ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶନିବାର “ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ” ଅଧ୍ୟକ୍ଷ ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ “ବ୍ୟକ୍ତିତ୍ୱ ବିକାଶ” ବିଷୟକୁ ନେଇ ଛାତ୍ରୀମାନଙ୍କୁ ସଚେତନ କରାଯିବା ସହ ଜୀବନରେ ସଫଳତା ହାସଲ ପାଇଁ ଆବଶ୍ୟକ ବିଭିନ୍ନ ଗୁଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ବିଷୟ ବିଶାରଦ ଭାବେ ଉଦ୍ୟାନ କୃଷି ଅଧିକାରୀ ନିରଞ୍ଜନ ଦ୍ୱିବେଦୀ ଏବଂ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ସରୋଜ କୁମାର ପାଠୀ ଯୋଗ ଦେଇ ବ୍ୟକ୍ତିତ୍ୱ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏଥିସହ ଓଡ଼ିଆ ବିଭାଗର ଅଧ୍ୟାପିକା ସ୍ନେହଲତା ମାଝୀ ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ ବର୍ଷାରାଣୀ ସୁନ୍ଦରା ମଧ୍ୟ ନିଜର ମୂଲ୍ୟବାନ ଅଭିଭାଷଣ ରଖିଥିଲେ।
ଆଲୋଚକ ମାନେ କହିଥିଲେ ଯେ, କେବଳ ଶିକ୍ଷାଗତ ଯୋଗ୍ୟତା ନୁହେଁ, ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶ ପାଇଁ ଧୈର୍ଯ୍ୟ, ବହୁପାଠୀ ହେବା, ସମୟାନୁବର୍ତ୍ତିତା, ଉତ୍ତମ ଚରିତ୍ର ଓ ଭଲ ଶ୍ରୋତା ହେବାର ଗୁଣ ଅତ୍ୟନ୍ତ ଆବଶ୍ୟକ। ଏହି ଗୁଣଗୁଡ଼ିକୁ ନିରନ୍ତର ଅଭ୍ୟାସ ଓ ପ୍ରୟାସ ମାଧ୍ୟମରେ ନିଜ ଜୀବନରେ ଅନୁସରଣ କଲେ ବ୍ୟକ୍ତିତ୍ୱର ବିକାଶ ସହ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ ବୋଲି ମତ ପ୍ରକାଶ ପାଇଥିଲା l

ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସକାରାତ୍ମକ ଚିନ୍ତାଧାରା ଓ ନେତୃତ୍ୱ ଗୁଣ ବିକଶିତ କରିବାରେ ଏଭଳି ସଚେତନତା କାର୍ଯ୍ୟକ୍ରମ ପ୍ରେରଣାର ଉତ୍ସ ହେବ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରୀ ଅଂଶଗ୍ରହଣ କରି ଆଲୋଚନାରୁ ଉପକୃତ ହୋଇଥିଲେ। ଶେଷରେ କାର୍ଯ୍ୟକ୍ରମର ଆୟୋଜିକା ଅଧ୍ୟାପିକା ଶ୍ରୀମତୀ ସୁଲୋଚନା କହଁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।














