ଲାଞ୍ଜିଗଡର ଦୁର୍ଗମ ଅଞ୍ଚଳରେ ପୁଣି ଜଙ୍ଗଲି ହାତୀ ,୩ ଘର ଭାଙ୍ଗି ଖାଦ୍ୟଶସ୍ୟ ନଷ୍ଟକଲେ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଦୁର୍ଗମ ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ଘଟିଛି ଲାଞ୍ଜିଗଡ ବ୍ଲକ ଓ ସଦର ବ୍ଳକ ସୀମାନ୍ତ ଯୁଗସାଇପାଟଣା ପଞ୍ଚାୟତର ପଟାଙ୍ଗ ପଦର ଗାଁରେ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏକ ୨୫ ଜଣିଆ ଜଙ୍ଗଲି ହାତୀ ପଲ ନିକଟସ୍ଥ ମୂଷାନାଳ ଫରେଷ୍ଟ ଅଧିନସ୍ଥ ଦଲମା ବିଟର ଧଡେଲ ଜଙ୍ଗଲରୁ ପଟାଙ୍ଗପଦର ଗାଁକୁ ଆସିଥିଲେ । ଏହି ସୀମାନ୍ତ ଗାଁରେ ୯ ଗୋଟି ପରିବାର ରିଜଭଫରେଷ୍ଟ ଅଞ୍ଚଳରେ ଘର କରି ରହିଥିବା ବେଳେ ପ୍ରାୟ ୫୦ ଜଣ ଲୋକେ ବସବାସ କରନ୍ତି ।

ଗତ ରାତିରେ ଜଙ୍ଗଲି ହାତୀର ଭୀଷଣ ଗର୍ଜନ ଶୁଣି ଗାଁ ଲୋକେ ଭୟଭିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ । ହାତୀ ପଲ ପ୍ରଥମେ ଗାଁର ରୁପା ମାଝୀ,ପରେ ସାନ୍ଧା ମାଝୀ ଓ ଡ୍ରିକୁ ମାଝୀଙ୍କ ଘରକୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଘରର ଆସବାପତ୍ର ସହିତ ଘରେ ଥିବା ଧାନ, ମାଣ୍ଡିଆ, ଚାଉଳ ଆଦି ଖାଦ୍ୟଶସ୍ୟ ନଷ୍ଟ କରିଦେଇଛନ୍ତି । ଏହାପରେ ଗାଁ ନିକଟରେ ଥିବା ଗାଁ ଲୋକଙ୍କ ଚାଷ ଜମିର ଧାନ, ମାଣ୍ଡିଆ, ସୋରିଷ ଚାଷକୁ ନଷ୍ଟ କରିବା ପରେ ନିକଟସ୍ଥ ଅସୁରଗୁଡା ଗାଁର ଦଶରଥ ମାଝୀଙ୍କ ମାଣ୍ଡିଆ, କୁଶଳା ଓ ବିରି ଚାଷକୁ ନଷ୍ଟ କରିଛନ୍ତି ।

ଏହି ପାଟାଙ୍ଗ ପଦର ଗାଁଟି ନିଜ ଯୋଗସାଇପାଟଣା ପଞ୍ଚାୟତ ଠାରୁ ପ୍ରାୟ ୬୦ କିମି ଦୂରରେ ରହୁଥିବା ବେଳେ ମୂଷାନାଳ ଫରେଷ୍ଟ ଅଧୀନରେ ଥିବା ଯୋଗୁଁ ହାତୀ ଉପଦ୍ରବ ଖବର ପାଇ ମୂଷାନାଳ ବନ ବିଭାଗ ପହଞ୍ଚି ତଦନ୍ତ କରିଥିବା ଗାଁ ଲୋକେ କହିଛନ୍ତି । ବର୍ତ୍ତମାନ ଘରଦ୍ୱାର ଭାଙ୍ଗି ଯିବା ପରେ ରୁପା ମାଝୀ,ସାନ୍ଧା ମାଝୀ ଓ ଡ୍ରିକୁ ମାଝୀ ପରିବାର ବେସାହାରା ହୋଇ ପଡିଛନ୍ତି । ଫଳରେ ପରିବାର ସହ ପଡୋଶୀ ଘରେ ଏମାନେ ଆଶ୍ରୟ ନେଇଛନ୍ତି । ଏହି ୩ ଟି ପରିବାର ବର୍ତ୍ତମାନ ବେସାହାରା ହୋଇ ପଡିଛନ୍ତି ।

ଏହି ହାତୀପଲ ନିକଟସ୍ଥ ଧଡେଲ ଜଙ୍ଗଲରେ ରହି ଭୀଷଣ ଗର୍ଜ୍ଜନ କରୁଥିବା ବେଳେ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି ।  ଏହି ଖବର ପାଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ନିଜ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ହାତୀପଲର ଗତିବିଧି ଉପରେ ନଜର ରଖିବା ସହିତ ଅଞ୍ଚଳରେ ଏଲିଫେଣ୍ଟ ସ୍କୁଆଡ଼କୁ ସଜାଗ ରଖାଯାଇଛି ବୋଲି ପ୍ରକାଶ କରିଛନ୍ତି ।