କିନ୍ତୁ ଯେଉଁସବୁ କ୍ଷେତ୍ରର ବଡ଼ ଦଣ୍ଡବିଧାନର ବ୍ୟବସ୍ଥା ରହିଛି, ସେଥିରେ ଦଣ୍ଡକୋହଳର ବ୍ୟବସ୍ଥା ଗ୍ରହଣ ପୂର୍ବରୁ ବ୍ୟାପକ ପର୍ଯ୍ୟାଲୋଚନା କରାଯିବା ଉିଚିତ । ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ବୈଧମାପ ବିଜ୍ଞାନ ଅଧିନିୟମରେ ଅପରାଧିକ କାର୍ଯ୍ୟରୁ ନିବୃତ୍ତି ନିମନ୍ତେ ଦଣ୍ଡବିଧାନର ଆବଶ୍ୟକତା ରହିଛି । ଏହା ଦ୍ୱାରା ଅସାଧୁ ବ୍ୟବସାୟୀ ବାରମ୍ବାର ଅସାଧୁ ଉପାୟ ଅବଲମ୍ବନ କରିବା ପାଇଁ ନିରୁତ୍ସାହିତ ହେବ । କେବଳ ଆର୍ଥିକ ଜରିମାନା ଦ୍ୱାରା ଅସାଧୁ ବ୍ୟବସାୟିକ କାର୍ଯ୍ୟକଳାପକୁ ରୋକି ହେବ ନାହିଁ । ତେବେ ଉତ୍ତମ ବ୍ୟବସାୟିକ ବାତାବରଣ ସୃଷ୍ଟି ନିମନ୍ତେ କେନ୍ଦ୍ର ସରକାରଙ୍କ ବୈଧମାପ ବିଜ୍ଞାନ ଅଧିନିୟମ ଆଇନ ସଂଶୋଧନ ନିମନ୍ତେ ଅନେକ ପ୍ରସ୍ତାବ ସହିତ ରାଜ୍ୟ ସରକାର ସହମତ ଥିଲେ ମଧ୍ୟ ଧାରା ୩୦, ଧାରା ୩୪, ଧାରା ୩୭ (୨) ଏବଂ ଧାରା ୪୧(୧)ରେ ଦଣ୍ଡବିଧାନ ବ୍ୟବସ୍ଥା ରଖିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଅଧିନିୟମର ଏହିସବୁ ଧାରାରେ ପ୍ରଥମଥର ଅପରାଧିକ କାର୍ଯ୍ୟକଳାପ ଅପେକ୍ଷା ଦ୍ୱିତୀୟଥର ଏବଂ ପରବର୍ତ୍ତୀ ଅପରାଧ ନିମନ୍ତେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି ।
ଉପଭୋକ୍ତାଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଅଧିନିୟମରେ ବ୍ୟବସାୟରେ ଅପରାଧିକ କାର୍ଯ୍ୟରୁ ନିବୃତ୍ତି ନିମନ୍ତେ ଦଣ୍ଡ ବ୍ୟବସ୍ଥାର ଆବଶ୍ୟକତା ରହିଛି । ସଂପ୍ରତି ବ୍ୟବସାୟ ଓ ବାଣିଜ୍ୟ କ୍ରମାଗତ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଦ୍ରବ୍ୟ ଓ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଅସାଧୁ ଓ ଠକାମି ପ୍ରବୃତ୍ତି ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । କର୍ମଶାଳାର ଅପରାହ@ ଅଧିବେଶନରେ ଖାଦ୍ୟ ଓ ମୃଦୁପାନୀୟ ଶିଳ୍ପ, ଔଷଧ ଏବଂ ପ୍ରସାଧନ ଶିଳ୍ପ ସଂପର୍କିତ ବୈଧ ଓ ମାପ ବିଜ୍ଞାନର ପ୍ୟାନେଲ ଆଲୋଚନାରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଉପଭୋକ୍ତାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଏହିସବୁ ଦ୍ରବ୍ୟର ଉତ୍ପାଦନ ତାରିଖ ଏବଂ ଏହାର ସମାପ୍ତି ତାରିଖ, ପରିମାଣ, ସର୍ବାଧିକ ଖୁଚୁରା ମୂଲ୍ୟ ଇତ୍ୟାଦି ଅନୁପାଳନ ବାଧ୍ୟତାମୂଳକ ଅଟେ । ଅଧିନିୟମରେ ପ୍ରଚଳିତ ବ୍ୟବସ୍ଥାକୁ କଡ଼ାକଡ଼ି ଭାବରେ ପାଳନ କରାଯିବା ଆବଶ୍ୟକ । © 2023 Odisha Taza News.