No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର /ବରଗଡ଼ :- ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଆହୁତ ବୈଠକରେ ବରଗଡ ଜିଲ୍ଲାରେ ଟାଟା ପାୱାର ଦ୍ୱାରା ଯୋଗାଉଥିବା ବିଦ୍ୟୁତସେବା ପ୍ରତି ଜନ ଅସନ୍ତୋଷ ସମ୍ବନ୍ଧରେ ସମସ୍ତପକ୍ଷଙ୍କୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ, ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ଡେପୁଟି କଲେକ୍ଟର ଶ୍ରୀମତୀ ସୁମତି ପଣ୍ଡା, ପୋୖର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାରାୟଣ ଦଣ୍ଡସେନା, ଟାଟା ପାୱାର ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସୁରେନ୍ଦ୍ର ହୋତା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ସତ୍ୟବ୍ରତ ପଣ୍ଡା,
ସାଂସଦ ପ୍ରତିନିଧି ସୁରେଶ୍ୱର ଶତପଥୀ, ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ବିଦ୍ୟୁତ ଉପଭୋକ୍ତା ସଂଘର ଉପସଭାପତି ଵିଷ୍ଣୁ ଚରଣ ଦାଶ, ସଂପାଦକ ସର୍ଦ୍ଦାର ପ୍ରୀତମ ସିଂହ, ବରିଷ୍ଟ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା, ଅଭିଜିତ ପ୍ରତିହାର, କମଳ ଯୋଶୀ ତୁଳସୀ ଦାଶ ଓ ଲିପିସିତ ମିଶ୍ର ଅଂଶଗ୍ରହଣ କରିଥିଲେ । ସଂଘର ସଦସ୍ୟମାନେ ବରଗଡରେ ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ବିଦ୍ୟୁତ ସମସ୍ୟା,ଘୋଷିତ ଓ ଅଘୋଷିତ ବାରମ୍ବାର ବିଦ୍ୟୁତ ବିଭ୍ରାଟ, ଲୋ ଭୋଲଟେଜ ସମସ୍ୟା, ନିମ୍ନମାନର ବୈଦ୍ୟୁତିକ ଯନ୍ତ୍ରାଂଶ, ରାସ୍ତା ମଝିରେ ଥିବା ବିଦ୍ୟୁତ ଖୁଣ୍ଟ ଆଦି ବିଷୟରେ ଅଭିଯୋଗ କରିଥିଲେ ।
ବରଗଡର କେତେକ ଅଞ୍ଚଳ ଯେପରିକି ୱା.ନ.୧୬ର ଶାନ୍ତିନଗର ଅଞ୍ଚଳର ଅଧିବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଜିପର୍ଯ୍ୟନ୍ତ ନୂତନ କେବୁଲ ଟଣା ନ ଯିବା ଭଳି ଘଟଣା ଟାଟା ପାୱାରର ଛବିକୁ ଖରାପ କରିଦେଉଛି । ସାଂସଦ, ବିଧାୟକ ଓ ପୌରାଧ୍ୟକ୍ଷା ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ଯାହା କିଛି ଆବଶ୍ୟକ ହେଉଛି, ଜଣାଇଲେ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ । ବରଗଡର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦେଖି ଆହୁରି ଗ୍ରୀଡ ସ୍ଥାପନା ପାଇଁ ପୌରପରିଷଦ ଜମିଦେବା ପାଇଁ ରାଜିହୋଇଛି । ବିଦ୍ୟୁତ ସେବା ଉତ୍ତମ ମାନର ଯୋଗାଇ ଦେବାକୁ ଜନପ୍ରତିନିଧିମାନେ ଦାବି କରିଥିଲେ । ଟାଟା ପାୱାରର ଉଚ୍ଚପଦସ୍ଥ ଅଧିକାରୀମାନେ ଜନସାଧାରଣଙ୍କୁ ଉତ୍ତମ ବିଦ୍ୟୁତସେବା ଯୋଗାଇବା ପାଇଁ ଉଦ୍ୟମ ଅବ୍ୟାହତ ରହିଥିବା ଜଣାଇଥିଲେ ।
ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ଦୁଇବର୍ଷ ମଧ୍ୟରେ ଆହୁରି ଉନ୍ନତସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ । ବର୍ତ୍ତମାନର ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ଅତି ଜରୁରୀ ନ ହେଲେ ପାୱାରକଟକୁ ବନ୍ଦ କରାଯିବ ବୋଲି ମଧ୍ୟ କହିଥିଲେ । କିନ୍ତୁ, ବରଗଡ ଜିଲ୍ଲରେ ବିଦ୍ୟୁତ ବିଲ ଅନାଦାୟ ବହୁତ ବେଶି ହେଉଥିବାରୁ ସମସ୍ୟାକୁ ଜଟିଳ କରିଦେଉଛି । ହୁକିଂ, ମିଟର ଟେମ୍ପରିଂ, ଅନିୟମିତ ବିଲ ପେମେଣ୍ଟ ଯୋଗୁଁ କେବଳ ୩୦% ଆଦାୟ ହୋଇପାରୁଛି, ଯାହାକି ଉତ୍କୃଷ୍ଟ ସେବା ଯୋଗାଇବାରେ ପ୍ରତିବନ୍ଧକ ସାଜିଛି । ତେବେ ଆଗାମୀ ଦିନରେ ଟାଟା ପାୱାର ବିଦ୍ୟୁତ ଗ୍ରାହକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ତାର ନିରାକରଣ ପାଇଁ ବିଦ୍ୟୁତ ଉପଭୋକ୍ତା ସଂଘ ସହ ସମନ୍ୱୟ ରଖିବାକୁ ଆଗ୍ରହ ପ୍ରକାଶ କରିଛି ।

No Result
View All Result