କମଗରାପାଟଣାରେ କୃଷକ ଦିବସ ପାଳିତ : ଏକାଠି ଅକ୍ଷିମୁଠୀ ଅନୁକୂଳ କଲେ ମନ୍ତ୍ରୀ ଏବଂ ଜିଲ୍ଲାପାଳ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ଢେଙ୍କାନାଳ :- ଆଜିର ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନଟିକୁ ଆମ ରାଜ୍ୟରେ କୃଷକ ଦିବସ ଭାବେ ପାଳନ କରାଯାଏ । ଏହି ଦିନର ଅମୃତ ବେଳାରେ କୃଷକମାନେ ଅଖି ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ କମଗରାପାଟଣା ଗ୍ରାମରେ କୃଷକ ଦିବସ ପାଳିତ ହୋଇଯାଇଛି । ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପୌରହିତ୍ୟ କରି ଏକାଠି ଆଖି ମୁଠି ଅନୁକୂଳ କରିଛନ୍ତି ।

କୃଷିର ବିକାଶ, ଉତ୍ପାଦନ ଓ ରୋଜଗାର ବୃଦ୍ଧିକୁ ଗୁରୁତ୍ବ ଦେବା ସହିତ କୃଷକ ଓ କୃଷି କାର୍ଯ୍ୟ ପ୍ରତି ମାନସିକତା ପରିବର୍ତ୍ତନ ଆଣି ଆମର ଅନ୍ନଦାତା ତଥା କୃଷକ ବନ୍ଧୁମାନଙ୍କୁ ଉଚିତ୍ ସମ୍ମାନ ଦେବାକୁ ଶ୍ରୀଯୁକ୍ତ ମନ୍ତ୍ରୀ ସେଠାରେ ଆୟୋଜିତ ସଭାରେ ଆହ୍ୱାନ ଦେଇଛନ୍ତିଏବଂ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଚାଷ କାର୍ଯ୍ୟ ପ୍ରତି ସମସ୍ତେ ଉତ୍ସାହିତ ହୋଇ ଢେଙ୍କାନାଳ ଜିଲ୍ଲା ଧନଜନରେ ପରିପୂର୍ଣ୍ଣ ହେଉ ବୋଲି କହିଥିଲେ ।

ଏହି ଅବସରରେ ଆଜି ସକାଳେ ସଦର ମହକୁମା ସଦେଇବେରେଣୀ ଏବଂ ସପ୍ତଶଯ୍ୟା କଳାକୃତି ଗ୍ରାମ ପରିସରରେ ଆମ୍ବ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଗୀତାଶ୍ରୀ ପାଢ଼ୀ,ଓରମାସ ର ସିଇଓ ନିରୋଦ ଜେନା, ସପ୍ତଶଯ୍ୟା ଫାର୍ମ ପରିଚାଳକ ତ୍ରିଲୋଚନ ଗୋଛି ଏବଂ ସରପଞ୍ଚ ଅଭିମନ୍ୟୁ ବେହେରା ପ୍ରମୁଖ ଆମ୍ବ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅଂଶୁମାନ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ, ବିଡ଼ିଓ, ନବ ନିର୍ବାଚିତ ଜନ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ, ଚାଷୀ, ଆଇକାରଡାର କର୍ମକର୍ତ୍ତା, ଚାଷୀ ଭାଇଭଉଣୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।