ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନା ଠାରେ ୧ କୋଟି ଟଙ୍କାର ବ୍ୟୟରେ ନବ ନିର୍ମିତ ହିଲଟପ ସ୍ନାତକ ମହାବିଦ୍ୟାଳୟର ଆଦିବାସୀ ଛାତ୍ରୀନିବାସକୋଠାରୁ ଗଳୁଛି ପାଣି ପାଲଟିଛିଭୂତକୋଠି, ସରିସୃପଙ୍କ ଆଡାସ୍ଥଳୀ,କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଛାତ୍ରୀଛାତ୍ରଙ୍କ ବିକାଶ ତଥା ପାଠ ପଢ଼ା, ରହିବା, ଖାଇବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପ୍ରଶାସନିକ ଅବହେଳା ସଙ୍ଗକୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଦୁର୍ନିତୀ ମନୋଭାବ ଯୋଗୁଁ ସୁଫଳ ପାଇପାରୁ ନାହାଁନ୍ତି ଛାତ୍ରଛାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ନବନିର୍ମିତ ଛାତ୍ରୀ ନିବାସ କୋଠା ନିର୍ମାଣ କେଳେଙ୍କାରିରେ ।
ସୂଚନା ମୁତାବକ ଭୁବନେଶ୍ଵରର ଜଣେ ବିଶିଷ୍ଟ ଠିକାଦାର ୨୦୧୬ରେ ମହାବିଦ୍ୟାଳୟରେ ପାଠ ପଢୁଥିବା ୧୦୦ ଆସନ ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ କୋଠା ନିର୍ମାଣ ପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ୧ କୋଟି ଟଙ୍କାର କାର୍ଯ୍ୟାଦେଶ ପାଇ କାମ ଆରମ୍ଭ କରି ୨୦୧୮ରେ କାମ ଶେଷ କରିଥିଲେ । କାମ ସରିବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇପାରିନି। ନିମ୍ନମାନର କାମ ଯୋଗୁଁ ବର୍ତ୍ତମାନ ଛାତରୁ ପାଣି ଝରିବା ସହ କାନ୍ଥ ଫାଟି ଆଁ କଲାଣି । ହଷ୍ଟେଲର ସମ୍ମୁଖଭାଗ ପାଚେରୀ ପଡିଥିବା ବେଳେ ଅନ୍ୟ ପାର୍ଶ୍ଵରେ ପାଚେରୀ ନିର୍ମାଣ ହୋଇନି । ଯାହାଫଳରେ ପରିସର ଲଟାବୁଦାରେ ପରିପୂର୍ଣ୍ଣି ହେବା ସହ ସରୀସୃପଙ୍କ ଆଡ୍ଡ । ସ୍ଥଳୀ ପାଲଟିଛି । କୋଠା ନିର୍ମାଣ ହୋଇଛି କିନ୍ତୁ ଫଳକ ଲାଗିନି ।
ବିଦ୍ୟୁତ ସଂଯୋଗ ହୋଇପାରିନାହିଁ ବୋରୱେଲ ଖନନ ହୋଇଛି କିନ୍ତୁ ଗୃହ ମଧ୍ୟକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇନାହିଁ । ରୋଷେଇ ଘର ମଧ୍ୟ ନିର୍ମାଣ ହୋଇନି । ଗଜପତି ଜିଲ୍ଲାର ବୃହତ୍ତମ ବ୍ଳକ ତଥା ଓଡିଶାର ଦ୍ଵିତୀୟ ବୃହତ୍ତମ ବ୍ଳକ ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠି ପ୍ରାୟ ୮୦ ପ୍ରତିଶତ ଆଦିବାସୀ ବସବାସ କରନ୍ତି । ୨୦ରୁ ୩୦ କିମି ଦୂର ଦୂରାନ୍ତରରୁ ଗରୀବ ଶ୍ରେଣୀର କଲେଜ ପଢୁଆ ଛାତ୍ରଛାତ୍ରୀ ବହୁ କଷ୍ଟରେ ଆର୍ଥୀକ ଅନାଟନ ମଧ୍ୟରେ ଚାଲି କରି,ବସ ଓ ଅଟୋ ଯୋଗେ ପାଠ ପଢିବା ପାଇଁ ଆସନ୍ତି । ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେଲେ ଛାତ୍ରୀମାନେ ଉପକୃତ ହୋଇପାରନ୍ତେ ବୋଲି କିଛି ଛାତ୍ରୀ କହିଛନ୍ତି ।
ଏ ସଂପର୍କରେ ଯୁକ୍ତ ତିନି ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ହଷ୍ଟେଲ କାର୍ଯ୍ୟକ୍ଷମ ହେବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ପିଏଆଇଟିଡିଏ ଅଧିକାରୀ ଫାଲଗୁନି ମାଝୀ କହିଛନ୍ତି ଏ ସଂପର୍କରେ ଅବଗତ ହେବାପରେ ଯଥାଶୀଘ୍ର ଠିକାଦାରଙ୍କୁ କହି ବାକି ରହିଯାଇଥିବା କାମ ଓ ମରାମତି କରି ହଷ୍ଟେଲ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ।