No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ଓଡ଼ିଶାର ପ୍ରଥମ ଦିବସ ଗସ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ମେ ଫେୟାର୍ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଇଣ୍ଡିଆନ୍ ଚ୍ୟାମ୍ବର ଅଫ କମର୍ସ ଓ ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ଶିକ୍ଷା ଉପରେ ଅଧାରିତ ଏକ ସମାବେଶରେ ଯୋଗଦେଇ କହିଛନ୍ତି ଯେ, ଆଜିର ସମୟରେ ମାନବିକ ମୂଲ୍ୟବୋଧର ଅବକ୍ଷୟ ଘଟିଛି । ଏହି ଅବକ୍ଷୟକୁ ନୂତନ ଶିକ୍ଷାନୀତି ଦୂର କରିପାରିବ ଓ ନୂତନ ଶିକ୍ଷାନୀତି ସମାଜକୁ ନୂତନ ଦିଗ୍ଦର୍ଶନ ଦେବ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରି ସମାଜର ସେବା କରିବା ପାଇଁ ପ୍ରେରଣା ଦେବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।
ନୂଆ ଶିକ୍ଷାନୀତି ଲାଗୁ ଫଳରେ ଛାତ୍ରାଛାତ୍ରୀମାନଙ୍କର ମାନବିକ ମୂଲ୍ୟବୋଧର ବିକାଶ ସଂଗେ ସଂଗେ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବ । ଦୀଘବର୍ଷ ପରେ ଶିକ୍ଷା କ୍ଷେତ୍ରରେ ଯେଉଁ ବିରାଟ ପରିବର୍ତ୍ତନ ହୋଇଛି ତାହା ସଂପୂର୍ଣ୍ଣ ଭାରତବର୍ଷର ଶିକ୍ଷାକ୍ଷେତ୍ରକୁ ବହୁତ ଆଗକୁ ନେବ ଓ ଛାତ୍ରଛାତ୍ରୀମାନଙ୍କର ଏକ ସୁନ୍ଦର ଉଜ୍ୱଳ ଭବିଷ୍ୟତ ନିର୍ମାଣ କରିବ । ନୂତନ ଶିକ୍ଷାନୀତିରେ ଅନ୍ୟାନ୍ୟ ଭାଷାରେ ଶିକ୍ଷା ଲାଭ କରିବାକୁ ଥିବା ବେଳେ ମାତୃଭାଷାକୁ ପ୍ରାଧାନ୍ୟ ଦେବା ଏହା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଯାହଫଳରେ ପିଲାଙ୍କର ମାତୃଭାଷା ପ୍ରୀତି ବଢ଼ିବା ସଂଗେ ସଂଗେ ଶିକ୍ଷା କରିବାରେ ସହଜ ଉପଲବ୍ଧ ହେବ ।
ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ବିଜ୍ଞାନ, କୃଷି, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଶିକ୍ଷାପ୍ରାପ୍ତ ହେଲାପରେ ସେମାନେ ଆତ୍ମନିର୍ଭର ହୋଇପାରିବେ । ଆତ୍ମନିିର୍ଭର ଭାରତ ନିର୍ମାଣ କରିବା ପାଇର୍ ନୂତନ ଶିକ୍ଷାନୀତି ସହାୟକ ହେବ ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି । ଆଜିର ସମୟରେ ମଣିଷ ମନରୁ ଧିରେ ଧିରେ ମାନବିକତା ହ୍ରାସ ପାଉଥିବା ବେଳେ ଆଜି ମାନିବିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଉପରେ ଏହି ସମାବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମୟୋଯୋଗୀ ହୋଇଛି । ମାନବିକ ମୂଲ୍ୟବୋଧ ଯେଉଁ ଶିକ୍ଷାରେ ନାହିଁ ସେ ଶିକ୍ଷା ଅସାର ବୋଲି କୁହାଯାଏ । ମହାମାରୀ କୋଭିଡ୍ ସମୟରେ ବିଶ୍ୱବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଗକୁ ଆସି ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରି ପ୍ରକୃତପକ୍ଷେ ମାନବିକ ମୂଲ୍ୟବୋଧର ପରିଚୟ ଦେଇଛନ୍ତି ।
ପରିଶେଷରେ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ମନରେ ମାନବିକ ମୂଲ୍ୟବୋଧର ବିକାଶ ଦିଗରେ ଗୁରୂତ୍ୱାରୋପ କରିଥିଲେ । ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରମୁଖ ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ତ୍ରିପାଠୀ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କିସ୍ ବିଶ୍ୱ ବିଦ୍ୟାଳୟର ଉପଦେଷ୍ଟା ଡ. ହରେକୃଷ୍ଣ ଶତପଥୀ, ହରିଆନା ସ୍ଥିତ ବି.ଆର୍. ଆମ୍ବେଦକର ଆଇନ୍ ବିଶ୍ୱବିଦ୍ୟାଳୟର କୁଳପତି ବିନୟ କାପୁର ମେହେରା , ହାଇଟ୍ସ୍ ନେଟ ଓା୍ୱର୍କ ବିଶ୍ୱବିଦ୍ୟାଳୟର ପ୍ରଫେସର ଦୁର୍ଗା ମିଶ୍ର , ଆଇ.ସି.ସି.ଓଡିଶା ଷ୍ଟେଟ୍ କାଉନସିଲର ଅଧ୍ୟକ୍ଷ ଶ୍ରୀ ଜେ.ବି.ପାଣି, ଆଇ.ସି.ସି ଉଚ୍ଚଶିକ୍ଷାର ଉପଦେଷ୍ଟା ଡ. ବଦ୍ରି ପଟ୍ଟନାୟକ, କନଭେନର ଡ. ଚିଦାତ୍ମିକା ଖଟୁଆ ପ୍ରମୁଖ ଯୋଗଦେଇ ସାଂପ୍ରତିକ ଶିକ୍ଷା ପଦ୍ଧତି, ଶିକ୍ଷାର ଭବିଷ୍ୟତ, ନୂତନ ଶିକ୍ଷା ନୀତି ଉପରେ ବିଭିନ୍ନ ମତବ୍ୟକ୍ତ କରିଥିଲେ । ରାଜଭବନ, ଆନ୍ଧ୍ର ପ୍ରଦେଶ
No Result
View All Result