶେଷରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଡ. ହରେକୃଷ୍ଣ ମହତାବଙ୍କ ବିଷୟରେ ସମ୍ୟକ ସୂଚନା ଦେବା ସହ ଇତିହାସ, ଭାଷା, ସାହିତ୍ୟ କିପରି ସଂସ୍କୃତି ସହ ଓତଃପ୍ରୋତଃ ଭାବେ ଜଡିତ ଏବଂ ସଂସ୍କୃତିର ମୂଳ ମନ୍ତ୍ର ହେଉଛି ସତ୍ୟ ଏବଂ ଅହିଂସା ସେ ବିଷୟରେ ଅବତରଣା କରିଥିଲେ । ଡ. ହରେକୃଷ୍ଣ ମହତାବଙ୍କୁ ଉତ୍କଳ କେଶରୀ ଉପାଧି ଦିଆଯାଇ ଅଛି । ସେ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଏକ ଆଦର୍ଶବାଦୀ ନେତା । ତାଙ୍କ ସମୟ ଏକ ଗୌରବମୟ ଅଧ୍ୟାୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ମୁକ୍ତ ଆଲୋଚନା ହୋଇଥିଲା ଯେଉଁଥିରେ ଉପସ୍ଥିତ ଶ୍ରୋତାମଣ୍ଡଳୀ ମୁଖ୍ୟ ବକ୍ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ତାହାର ଉତ୍ତର ପାଇଥିଲେ ।
© 2023 Odisha Taza News.