No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ , ଜିଲ୍ଲା ଜୀବିକା ମିଶନ ଓ ଜିଲ୍ଲା ମିଶନ ଶକ୍ତିର ମିଳିତ ସହଯୋଗରେ ଚାଲିଥିବା ଜିଲ୍ଲାସ୍ତରୀୟ ୪ ଦିନିଆ ପଲ୍ଲୀଶ୍ରୀ-ମେଳା କାର୍ଯ୍ୟକ୍ରମ ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମରେ ଡ଼ିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ମହିଳା ଏସଏଚଜି ଓ ଉତ୍ପାଦକ ଗୋଷ୍ଟି ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ସହରାଞ୍ଚଳର ଗୋଟିଏ ପ୍ଲାଟଫର୍ମରେ ବିକ୍ରିବଟାର ସୁଯୋଗ ଦେବା ,
ସେମାନଙ୍କ ଉତ୍ପାଦିତ ଦକ୍ଷତାକୁ ପ୍ରତିପାଦିତ କରି ପ୍ରୋତ୍ସାହନ ଦେବା , ବିଭିନ୍ନ ଜିଲ୍ଲାଞ୍ଚଳରୁ ଆସିଥିବାଙ୍କ ସହ ଭାବ ଆଦାନ-ପ୍ରଦାନର ସୁଯୋଗ ପାଇବା ଏବଂ ଆର୍ଥିକ କ୍ଷେତ୍ରରେ ସେମାନଙ୍କୁ ସମୃଦ୍ଧ କରିବା ସହ ସାମାଜିକ କ୍ଷେତ୍ରରେ ସେମାନଙ୍କୁ ସଚେତନ କରିବା ହେଉଛି ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ:ର ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରା ଓ ଜିଲ୍ଲା ଶିଶୁ-ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଏପିଡ଼ି ତଥା ଜିଲ୍ଲା ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ , ଶ୍ରୀ ଦେବେନ୍ଦ୍ର କୁମାର କର ,
ଜିଲ୍ଲା ମିଶନ ଶକ୍ତିର ଡିପିଏମ ଶ୍ରୀ ରଶ୍ମି ରଞ୍ଜନ ସେଠୀ ଏବଂ ଜିଲ୍ଲା ଜୀବିକା ମିଶନର ଡିପିଏମ ଶ୍ରୀମତୀ ପ୍ରିୟମ୍ବଦା ବିଶୋଇ ପ୍ରମୁଖ ମଞ୍ଚଆସିନ ଅତିଥି ରହି ପଲ୍ଲୀଶ୍ରୀ ମେଳା ,ମହିଳା ଏସଏଚଜି ଓ ଉତ୍ପାଦକ ଗୋଷ୍ଟି’ର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ଏହି ଅବସର , ଜିଲ୍ଲାସ୍ତରୀୟ ଏହି ୪ ଦିନିଆ ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମ ରେ ଅଧିକ ବ୍ୟବସାୟ କରିଥିବା ବଉଦ ଜିଲ୍ଲା ଗୁଡଭେଲି ଗ୍ରାମର ଉତ୍ପାଦକ ଗୋଷ୍ଟି ମା ମହାଲକ୍ଷ୍ମୀ ୱେଭରସ କୁ ପ୍ରଥମ , ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମର ଦୁଖୀଶ୍ୟାମ ମହିଳା ଏସଏଚଜିକୁ ଦ୍ଵତୀୟ ଏବଂ କଟକ ଜିଲ୍ଲା ବଡମ୍ବା ଗ୍ରାମର ଉତ୍ପାଦକ ଗୋଷ୍ଟି ”ମା ତାରିଣୀ ଉଡେନ କ୍ରାଫ୍ଟ” କୁ ତୃତୀୟ ପୁରସ୍କାର ମାନପତ୍ର ସହ ମିଳିଥିଲା ।
ସେହିଭଳି ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲ ପ୍ରଦର୍ଶନ କ୍ଷେତ୍ରରେ ଜିଲ୍ଲା ଉଦ୍ୟାନ ବିଭାଗ କୁ ପ୍ରଥମ , ଫରେଷ୍ଟ ବିଭାଗକୁ ଦ୍ଵିତୀୟ ଏବଂ ଜଳଛାୟା ପ୍ରକଳ୍ପ ବିଭାଗକୁ ତୃତୀୟ ଭାବେ ପୁରସ୍କୃତ କରା ଯାଇଥିଲା ।ଏହି ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମରେ ମୋଟ ୧୦୩ଟି ଷ୍ଟଲ ହୋଇଥିବା ବେଳେ ସେଥିମଧ୍ୟରୁ ୮୮ ଟି ଷ୍ଟଲ ର୍ଯ୍ୟକ୍ଷମ ଥିଲା । ପ୍ରାୟ ୫୦ ଟି ଷ୍ଟଲ ବାହାର ଜିଲ୍ଲା ସମେତ ଗଜପତି ଜିଲ୍ଲାର ମହିଳା ଏସଏଚଜି: ଓ ଉତ୍ପାଦକ ଗୋଷ୍ଟି ମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଉଦ୍ଧିଷ୍ଟ ରହିଥିଲା ।
ଏହି ମେଳାରେ ବିଭିନ୍ନ ଘରୋଇ ଓ ସାଜସଜ୍ଜା ଉପକରଣ , ବସ୍ତ୍ର , ସମ୍ବଲପୁରୀ ବସ୍ତ୍ର , ପୂଜା ଉପକରଣ, ଖାଦ୍ୟ ମସଲା , ଆଚାର , ଭଳିକି ଭଳି ଚୁଡ଼ି , ମାଳି ହାର, ଚପଲ , ପିଲ୍ଲାଙ୍କ ଖେଳନା ଓ ଡ୍ରେସ , ବିଭିନ୍ନ ବେଗ , ଶାଢ଼ୀ , ସଫାସେଟ , ବେତ ସାମଗ୍ରୀ ପ୍ରଭୃତି ବିକ୍ରିବଟା ପାଇଁ ଷ୍ଟଲ ରହିଥିଲା ।ସେହି ଭଳି ଖାଦ୍ୟ ମେଳାରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ବିକ୍ରି ପାଇଁ ଖୋଲା ଯାଇଥିଲା । ପ୍ରଥମ ଦିନର ସନ୍ଧ୍ୟାରେ ଏହି ମେଳାରେ ମୋଟ ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର , ତୃତୀୟ ଦିନରେ ୧୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଏବଂ ଶେଷ ଦିନରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର , ଏହିଭଳି ୪ ଦିନରେ ମୋଟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲା ଓରମାସ ସୂତ୍ରରୁ ଜଣାଯାଇଛି ।
ଏଥି ସହିତ ଜିଲ୍ଲା ପ୍ରଶାସନ ଅଧିନସ୍ତ ସମସ୍ତ ବିଭାଗ ପକ୍ଷରୁ ସେମାନଙ୍କ ବିଭାଗ ପକ୍ଷରୁ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଙ୍କୁ ଅବଗତ କରାଇବା ପାଇଁ ପ୍ରଦର୍ଶନ ଷ୍ଟଲ ମାନ ଖୋଲାଯାଇଛି ।ଏହି ଅବସରରେ ସ୍ଥାନୀୟ ଭକ୍ତି-ସଙ୍ଗୀତ ସଂସଦର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶୁଭ୍ରାଂଶୁ ପଟନାୟକଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରକାର ଓଡିଶୀ , ଘୁଡୁକି , ସମ୍ବଲପୁରୀ , ସଚେତନତା ଧର୍ମୀ ନୃତ୍ୟ ପ୍ରଭୃତି ସମେତ ଭଜନ ସଙ୍ଗୀତ ମାନ ପରିବେଷଣ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଡ଼ିଆରଡିଏର ଏପିଡ଼ି ତଥା ଜିଲ୍ଲା ଓରମାସ ସଂସ୍ଥାର ଡେପୁଟି ସିଇଓ: ଶ୍ରୀ ଦେବେନ୍ଦ୍ର କୁମାର କର , ଜିଲ୍ଲା ମିଶନ ଶକ୍ତିର ଡିପିଏମ ଶ୍ରୀ ରଶ୍ମି ରଞ୍ଜନ ସେଠୀ ଏବଂ ଜିଲ୍ଲା ଜୀବିକା-ମିଶନର ଡିପିଏମ ଶ୍ରୀମତୀ ପ୍ରିୟମ୍ବଦା ବିଶୋଇ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓସହଯୋଗ କରିଥିଲେ । ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମ ସନ୍ଧ୍ୟାରେ ଅଧିକ ସହିତ ଅନୁଭୂତ ହୋଇଥିଲେ ହେଁ ଲୋକେ ତାକୁ ଖାତିର ନ କରି ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ଓ ପ୍ରଦର୍ଶନୀ ଷ୍ଟଲ ବୁଲାବୁଲି କରି କିଣାକିଣି’ର ମଜା ନେଇଥିଲେ
No Result
View All Result