No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁନ ରବିବାର/କଳାହାଣ୍ଡି :- ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ନେଇ ଯାଉଥିବା ଗାଡ଼ି ଗୋଦାମରୁ ସିଧା ସ୍କୁଲରେ ପହଞ୍ଚିବା କଥା । ହେଲେ ତାହା ଅଧାବାଟରେ ଅଟକୁଛି । କେବଳ ଅଟକି ରହୁନାହିଁ ଅପରନ୍ତୁ ବିଭିନ୍ନ ବିଦ୍ୟାଳୟରେ ଅସ୍ଥାୟୀ ଗୋଦାମ କରି ଚାଉଳକୁ ଗଚ୍ଛିତ କରି ରଖାଯାଉଛି । ଏମିତିକି ସ୍କୁଲରେ ପହଞ୍ଚିବା ପାଇଁ ଅନେକ ଦିନ ଲାଗିଯାଉଛି । ଗୋଟିଏ କି ଦୁଇଟି ସ୍କୁଲରେ ନୁହେଁ ନର୍ଲା ବ୍ଲକର ଅଧିକାଂଶ ସ୍କୁଲ କ୍ଷେତ୍ରରେ ଏହିଭଳି ଘଟଣା ଘଟୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କାହାରି ମଧ୍ୟ ଆନ୍ତରିକତା ଦେଖାଯାଉନାହିଁ । ତେବେ, କାହିଁକି ଓ କେଉଁ ପରିପ୍ରେକ୍ଷୀରେ ମଧ୍ୟାହ୍ନ ଭୋଜନ ଚାଉଳ ନେଇ ଯାଉଥିବା ଗାଡ଼ି ଗୁଡ଼ିକ ଡି ଏସ ସି ଗୋଦାମରୁ ସିଧାସଳଖ ସ୍କୁଲରେ ପହଞ୍ଚୁ ନାହିଁ ? କାହିଁକି କୁନିକୁନି ପିଲାଙ୍କ ଭାତଥାଳିକୁ ଲୁଟ କରାଯାଉଛି ତାହା ଏବେ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି ।
ମଧ୍ୟାହ୍ନ ଭୋଜନ ଚାଉଳ ପରିବହନ ପାଇଁ ଟ୍ରାନ୍ସପୋର୍ଟିଙ୍ଗ ଠିକାଦାରଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କର ସ୍ଵତନ୍ତ୍ର କ୍ଷମତା ରହିଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସମେତ ଆଉ କିଛି ବ୍ଲକର ମଧ୍ୟାହ୍ନ ଭୋଜନ ଚାଉଳ ପରିବହନ ପାଇଁ ଜିଲ୍ଲାପାଳ କଟକ ସ୍ଥିତ “ମାଁ ତାରିଣୀ ସପ୍ଲାୟର୍ସ”କୁ ଠିକାଦାର ନିଯୁକ୍ତ କରିଛନ୍ତି । ଦଶନ୍ଧି ଧରି ଉକ୍ତ ସଂସ୍ଥାକୁ ନିଯୁକ୍ତ କରାଯାଇଥିବା ବେଳେ ଉକ୍ତ ସଂସ୍ଥାର ଚୁକ୍ତି ବହୁ ପୂର୍ବରୁ ପୁରଣ ହୋଇସାରିଛି । ଅବଧି ଶେଷ ହେବା ପରେ ଗତ ୨୦୧୮ ଜୁଲାଇ ମାସରେ ନୂତନ ଠିକାଦାର ନିଯୁକ୍ତି ପାଇଁ ବିଜ୍ଞପ୍ତି (ଟେଣ୍ଡର) ଜାରି କରାଯାଇଥିଲା । ହେଲେ କୈାଣସି କାରଣରୁ ସେ ସମୟରେ ଯଥେଷ୍ଟ ବିଡର୍ ଆବେଦନ କଲେନାହିଁ । ସେହି ଦିନଠାରୁ ପରବର୍ତ୍ତୀ ସମୟରେ ଆଉ ଟେଣ୍ଡର ଆହ୍ବାନ ନକରି ସେହି ପୁରୁଣା ସଂସ୍ଥା (ମାଁ ତାରିଣୀ ସପ୍ଲାୟର୍ସ,କଟକ) ସହ ଚୁକ୍ତି ନବିକରଣ କରାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲା ଟେଣ୍ଡର କମିଟି ଓ ଡି ଇ ଓ-ଡି ପି ଏମ୍ ୟୁ (ଏମ୍ ଡି ଏମ୍) ତଥା ଠିକାଦାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ କୈାଣସି ପରିସ୍ଥିତିରେ ମଧ୍ୟ ଡି ଏସ୍ ସି ଗୋଦାମରୁ ଚାଉଳ ଉଠାଣ ପରେ ବାଟରେ ରହିପାରିବ ନାହିଁ । ସିଧାସଳଖ ସ୍କୁଲରେ ପହଞ୍ଚିବ ।
ସ୍କୁଲ କେନ୍ଦ୍ରରେ ସ୍କୁଲ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ଚାଉଳ ଓଜନ ହିସାବରେ ଦିଆଯିବ । ଏବଂ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଠାରୁ ପ୍ରାପ୍ତି ସ୍ଵୀକାରୋକ୍ତି ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରେ ଜମା କରିବ । ସ୍ଵୀକୃତିପ୍ରାପ୍ତ ଠିକାଦାର ଏହି କାମ ପାଇଁ ସବ୍-କଣ୍ଟ୍ରାକ୍ଟର ନିଯୁକ୍ତ କରିପାରିବେ ନାହିଁ । କିନ୍ତୁ ନର୍ଲା ବ୍ଲକରେ ରୁପ୍ରାରୋଡର ଜନୈକ ଯୁବକ ମନୀଷ ଶର୍ମା(ଗୋଲୁ)ଙ୍କୁ ସବ୍-କଣ୍ଟ୍ରାକ୍ଟର୍ ଭାବରେ ଚାଉଳ ବଣ୍ଟନ କରୁଥିବା ଜଣାପଡିଛି।କୈଣସି ସ୍ଥିତିରେ ମଧ୍ୟ ଠିକାଦାରଙ୍କ ଦ୍ବାରା ଏହି ଚୁକ୍ତିର ଖିଲାପ ହେଲେ ଆଇ ପି ସି/ଇ ସି ଏ/ଏନ୍ ଏଫ୍ ଏସ୍ ଏ ୨୦୧୩/ଓ ଏମ୍ ଡି ଏମ୍ ରୁଲ୍ସ ୨୦୧୬/ଓ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଦ୍ୱାରା ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ (ଏମ୍ ଡି ଏମ୍) ମାମଲା ରୁଜୁ କରି ଦଣ୍ଡିତ କରିପାରିବେ। ବିଦ୍ୟାଳୟ ମାନଙ୍କରେ ଚାଉଳ ଓଜନରେ ନଦେଇ କୋଡିଏ ରୁ ତିରିଶି କେଜି ପ୍ରତି କ୍ଵିଣ୍ଟାଲକୁ କମ୍ ଦିଆଯାଉଛି । ଚାଉଳ ଉଠାଣ ପରେ ବାଟରେ ଗୋଦାମରେ ଚାଉଳ ଗଚ୍ଛିତ କରି ରଖାଯାଉଛି । ବାର୍ଷିକ ଆଠ ଶହ କ୍ଵିଣ୍ଟାଲରୁ ଅଧିକ ଚାଉଳ ଲୁଟ୍ ହେଉଛି ।
ଚୁକ୍ତିରେ ଖିଲାପ କରି ଗାଇଡ ଲାଇନକୁ ମୋଡିମକଚି ବାଟମାରଣା ପାଇଁ ଅନୁକୂଳ ପରିବେଶ ତିଆରି କରାଯାଉଛି। କେଉଁ କାରଣରୁ ଚାରି ବର୍ଷ ହେଲା ଟେଣ୍ଡର କରାଯାଇନାହିଁ ତାହାର ଉତ୍ତର କାହା ପାଖରେ ନାହିଁ। ଅନେକ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ ସଂଘ, ଅଭିଭାବକ ସଂଘ ଆଦି ଏନେଇ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। କିନ୍ତୁ ପରିତାପର ବିଷୟ ଏସବୁ ଅଭିଯୋଗକୁ କେହି ଗୁରୁତର ସହ ଗ୍ରହଣ କରିନାହାଁନ୍ତି। ଛୋଟ ଛୋଟ ପିଲାଙ୍କ ଖାଦ୍ୟ ଲୁଟ କରି ଆସୁଥିବା ଠିକାଦାର ଏବଂ ତା’କୁ ସୁରକ୍ଷା ଯୋଗାଇ ଆସୁଥିବା ଅଧିକାରୀଙ୍କ ଯୋଗୁଁ ଏକ ଶିଶୁ କଲ୍ୟାଣକାରୀ ଯୋଜନାର ବିଫଳତା ଯୋଗୁଁ ଛୋଟ ଛୋଟ ପିଲାଙ୍କର ତ କ୍ଷତି ହେଉଛି ତା ସହ ସାଧାରଣରେ ସରକାରଙ୍କ ଯୋଜନା ତଥା ସରକାର ନିନ୍ଦିତ ହେଉଛନ୍ତି। ଜିଲ୍ଲାପାଳ ଏହି ଯୋଜନାର ଜିଲ୍ଲା ଅଧ୍ୟକ୍ଷ ଅଟନ୍ତି ଓ ଏହାର ତଦନ୍ତ ପାଇଁ ମାମଲା ଭିଜିଲାନ୍ସକୁ ହସ୍ତାନ୍ତର କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।
No Result
View All Result