ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) ଭୁବନେଶ୍ୱର :- ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକରେ ବାଚସ୍ପତି ଡ଼ଃ ସୂର୍ୟ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ବାଚସ୍ପତି ଡ଼ଃ ପାତ୍ର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାମକୃଷ୍ଣ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ସ୍ମରଣ ସହ ମନ୍ତ୍ରୀ ହିସାବରେ ତାଙ୍କର କାର୍ୟ୍ୟଦକ୍ଷତାର ଉଚ୍ଚ ପ୍ରଶଂସା କରିଛନ୍ତି । କୋଦଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ନିର୍ବାଚିତ ହେବା ତାଙ୍କର ଅଭୂତପୂର୍ବ ଜନପ୍ରିୟତାର ପରିଚାୟକ ବୋଲି ମଧ୍ୟ ସେ ବର୍ଣ୍ଣନା କରିଛନ୍ତି ।
ସେ ମଧ୍ୟ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ସେହିପରି ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ ମଧ୍ୟ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କର ବିୟୋଗ ରାଜନୈତିକ ଜଗତରେ ଏକ ଶୂନ୍ୟସ୍ତାନ ସୃଷ୍ଟି କରିଛି ବୋଲି କହିଛନ୍ତି । ବିଧାନସଭା ପକ୍ଷରୁ ରାମକୃଷ୍ଣ ପଟ୍ଟନାୟକଙ୍କ ମରଶରୀର ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
ବିଧାନସଭା ପରିସରରେ ମର ଶରୀର ପହଞ୍ଚିବା ପରେ ଗାର୍ଡ ଅଫ ଅନର ପ୍ରଦାନ ସହ ତାଙ୍କ ମର ଶରୀରରେ ପୁଷ୍ପତୋଡା ଅର୍ପଣ କରାଯାଇ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଥିଲା । ଏଥିରେ ବାଚସ୍ପତି ଡ଼ଃ ସୂର୍ୟ୍ୟ ନାରାୟଣ ପାତ୍ର, ବରିଷ୍ଠ ବିଦାୟକ ପ୍ରଫୁଲ୍ଲ ସାମଲ, ଡ଼ଃ ବୁଧାନ ମୁର୍ମୁ ଏବଂ ପୂର୍ବତନ ଲୋକସଭା ସାଂସଦ ପ୍ରଶନ୍ନ ପାଟଶାଣୀ ପ୍ରମୁଖ ଯୋଗ ଦେଇଥିଲେ ।