No Result
View All Result
ଅଭିଲେଖାଗାରର ଉତ୍ପତ୍ତିି, ଇତିହାସ, ନଥିପତ୍ର ଉତ୍ତରପିଢ଼ି ପାଇଁ ଡିଜିଟାଇଜେସନ୍ ମାଧ୍ୟମରେ ସୁରକ୍ଷିତ ରଖାଯିବ : ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ‘ଓଡ଼ିଶାରେ ପାଇକ ବିଦ୍ରୋହ’ ଆଲୋଚନା ଚକ୍ର
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଫେବ୍ରୁଆରୀ ଗୁରୁବାର ) ଭୁବନେଶ୍ୱର :- ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଅଭିଲେଖାଗାରର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି ।

ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ରାଜ୍ୟ ଅଭିଲେଖ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାଢ଼ୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଅଭିଲେଖାଗାରର ଉତ୍ପତ୍ତିି, ଇତିହାସ ଏବଂ ନଥିପତ୍ର କିପରି ଉତ୍ତରପିଢ଼ି ପାଇଁ ଡିଜିଟାଇଜେସନ୍ ମାଧ୍ୟମରେ ସୁରକ୍ଷିତ ହୋଇ ରହିପାରିବ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଅଭିଲେଖାଗାରର କର୍ମଚାରୀ ଅଭାବ ଦୂର କରାଯିବ ବୋଲି ଉଲ୍ଲେଖ କରିଥିଲେ । ଖୋର୍ଦ୍ଧାଠାରେ ନିର୍ମିତ ହେବାକୁ ଥିବା ପାଇକ ବିଦ୍ରୋହର ସ୍ମାରକୀ କିପରି ଅନ୍ତର୍ଜାତୀୟ ମାନ୍ୟତା ପାଇପାରିବ ସେ ଦିଗରେ ସମସ୍ତଙ୍କର ମିଳିତ ପ୍ରଚେଷ୍ଟା ରହିବା ଉଚିତ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ ଓଡ଼ିଶା ଇତିହାସରେ ପାଇକ ବିଦ୍ରୋହ ଏକ ଅଗ୍ରଗଣ୍ୟ ସ୍ଥାନ ନିଶ୍ଚିତ ଭାବରେ ନେବ ବୋଲି ଉଲ୍ଲେଖ କରିଥିଲେ । ପାଇକମାନେ ସାଧାରଣ କୃଷକ ଓ ଅସାଧାରଣ ଯୋଦ୍ଧା ଥିଲେ । ସେମାନେ ଏକାଧାରାରେ ରାଜତନ୍ତ୍ର ଏବଂ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ରକ୍ଷକ ଥିଲେ ବୋଲି ସେ ପ୍ରକାଶ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଶ୍ରୀ ପ୍ରସନ୍ନ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ପାଇକ ବିଦ୍ରୋହକୁ କାହିଁକି ଭାରତର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ କୁହାଯିବ ସେ ସପକ୍ଷରେ ସବିଶେଷ ଐତିହାସିକ ତଥ୍ୟ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ଆୟୋଜିତ ‘ଓଡ଼ିଶାରେ ପାଇକ ବିଦ୍ରୋହ’ ବିଷୟ ସମ୍ବଳିତ ଆଲୋଚନା ଚକ୍ରରେ ସେ ପାଇକ ବିଦ୍ରୋହ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଶ୍ରୀ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result