ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ଭୁବନେଶ୍ୱର :- ମାଟିର ପ୍ରଲେପ ଶରୀରରୁ ବିଷ ବାହାର କରିପାରିବ । ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । ଶରୀରରେ ମାଟି ପ୍ରଲେପ ଦ୍ୱାରା ଶରୀରରେ ଥିବା ବିଷ ହରଣ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତି ଯୁନିଟ୍-୭, ସୂର୍ୟ୍ୟନଗରରେ ଥିବା ଦୁର୍ଗାମଣ୍ଡପରେ ଭାରତ ସରକାରଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବା ପ୍ରାକୃତିକ ଚିକିତ୍ସା ଓ ପ୍ରଶିକ୍ଷଣ କେନ୍ଦ୍ରରେ ଏମିତି ଚିକିତ୍ସା କରାଇଛନ୍ତି ।
ଏଠାରେ ପ୍ରାକୃତିକ ଚିକିତ୍ସକ ଡାକ୍ତର ଗୁରୁଚରଣ ଜେନା ମାଟିଦ୍ୱାରା ଅନେକ ଦୁସାଧ୍ୟ ରୋଗ ଭଳ କରୁଛନ୍ତି । ମଙ୍ଗଳବାର ବାଚସ୍ପତି ଡ. ପାତ୍ର ଏହି ଚିକିତ୍ସା କେନ୍ଦ୍ରରେ ମାଟିର ଲେପ ନେଇଥିଲେ । ସେ କହିଛନ୍ତି, ମାଟିରେ ଯେଉଁ ଶକ୍ତି ଅଛି ତାହା କେଉଁଥିରେ ନାହିଁ । ନିଜକୁ ଫିଟ୍ ରଖିବା ଲାଗି ସେ ପ୍ରତିଦିନ ସକାଳୁ ମାଟିର ଲେପ ଦେଇ, ସୂର୍ୟ୍ୟ କିରଣରେ ବସୁଛନ୍ତି ।
ମାଟି ଶୁଖିବା ପରେ ଦେହକୁ ଘସି ଭଲ ଭାବେ ଗାଧୋଉଛନ୍ତି । ତାଙ୍କ କହିବାନୁସାରେ ଏ ମାଟି କେଉଁ ସାଧାରଣ ମାଟି କି ରାସ୍ତା କଡ଼ର ମାଟି ନୁହେଁ । କେଉଁ ଜଙ୍ଗଲ ଭିତରୁ ୪ଫୁଟ ତଳୁ ସଂଗ୍ରହ କରାଯାଇଥିବା ମାଟି । ନହେଲେ ଉଈ ହୁଙ୍କାର ମାଟି କିମ୍ବା ପୋଖରୀର ପଙ୍କୁଆ ମାଟି । କାରଣ ଏ ମାଟି ଦେହରେ ଥିବା ବିଷ ଟାଣିବ । ଏଭଳି ପ୍ରାକୃତିକ ଉପାୟରେ ଚିକିତ୍ସା ହେଲେ ବହୁ ରୋଗରୁ ମୁକ୍ତି ମିଳିପାରିବ ବୋଲି ତାଙ୍କର ବିଶ୍ୱାସ ।