No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) କଳାହାଣ୍ଡି :- ବିଶିଷ୍ଟ କବି ସୁରେଶ ସାଗରଙ୍କୁ ଏବର୍ଷର ଦେବଗିରି ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ । ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁ୍ଷ୍ଠାନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ‘ଅଜ୍ଞାତବାସ’, ‘ଅନ୍ତରଙ୍ଗ ଆକାଶ’ ଆଦି କବିତା ସଂକଳନର ସ୍ରଷ୍ଟା ଶ୍ରୀ ସାଗରଙ୍କ କବିତାରେ ଥାଏ ସ୍ୱପ୍ନ, ପ୍ରେମ ଓ ଜୀବନବୋଧର କଥା । ପୂର୍ବରୁ ସେ ନିର୍ମାତା, ତୀରତରଙ୍ଗ ଆଦି ସାହିତ୍ୟ ପତ୍ରିକା ଏବଂ ରେମ୍ସାମ୍ ସମ୍ବାଦପତ୍ରର ସଂପାଦନା ସହ ଜଡ଼ିତ ଥିବାବେଳେ ସଂପ୍ରତି ପ୍ରମେୟ ମୁଖ୍ୟ କାର୍ଯ୍ୟାଳୟରେ ସହ-ସଂପାଦକ ଭାବେ କାର୍ଯ୍ୟରତ । ସେହିପରି ଦେବଗିରି ଶିକ୍ଷା ସମ୍ମାନ ପାଇବେ ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ୍ର ବରିଷ୍ଠ ଶିକ୍ଷକ, ବିଜ୍ଞାନ ଲେଖକ ତଥା ଗବେଷକ ସନ୍ତୋଷ କୁମାର କର ।
ଅନେକ ଜାତୀୟ ସ୍ତରୀୟ ବିଜ୍ଞାନ ପରିଯୋଜନାରେ ସେ ସଦସ୍ୟ ରହିଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ବିଜ୍ଞାନ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ପରିବେଶ ଶିକ୍ଷା ପାଇଁ ମଧ୍ୟ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ବିଶିଷ୍ଟ ସମାଜସେବୀ ଦୀପକ ରଂଜନ ସାହୁଙ୍କୁ ଚଳିତ ବର୍ଷର ଦେବଗିରି ସମାଜସେବା ସମ୍ମାନ ପ୍ରଦାନ କରାଯିବ । ଜୁନାଗଡ଼ ନିବାସୀ ଶ୍ରୀ ସାହୁ ନିଜସ୍ୱ ଅଙ୍ଗଦାନ କରିବା ସହ ରକ୍ତଦାନ, ଗରିବ ପିଲାଙ୍କୁ ପାଠପଢ଼ାରେ ସାହାଯ୍ୟ, ବୃକ୍ଷରୋପଣ, ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବସ୍ତ୍ର ବଣ୍ଟନ ଆଦି କାର୍ଯ୍ୟ ନିୟମିତ ଭାବେ କରିଆସୁଛନ୍ତି । ଯାଜପୁରରେ ଏକ ଜରାଶ୍ରମ ସ୍ଥାପନ କରି ବେସାହାରା ବୃଦ୍ଧବୃଦ୍ଧାଙ୍କ ଥଇଥାନ କରୁଛନ୍ତି ।
ସଂପ୍ରତି ଓଡ଼ିଶା ସରକାରଙ୍କ ନାନୋ ୟୁନିକର୍ନ୍ ପ୍ରକଳ୍ପରେ ଅବୈତନିକ ସଦସ୍ୟ ଭାବେ ଯୁବ ଉଦ୍ୟୋଗୀମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି । ଏହି ଅବସରରେ ଭାରତୀୟ ସେନାରେ କାର୍ଯ୍ୟରତ ଯବାନ୍ ଭୂପେନ୍ଦ୍ର ଦୀପଙ୍କୁ ଦେବଗିରି ଦେଶସେବା ସମ୍ମାନ ଏବଂ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ତଥା ଘୁମୁରା ଗୁରୁ କୈଳାସ ଚନ୍ଦ୍ର ନାଏକଙ୍କୁ ଦେବଗିରି ନାଟ୍ୟ ସମ୍ମାନ ପ୍ରଦାନ କରାଯିବ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ୧୭ରୁ ୧୯ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୯ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ଉକ୍ତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି ।
No Result
View All Result