ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ଖୋର୍ଦ୍ଧା-ଜଟଣୀ :- ଦୀର୍ଘ ଚାରିଦିନ ଧରି ପ୍ରଶାସନର ଆଢୁଆଳରେ ଥିବା ତିରିମଲ ତଳସାହି ଆଦିବାସୀ ବସ୍ତିର ବନ୍ୟା ଘେରରେ ଥିବା ଲୋକଙ୍କ ମୁହଁରେ ହସ ଫୁଟାଇଲା ପାଣ୍ଡବ ଜେନା ଫାଉଣ୍ଡେସନ । ପ୍ରକାଶ ଥାଉକି ଖୋର୍ଦ୍ଧାଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତିରିମଲ ଠାରେ ଅତିବାହିତ ରାଜୁଆ ନଦୀରେ ଘାଇ ହେବା ଦ୍ୱାରା ଅବିଭକ୍ତ ପୁରୀ ଜିଲ୍ଲାର ଜଟଣୀ,ଖୋର୍ଦ୍ଧା ଓ କଣାସ ବ୍ଲକର ଅନେକ ଗ୍ରାମ ଜଳମଗ୍ନ ହେବା ସହିତ ହେକ୍ଟର ହେକ୍ଟର ଚାଷଜମି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଅନେକ ଗାଁରେ ବନ୍ୟାପାଣି ପସିବାରେ ଲୋକମାନେ କିଏ ଛାତ ଉପରେ ତ’ଆଉକିଏ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ।
ହେଲେ ଏହି ତିରିମଲ ଆଦିବାସୀ ବସ୍ତିଟି ପ୍ରଶାସନର ସମ୍ପୂର୍ଣ୍ଣ ଆଢୁଆଳରେ ରହିଯାଇଥିବା ଦେଖାଯାଇଛି । ବସ୍ତିର ଚତୃ ପାର୍ଶ୍ୱରେ ପାଣି ଘେରି ରହିଥିବା ବେଳେ ରାସ୍ତାରେ ଚାରି ଫୁଟରୁ ଉପରେ ପାଣି ଚାଲୁଛି । ଫଳରେ ବସ୍ତିର ଏକାଧିକ ପରିବାର ପାଣି ଘେରରେ ଚାରିଦିନ ହେଲା ଭୋକ ଉପାସରେ ରହିଛନ୍ତି । ଏମାନଙ୍କ ନିକଟରେ ଏ ପର୍ଯ୍ୟନ୍ତ ପହଞ୍ଚିପାରିନି ପ୍ରଶାସନ । ଆଜି ଖବରପାଇ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପାଣ୍ଡବ ଜେନା ଫାଉଣ୍ଡେସନ”ର ଅଧ୍ୟକ୍ଷ ତଥା ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ଜେନା ବସ୍ତିରେ ପହଞ୍ଚି ଶୁଖିଲା ଖାଦ୍ୟ ଓ ପିଇବା ପାଣି ଯୋଗାଇ ଦେଇଥିଲେ ।
ବସ୍ତି ବାସିନ୍ଦା ମାନେ ପ୍ରଶାସନର ଅପହଞ୍ଚକୁ କଠୋର ଭାଷାରେ ନିନ୍ଦା କରିବା ସହିତ ଚାରିଦିନ ପରେ ବିପନ୍ନଙ୍କ ମୁହଁରେ ଦାନା,ପାଣି ଦେଇଥିବାରୁ କୋହଭରା କଣ୍ଠରେ ଶ୍ରୀ ଜେନାଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏସମ୍ପର୍କରେ ତିରିମଲ ସରପଞ୍ଚ ପ୍ରସନ୍ନ ଛୋଟରାୟ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପ୍ରଶାସନ ତରଫରୁ କିଛି ମିଳିନାହିଁ ଆମେ କିଛି ଚୂଡ଼ା,ଗୁଡ଼ ଓ ବିସ୍କୁଟ ଦେଇଛୁ ଏବଂ ଆଜି କିଛି ଚାଉଳ ଦେଇଛୁ । ହେଲେ ଜଟଣୀ ବ୍ଲକ ପ୍ରଶାସନ ତୁରନ୍ତ ବିପନ୍ନଙ୍କ ନିକଟରେ ପହଞ୍ଚି ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

© 2023 Odisha Taza News.