୧ ଜଣ ଶିକ୍ଷକ ଓ ୧ ଜଣ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ
ଓଡ଼ିଶା ତାଜା ନ୍ୟୁଜ୍ /୨୮ ମଇ ଶନିବାର/ରଣପୁର :- ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ବିଦ୍ୟାଳୟଗୁଡିକର ସ୍ଥିତି ପରଖିବା ପାଇଁ ଆଜି ଅଚାନକ ଭାବେ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ଜଣାଯାଇଛି । ବିଦ୍ୟାଳୟଗୁଡିକରେ ଠିକ୍ ଭାବେ ପାଠ ପଢା ହେଉଛି କି ନାହିଁ, ମଧ୍ୟାହ୍ନ ଭୋଜନ ସଠିକ ଭାବେ କରାଯାଉଛି କି ନାହିଁ, ଶିକ୍ଷକ ଶିକ୍ଷୟତ୍ରୀ ଠିକ୍ ସମୟରେ ବିଦ୍ୟାଳୟକୁ ଆସୁଛନ୍ତି କି ନାହିଁ ଏ ସବୁର ସ୍ଥିତି ପରଖିବା ପାଇଁ ଆଜି ଅଚାନକ ଭାବେ କିଛି ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ଆଜି ମୋଟ ୪ ଟି ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାପଡିଛି ।
ଧମଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧମଡା ପ୍ରାଥମିକ ବିଦ୍ୟାଳୟ, ଯଶୋଦାପୁର ପ୍ରାଥମିକ ବିଦ୍ୟାଳୟ ଓ ବ୍ରଜ ବଲଭପୁର ପ୍ରାଥମିକ ବିଦ୍ୟାଳୟର ସ୍ଥିତି ପରଖି ଥିବା ଜଣାପଡିଛି । ଧମଡା ପ୍ରାଥମିକ ବିଦ୍ୟାଳୟ ଓ ଯଶୋଦାପୁର ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ନିଜେ ଆଜି ପିଲାମାନଙ୍କୁ ପାଠ ପଢାଇବା ସହ ପିଲାମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ବ୍ରଜବଲଭପୁର (ରଘୁନାଥପୁର) ପ୍ରାଥମିକ ବିଦ୍ୟାଳୟର ସ୍ଥିତି ପରଖିବା ବେଳେ ବିଦ୍ୟାଳୟର ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଥିଲେ ।
ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପରିବେଷଣ ବେଳେ କୌଣସି ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ନ ଥିବା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତାଗିଦ କରିବା ସହ ବ୍ଲକ ଶିକ୍ଷା ଅଧିକାରିଣୀ ନିଜେ ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖି ଥିଲେ । ବିଦ୍ୟାଳୟର ଶିକ୍ଷାଦାନ ପ୍ରକ୍ରିୟା ସରକାରଙ୍କ ନିତି ନିୟମ ଅନୁ୍ଯାୟୀ କରାଯାଉ ନ ଥିବା ମଧ୍ୟ ଜଣାପଡିଥିଲା । ତେଣୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଥିବା ଜଣାପଡିଛି । ସେହିପରି ବିଳମ୍ବରେ ବିଦ୍ୟାଳୟକୁ ଯାଉଥିବା ଆଉ ଜଣେ ଶିକ୍ଷକଙ୍କୁ ବାଟରେ ଅଟକାଇ ପଚାରିବା ସହ କାରଣ ଦର୍ଶାଅ ନୋଟିସ କରା୍ଯାଇଥିବା ଜଣାପଡିଛି ।














