No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ର ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା କରିଛନ୍ତି । ପ୍ରାରମ୍ଭରେ ବିଭାଗ ଗତ ବାତ୍ୟା ‘ୟାସ୍’ ରେ କ୍ଷତିଗ୍ରସ୍ତ ବିଦୁ୍ୟତ ବ୍ୟବସ୍ଥାକୁ ୪୮ ଘଣ୍ଟା ମଧ୍ୟରେ ସ୍ୱାଭାବିକ କରିଥିବା ସମସ୍ତ ବିଦୁ୍ୟତ ଯୋଦ୍ଧାମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି ଏହି ବାତ୍ୟାରେ ଅନୁରୂପ ନିଷ୍ଠା, କର୍ମତତ୍ପରତା ଏବଂ ସମର୍ପିତ କାର୍ଯ୍ୟ ପାଇଁ ସେ ଆଶା ରଖିଥିବା କହିଥିଲେ । ବିଶେଷ ଭାବେ ପୁନରୁଦ୍ଧାରବେଳେ ସମସ୍ତ କର୍ମଚାରୀ ନିଜକୁ ସୁରକ୍ଷିତ ରଖି କାର୍ଯ୍ୟକରିବା, ସୁରକ୍ଷା ପ୍ରବନ୍ଧନ ପ୍ରତି ସଚେତନ ରହିବାକୁ ସେ କହିଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଜୀବନ ମୂଲ୍ୟବାନ ଏହି ଉକ୍ତିର ମର୍ମକୁ ଉପଲବ୍ଧି କରିବା ସହିତ ଏ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ସେ କହିଥିଲେ । ସେଥିପାଇଁ ସେ ଦାୟିତ୍ୱରେ ଥିବା ଅଧିକାରୀମାନେ ଅଧିକ ଯନିଶୀଳ ହେବା ଏବଂ କର୍ମଚାରୀମାନଙ୍କୁ ପ୍ରସ୍ତୁତ କରିବାକୁ କହିଥିଲେ । ଏହି ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଦୁ୍ୟତ ବିତରଣ କମ୍ପାନୀଗୁଡ଼ିକ କି ଧରଣର ପ୍ରସ୍ତୁତି କରିଛନ୍ତି ସେ ସଂପର୍କରେ ତଥ୍ୟ ଉପସ୍ଥାପନ ପାଇଁ କହିଥିଲେ । ସେ ପାଣିପାଗ ବିଭାଗର ସଦ୍ୟତମ ତଥ୍ୟ ଉପରେ ସର୍ବଦା ନଜର ରଖିବାକୁ କହିଥିଲେ ।
ପୁରୀ ନିକଟ ଦେଇ ବାତ୍ୟା ଅତିକ୍ରମ କରିବାକୁ ଅନୁମାନ କରାଯାଉଥିବା ହେତୁ ପୁରୀରେ ବିଦୁ୍ୟତ ବ୍ୟବସ୍ଥା କ୍ଷତିଗ୍ରସ୍ତ ଆଶଙ୍କା ଥିଲେ ହେଁ ଗତ ‘ୟାସ୍’ ବାତ୍ୟା ପରେ ବିଦୁ୍ୟତ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇଥିବା ହେତୁ ଅତି କମ୍ କ୍ଷତି ହେବାର ଅନୁମାନ କରାଯାଉଥିବା ସେ ଦର୍ଶାଇ ଥିଲେ । ତା ଛଡ଼ା ଇତି ମଧ୍ୟରେ ପ୍ରାୟ ସମସ୍ତ ଏଲ୍ଇଟି ଲାଇନ୍ଗୁଡ଼ିକର ସୁଦୃଢ଼ୀକରଣ କରାଯାଇସାରିଛି ବୋଲି କହି ଏହା ଆମ ପାଇଁ ଏକ ପରୀକ୍ଷା ହେବ ବୋଲି କହିଥିଲେ । ଖାଲୁଆ ଅଞ୍ଚଳ ପାଇଁ ଆଗୁଆ ଭାବେ ପାଣିପମ୍ପ ବ୍ୟବସ୍ଥା କରିବା, ଡିଜି ସେଟ୍ ଏବଂ ଆସ୍କା ଲାଇଟ୍ ଠୁଳ କରିବା ସହିତ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜନ ସକାଶେ ଟିମ୍ ଗଠନ, ଯାନ ପ୍ରସ୍ତୁତି ମୋବାଇଲ୍ ଚାର୍ଜର, ସାଟେଲାଇଟ୍ ଫୋନ୍ ଭଳି ବ୍ୟବସ୍ଥା ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଏଥି ସହିତ ଗ୍ରୀଡ଼୍କୋଠାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି । ଅନୁରୂପ ଭାବେ ସମସ୍ତ ବିତରଣ କମ୍ପାନୀ ନିଜ ଅଧିନରେ ନିୟନ୍ତ୍ରଣ କକ୍ଷ ଖୋଲିଥିବା ବିଷୟ ସେ ଜଣାଇଥିଲେ । ବାତ୍ୟାକୁ ଆଖିରେ ରଖି ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆଜିର ଏହି ପ୍ରସ୍ତୁତି ସମୀକ୍ଷା ବୈଠକରେ ସମସ୍ତ ବିଦୁ୍ୟତ ବିତରଣ କମ୍ପାନୀଗୁଡ଼ିକର ମୁଖ୍ୟ ନିର୍ବାହୀ ଅଧିକାରୀ, ଗ୍ରୀଡ଼୍କୋର ପରିଚାଳନା ନିର୍ଦ୍ଦେଶକ, ଏସ୍ଏଲ୍ଡିସି, ଓଡ଼ିଶା ଶକ୍ତି ସଂଚାରଣ ନିଗମ, ପିଜିସିଆଇଏଲ୍, ଏନ୍ଟିପିସିର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।
No Result
View All Result