ଓଡିଶା ତାଜା ନ୍ୟୁଜ୍ (୨୨ ମଇ, ଶୁକ୍ରବାର ) ହିଞ୍ଜିଳିକାଟୁ :- ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀଙ୍କୁ ରାଜ୍ୟ ସରକାର ନିଜ ଭିଟାମାଟିକୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି । ପ୍ରବାସୀ ମାନେ ଭିଟାମାଟିକୁ ଫେରିବା ପରେ ସେମାନଙ୍କୁ ବିଭିନ୍ନ ସଂଘରୋଧ କେନ୍ଦ୍ରରେ ଅବସ୍ଥାନ କରାଯିବା ସହ ସେମାନଙ୍କର ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରି ଆସୁଛନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ପାଳନ କରି ଆସୁଥିବା ସାବିତ୍ରୀ ବ୍ରତ ଏଭଳି ଦୁର୍ଦ୍ଦିନ ସମୟରେ ପାଳନ କରାଯାଉଥିବାରୁ ପ୍ରଶାସନ ପକ୍ଷରୁ ସଂଘରୋଧ କେନ୍ଦ୍ରରେ ଅବସ୍ଥାପିତ ମହିଳା ମାନେ ସାବିତ୍ରୀ ବ୍ରତ ଓ ପୂଜାର୍ଚ୍ଚନା କରିବା ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ୟତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ମହିଳା ମାନଙ୍କୁ ସାବିତ୍ରୀ ବ୍ରତ ପାଳନ କରିବା ସକାଶେ ସମସ୍ତ ବିଡ଼ିଓ ଓ ପୌର ପ୍ରଶାସନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହିକ୍ରମରେ ହିଞ୍ଜିଳିକାଟୁ ବ୍ଳକ ଖରିଡ଼ା ପଂଚାୟତରେ ସଙ୍ଗରୋଧ କେନ୍ଦ୍ରର ପ୍ରକଳ୍ପ ଅଧିକାରୀ ସୁଶାନ୍ତ କୁମାର ପାତ୍ର ବ୍ରତ ଓ ପୂଜାର୍ଚ୍ଚନା ସକାଶେ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରିଥିଲେ । କେନ୍ଦ୍ରରେ ଅବସ୍ଥାପିତ ଅନ୍ତେବାସୀ ମହିଳାଙ୍କୁ ନୂତନ ବସ୍ତ୍ର, ଶଙ୍ଖା, ସିନ୍ଦୁର, ଅଳତା, ପାଚିଲା ଫଳ ସମେତ ସାବିତ୍ରୀ ବ୍ରତ ସକାଶେ ଆବଶ୍ୟକୀୟ ସମସ୍ତ ପ୍ରକାର ବିଧି ମୁତାବକ ସାମଗ୍ରୀ ପ୍ରଦାନ କରାଯାଇଥିଲା । ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ସହ ସାମାଜିକ ଦୂରତ୍ୱ ରକ୍ଷା କରି ସାବିତ୍ରୀ ବ୍ରତ ସକାଶେ ପୂଜାର୍ଚ୍ଚନା କରାଯାଇଥିଲା ।
ସେହପରି ବୁରୁପୋଡ଼ା ପଂଚାୟତର ସଙ୍ଗରୋଧ କେନ୍ଦ୍ରରେ ମଧ୍ୟ ନୋଡ଼ାଲ ଅଧିକାରୀ ଇ.ଶଙ୍କର ରାଓ ଓ ରାଜସ୍ୱ ନିରୀକ୍ଷକ ସୁଧାଂଶୁ ପାଣିଗ୍ରାହୀଙ୍କ ମିଳିତ ସହଯୋଗରେ ମହା ଆଡ଼ମ୍ବର ସହକାରେ ସାବିତ୍ରୀ ବ୍ରତ ପାଳନ କରାଯାଇଥିଲା । ସ୍ଥାନୀୟ ବ୍ଳକର ୬୨ ଟି କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳନ କରାଯାଇଥିବା ବିଡ଼ିଓ ପ୍ରସନ କୁମାର ପାତ୍ର କହିଛନ୍ତି । ସେହିପରି ପୌରାଂଚଳର ୧୨ଟି କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳନ କରାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ସୁତ୍ରରୁ ପ୍ରକାଶ । ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପାତ୍ର ପ୍ରମୁଖ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଥିଲେ । (ରିପୋର୍ଟ – ଶେଷଦେବ ସାହୁ)
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com