ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କେଛୋଦାଦର ଗ୍ରାମର କେତେକ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟରେ ଫସି ଯାଇଛନ୍ତି । ଟଙ୍କ ସୁନା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚିଙ୍ଗିରିଟାଲ ଗ୍ରାମର ଇଟାଭାଟି ସର୍ଦ୍ଧାର ବୈକୁଣ୍ଠ କୁମ୍ଭାର ପାଇକମାଲ ବ୍ଳକ ଅନ୍ତର୍ଗତ କେଛୋଦାଦର ଗ୍ରାମକୁ ଆସି ମୋଟା ଅଙ୍କର ଟଙ୍କା ପ୍ରଲୋଭନ ଦେଖାଇ ଇଟାଗଢି ଗଲେ ।
ସେଠାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇ ତେଲେଙ୍ଗାନା ରାଜ୍ୟର ଜିଲ୍ଲା ସାଙ୍ଗାରେଡି ଗ୍ରାମ ଚିନାରେଡି ଏସଏସବି କାରଖାନାର ମାଲିକ ରମେଶ ଗୌଡ ପାଖକୁ ନେଇ ଯାଇଥିଲା । ସେଠାରେ ୮ ଜଣ ଶ୍ରମିକ ଜଟସୁନା,ମଣ୍ଟୁ ସୁନା,ଭୁଲଟୁ ସୁନା,ଲଳିତା ମହାନନ୍ଦ,ସନ୍ତୋଷ ମହାନନ୍ଦ,ଘନ ଛତରିଆ,ରିଙ୍କି ଛତରିଆ,ଟଙ୍କ ସୁନା ଆଦି ସେଠାରେ କିଛି ଦିନ ଇଟାଗଢା କାମ କଲାପରେ ପାରିଶ୍ରମିକ ମାଗିବାରୁ ଟଙ୍କା ନଦେଇ ମାଡମାରି ଶାରୀରିକ ଓ ମାନସିକ ନିର୍ଯ୍ଯାତନା ଆରମ୍ଭ କରି ଦେଇଥିବା ଅଭିଯୋଗ କରିଛନ୍ତି ।
ଯାହା ଫଳରେ ଦୁଇ ଜଣ ଶ୍ରମିକ ସ୍ବାମୀ ଘନ ଛତରିଆ ସ୍ତ୍ରୀ ରିଙ୍କି ଛତରିଆ ନିଖୋଜ ଅଛନ୍ତି ବୋଲି ଜଣା ପଡିଛି । ମାଲିକ ଅତ୍ଯାଚାର ସହି ନପାରି କୌଶଳରେ ଲୁଚିଛପି ଟଙ୍କ ସୁନା ଇଟାଭାଟି ରୁ ଖସି ପଳାଇ ଆସି ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଉଲ୍ଲେଖିତ ସାତ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ସଂପୃକ୍ତ ବ୍ଯକ୍ତି ମାନଙ୍କୁ ଉଦ୍ଧାର କରିବା ପାଇଁ ଦାବୀ ହୁଏ ।