ଉନ୍ନତ ଭିତ୍ତିଭୂମି ଓ ପୁରସ୍କାର ରାଜ୍ୟ କ୍ରୀଡ଼ାକୁ ଆଗକୁ ନେବାରେ ସହାୟକ ହେବ – କ୍ରୀଡ଼ାମନ୍ତ୍ରୀ

କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୩୭ କ୍ରୀଡ଼ାବିତଙ୍କୁ ୧ କୋଟି ୮ଲକ୍ଷ ୮୩ ହଜାର ଅର୍ଥରାଶି ପୁରସ୍କାର ୬୫ଜଣ ପାରା ଆଥଲେଟଙ୍କୁ ମୋଟ ୬୧ଲକ୍ଷ ୬୯ ହଜାର ୫୦୦ଟଙ୍କା ପୁରସ୍କାର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଡିସେମ୍ବର୨୦୨୧ ) ଭୁବନେଶ୍ୱର :- ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ କରିଥିବା ରାଜ୍ୟର ମୋଟ ୨୩୭ ଜଣ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାରରେ ସମ୍ମାନିତ କରଯାଇଛି । କ୍ରୀଡା ଓ ଯୁବସେବା ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ତଥା ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବିଭାଗ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ କ୍ରୀଡ଼ାବିତମାନଙ୍କୁ ମୋଟ ୧ କୋଟି ୮ ଲକ୍ଷ ୮୩ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ । ପ୍ରତ୍ୟକ୍ଷ ତଥା ଭର୍ଚୁଆଲରେ ଯୋଗଦେଇ ଥିବା କ୍ରୀଡ଼ାବିତ୍‌ମାନଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ସ୍ପୋର୍ଟ୍ସ ଫର ୟୁଥ ଏବଂ ୟୁଥ ଫର ଫିଉଚର’ଲକ୍ଷ୍ୟକୁ ପୂରଣ ନିମନ୍ତେ ଆମ ବିଭାଗ ଅନେକ ଆଖିଦୃଷ୍ଟିଆ କାର୍ଯ୍ୟ କରିଆସିଛି । ଖେଳାଳିମାନଙ୍କୁ ନିଜ ନିଜ ଇଭେଣ୍ଟରେ ଉତ୍କର୍ଷ ପ୍ରତିପାଦନ ପାଇଁ ଅନେକ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଆମେ ସକ୍ଷମ ହୋଇ ପାରିଛୁ । ଖେଳାଳୀମାନଙ୍କ ଉଚ୍ଚ ପ୍ରଦଶନ ନିମନ୍ତେ ରାଜ୍ୟରେ ୧୧ଟି ଏଚପିସି ର୍ନିମାଣ ହୋଇଛି । ଗତ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ କଳିଙ୍ଗ ଷ୍ଟାଡିୟମ ଗସ୍ତକରି ୮୯ଟି ଇଣ୍ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ସହ ଅନେକଗୁଡିଏ ବୃହତ କ୍ରୀଡା ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପୁରସ୍କାର ଆମ କ୍ରୀଡ଼ାବିତ୍‌ଙ୍କ କଠିନ ପରିଶ୍ରମ ଓ ଉତ୍କର୍ଷର ସ୍ୱ୍ୱୀକୃତି । ଏହି କ୍ରୀଡ଼ାବିତମାନେ ହେଉଛନ୍ତି ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ।

ଏଣୁ ଆମ ଖେଳାଳୀମାନେ ଆଗାମୀ ଦିନରେ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ । ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିବା ମୋଟ ୨୩୭ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ୧୭୨ ଜଣ ସାଧାରଣ ବର୍ଗର ଆଥଲେଟ ହୋଇଥିବାବେଳେ ୬୫ଜଣ ପାରା-ଆଥଲେଟ ବର୍ଗରେ ରହିଛନ୍ତି । ସାଧାରଣ ବର୍ଗର ୧୭୨ କ୍ରୀଡ଼ାବିତଙ୍କୁ ମୋଟ ୪୭ ଲକ୍ଷ ୧୩ ହଜାର ୫୦୦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ୬୫ଜଣ ପାରା-ଆଥଲେଟଙ୍କୁ ମୋଟ ୬୧ଲକ୍ଷ ୬୯ ହଜାର ୫୦୦ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍‌ ଓ କୋଚମାନଙ୍କୁ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥାଏ ।