ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାଇକକୁ ପିଟିଲା ଟ୍ରକ ବାଇକ ଚାଳକ ମୃତ

ଓଡ଼ିଶା ତାଜା ନ୍ୟୁଜ୍ ( ୦୭ ଡିସେମ୍ବର , ମଙ୍ଗଳବାର ) କଳାହାଣ୍ଡି :- ପୋଖରୀବନ୍ଧ ଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ରାସ୍ତାରେ ଆଜି ସକାଳ ୯ ଘଣ୍ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସ୍କୁଲ ଯାଉଥିବା ଶିକ୍ଷକଙ୍କ ବାଇକକୁ ପଛପଟେ ଧକ୍କା ଦେଇଛି ମାଲ ବୋଝେଇ ଭାରିଯାନ ଟ୍ରକ୍। ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ସ୍ଥିତ ଲାଇଫଓ୍ବାର୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡିଛି ।

ଖବର ନେବାରୁ ଜଣାପଡିଛି ଯେ, ଆଜି ସକାଳ ୯ ଘଣ୍ଟା ସମୟରେ ଚମ୍ପାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦେବରାଜ ବାଗ ପ୍ରତିଦିନ ଭଳି ତାଙ୍କ ବିଦ୍ୟାଳୟ ଯାଉଥିଲେ । ବଞ୍ଜାରୀ ଘାଟିରୁ ଗଡାଣିଆରେ ଓହ୍ଲାଉଥିବା ବେଳେ କିଡଙ୍ଗ ଓ ବଞ୍ଜାରୀ ଘାଟି ମଝିରେ ପଛପଟୁ କ୍ଷୀପ୍ର ଗତିରେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ (ଗାଡି ନଂ- ସିଜି ୦୪ ଏମ୍- ୮୭୨୩) ଖୁବ୍ ଜୋରରେ ଶିକ୍ଷକ ଶ୍ରୀ ବାଗଙ୍କ ହିରୋହୋଣ୍ଡା ସ୍ପ୍ଲେଣ୍ଡର ପ୍ଲସ (ବାଇକ ନଂ- ଓଆର ୧୦ ଇ- ୩୨୭୨)କୁ ଧକ୍କା ଦେଇଥିଲା ।

ଟ୍ରକ୍ ଧକ୍କା ଫଳରେ ବାଇକଟିର ପଛ ଭାଗ ଟ୍ରକର ଇଞ୍ଜିନ ସମ୍ମୁଖରେ ଲାଗିଯାଇ ଉଚ୍ଚକୁ ଉଠି ଯାଇଥିଲା ।  ବାଇକ ଚାଳକ ଶିକ୍ଷକ ଶ୍ରୀ ବାଗ ଗାଡିରୁ ଖୁବ୍ ଜୋରରେ ଛିଟିକି ପଡିବା ଫଳରେ ତାଙ୍କ ଦୁଇ ଗୋଡର ନଳୀ ହାଡ ଭାଙ୍ଗିଯିବା ସହ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା । ସେଠାରୁ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଲାଇଫଓ୍ବାର୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ପ୍ରାପ୍ତ ଖବର ଅନୁସାରେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଅଟକ ରଖିବା ସହିତ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଦୂର୍ଘଟଣା ପରେ ପରେ ନର୍ଲା ଥାନାରେ ଶିକ୍ଷକଙ୍କ ଭାଇ ପ୍ରମୋଦ ବାଗ ଏକ ଏତଲା ଦାଏର କରିଥିବା ଜଣାପଡିଛି ।