ଡି.ଏ.ଭି ପବ୍ଲିକ ସ୍କୁଲରେ ସ୍ୱାଭିମାନ ଦିବସ ପାଳିତ ମାତୃଭୂମିର ସେବା ଓ ମାତୃଭାଷାର ଗୈାରବ ରକ୍ଷା ଆଜିର ଯୁବପିଢିଙ୍କ ଦାୟିତ୍ୱ

ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ଭୁବନେଶ୍ୱର :-  ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ଓଡିଆ ଜାତିର ସ୍ୱାଭିମାନୀ ପୁରୁଷ ମଧୁବାବୁଙ୍କ ଜୟନ୍ତୀ ବା ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁଣ୍ୟପ୍ରାଣ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ପର୍ଯ୍ୟବେକ୍ଷକପର୍ଯ୍ୟବେକ୍ଷକାବୃନ୍ଦ ପୁଷ୍ପମାଲ୍ୟ ପ୍ରଦାନପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଜୀବନର ଆଦର୍ଶ ମନେକରି ମାତୃଭୂମି ଉତ୍କଳ ଜନନୀର ସେବା କରିବା ଏବଂ ମାତୃଭାଷା ‘ଓଡିଆ’ର ଶ୍ରୀବୃଦ୍ଧି କରିବା ପାଇଁ ଯୁବପିଢିଙ୍କୁ ଆହ୍ୱାନ କରିଥିଲେ ।

ସ୍ୱାଭିମାନ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଓଡିଆ ଶିକ୍ଷୟିତ୍ରୀ ଡକ୍ଟର ଇତିଶ୍ରୀ ଗିରି ଅଭିଭାଷଣ ରଖିଥିବାବେଳେ ଶିକ୍ଷୟିତ୍ରୀ ଅରୋଶ୍ରୀ ଦାସ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ସାମୁହିକ ସଙ୍ଗୀତ ଗାନ କରାଯାଇଥିଲା । ଓଡିଆ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉପସ୍ଥାପନା ଶିକ୍ଷୟିତ୍ରୀ ପ୍ରଣୀତା ମିଶ୍ର କରିଥିବାବେଳେ ଶିକ୍ଷୟିତ୍ରୀ ଶର୍ମିଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।