ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) ଭୁବନେଶ୍ୱର :– ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୨ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଗୁରୁବାର ଭବାନୀପାଟଣା ଓ.ଏଲ୍.ଆଇ.ସି ଡିଭିଜନରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।
ଭବାନୀପାଟଣା ସଦର ମହକୁମାଠାରେ ଏ ସଂପର୍କିତ ଏକ ବୈଠକରେ ଯୋଗଦେଇ ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷିର ଉନ୍ନତି ଓ କୃଷକମାନଙ୍କ କଲ୍ୟାଣ ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସଂପ୍ରତି ରବି ଚାଷ କାର୍ଯ୍ୟ ସମୟରେ କୃଷି କ୍ଷେତ୍ରକୁ ଆବଶ୍ୟକ ପରିମାଣର ଜଳ ଯୋଗାଣକୁ ନିଶ୍ଚିତ କରିବାର ଆବଶ୍ୟକତା ଥିବାରୁ କୃଷକମାନଙ୍କୁ ସେମାନଙ୍କର ରହିଥିବା ସମସ୍ୟାର ସମାଧାନ କରିବାରେ ସହଯୋଗ କରିବାକୁ ଶ୍ରୀ ପତ୍ରୀ ଗୁରୁତ୍ୱାରୋପ କରିଥିଲେ ।
୫ଟି ଆଧାରରେ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ ପୂର୍ବକ କାର୍ଯ୍ୟକରି ନିର୍ମାଣାଧିନ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶୀଘ୍ର ସଂପୂର୍ଣ୍ଣ କରିବା, ମରାମତି ଆବଶ୍ୟକ କରୁଥିବା ପ୍ରକଳ୍ପର ସମୀକ୍ଷା କରି ସେସବୁକୁ ପୁନଃ ସଚଳ କରିବା ପାଇଁ ଆବଶ୍ୟକତା ଅନୁସାରେ ତ୍ୱରିତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ସହିତ କେତେକ କ୍ଷେତ୍ରରେ ସଠିକ୍ କାର୍ଯ୍ୟ ସମ୍ପାଦନ ନିମନ୍ତେ ତାଗିଦ୍ କରିଥିଲେ ।
ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକଙ୍କ ପ୍ରତିନିଧି ଶ୍ରୀ ସୁଧୀର ମହାନ୍ତି, ଧର୍ମଗଡ ବିଧାୟକଙ୍କ ପ୍ରତିନିଧି ଶ୍ରୀ ଋତୁରାଜ ମାଝି, ଭବାନୀପାଟଣା ବିଧାୟକଙ୍କ ପ୍ରତିନିଧି ଶ୍ରୀ ମନୋଜ କୁମାର ସାହୁ,ଭବାନୀପାଟଣା ସଦର ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ମହାକୁଡ, ଅଧିକ୍ଷଣ ଯନ୍ତ୍ରୀ ,ଏଲ୍.ଆଇ. ଇଂ. ଦିଲ୍ଲୀପ କୁମାର ଦାଶ, ନିର୍ବାହୀ ଯନ୍ତ୍ରୀ, ଉଠା ଜଳ ସେଚନ ଡିଭିଜନ
,ଭବାନୀପାଟଣା ଇଂ ସନ୍ତୋଷ କୁମାର ନାୟକ, ଧର୍ମଗଡ ସବ୍ ଡିଭିଜନର ସହକାରୀ ଯନ୍ତ୍ରୀ ଦିଗମ୍ବର ପାତ୍ର, ଏମ, ରାମପୁର ସହକାରୀ ଯନ୍ତ୍ରୀ ସେଲାଇ ନାଏକ, ଧର୍ମଗଡ ସହକାରୀ ଯନ୍ତ୍ରୀ ( ବିଦ୍ୟୁତ୍) ଚୈତନ୍ୟ ବାସ୍କେଙ୍କ ସମେତ ଉଠାଜଳସେଚନ ଡିଭିଜନ ଏବଂ ସଂପୃକ୍ତ ସବ୍ଡିଭିଜନ ଅନ୍ତର୍ଗତ କନିଷ୍ଠଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ଲାଞ୍ଜିଗଡ ବିଧାୟକ ଶ୍ରୀ ଦିଶାରୀ ଓ ଅନ୍ୟ ବିଧାୟକଙ୍କ ପ୍ରତିନିଧିମାନେ ନିଜ ନିର୍ବାଚନ ମଣ୍ଡଳୀରେ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି ଓ ସମସ୍ୟାର ସମାଧାନ ସଂପର୍କରେ ଓ.ଏଲ୍. ଆଇ.ସି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମୀକ୍ଷା ବୈଠକ ପରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭେଜିପଦର-୧ ଠାରେ ନଦୀ ପ୍ରକଳ୍ପ ଉଠାଜଳସେଚନ ପ୍ରକଳ୍ପ ଏବଂ ଶରଧାପୁର ଗଭୀର ସେଚ କୂପ କ୍ଲଷ୍ଟର ପରିଦର୍ଶନ କରିଥିଲେ ।
ସେହିପରି ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ଆଜି ୨ୟ ଦିନରେ ଭବାନୀପାଟଣା ବ୍ଲକର ସଗଡା ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଫତାପଡା ସ୍ଥିତ ଡିପ୍ ବୋରେଓଲ କ୍ଲଷ୍ଟର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ଏଠାରେ ଫୁଲକୋବି ଚାଷ କରି କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ କୃଷକମାନଙ୍କସହିତ ଆଲୋଚନା କରିଥିଲେ ।