No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁରାଣ୍ଡି ଥାନାଅଧିକାରୀଙ୍କ ମନୋମୁଖୀ ଶାସନ ବିରୁଦ୍ଧରେ ଥାନା ସମ୍ମୁଖରେ ନ୍ୟାୟ ପ୍ରଦାନ ଦାବିରେ ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିଙ୍କ ସହ ଆଙ୍କୁଡି ଗ୍ରାମବାସୀ ମିଳିତ ଭାବେ ଧାରଣା ଦେଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଚଳିତ ମାସ ୧୭ ତାରିଖ ସନ୍ଧ୍ୟା ସମୟରେ ଗୁରାଣ୍ଡି ଥାନା ଅନ୍ତର୍ଗତ ଆଙ୍କୁଡି ଗ୍ରାମରେ ବି.ଭାଷ୍କର ରାଓ(୪୦)ଙ୍କୁ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ସେହି ଗ୍ରାମର ବୋଷି ବୁଡୁଙ୍କ ସମେତ ୪ଜଣ ଆକ୍ରମଣ କରିଥିଲେ । ବୋଷି ବୁଡୁ ଏକ କାଠ ସାହାଯ୍ୟରେ ବି.ଭାଷ୍କରରାଓଙ୍କୁ ଆକ୍ରଣ କରିଥିଲେ । ଯାହାଫଳରେ ଭାଷ୍କରରାଓଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣାକୁ ନେଇ ପରିବାର ବର୍ଗ ଓ ଗ୍ରାମବାସୀ ଗୁରାଣ୍ଡି ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ ଯାଇଥିଲେ ।
ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଆହତ ଭାଷ୍କରଙ୍କ ଚିକିତ୍ସା କରି ଆଣିବାକୁ ପରାମର୍ଶ ଦେଇଥିଲେ । ସାଙ୍ଗରେ ନେଇଥିବା ଲୋକେ ପ୍ରଥମେ ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ଓ ତାପରେ ସେଠାରୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ନେଇଥିଲେ । ତେବେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ । ୨୦ ତାରିଖରେ ବ୍ରହ୍ମପୁରରୁ ଚିକିତ୍ସିତ ହୋଇ ଫେରିବା ପରେ ଶ୍ରୀରାଓ ତାଙ୍କୁ ଆକ୍ରମଣ କରିଥିବା ବୋଷି ବୁଡୁ, ବି.ସନ୍ୟାସୀ, ବି.ସୀତା ଓ ବି.ଦେବୀଙ୍କ ବିରୁଦ୍ଧରେ ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ଗୁରାଣ୍ଡି ଥାନା କେସ୍ ନଂ ୭୦/୨୧ରେ ଏକ ମାମଲା ରୁଜୁ କରିଥିଲା । ପୋଲିସ ୨୩ ତାରିଖରେ ଆଙ୍କୁଡି ଗ୍ରାମକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତମାନେ ଆକ୍ରମଣରେ ବ୍ୟବହାର କରିଥିବା କାଠକୁ ଜବତ କରି ଅଭିଯୁକ୍ତଙ୍କୁ ଗିରଫକରିଥିଲେ ।
ତେବେ ସେମାନଙ୍କୁ ତୁରନ୍ତ ବେଲ୍ରେ ଛାଡିଦେଇଥିଲେ । ଏହାକୁ ନେଇ ବିରୋଧ କରି ଆଙ୍କୁଡି ଗ୍ରାମର କିଛି ଲୋକେ ଗୁରାଣ୍ଡି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ସେମାନେ ଅଭିଯୋଗ କରିଛନ୍ତି ଯେ, ଆକ୍ରମଣର ଶିକାର ହୋଇଥିବା ବି.ଭାଷ୍କର ରାଓଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଯାହାଫଳରେ ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଥିଲା । ଏପରି ମାମଲାରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦଫା ୩୦୭ ନଲଗାଇ ସେମାନଙ୍କୁ ଥାନା ବେଲ୍ରେ ଛାଡିଦେଇଛି ବୋଲି ଅଭିଯୋଗ କରିଛନ୍ତି । ଏହି ମାମଲାରେ ଗୁରାଣ୍ଡି ଥାନା ଅଧିକାରିଣୀଙ୍କ ଭୂମିକା ସନ୍ଦେହ ଘେରରେ ରହିଛି ବୋଲି ବି.ଭାଷ୍କର ରାଓଙ୍କ ସମେତ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଧାରଣାରତ ଗ୍ରାମବାସୀ ଓ ବି.ଭାଷ୍କର ରାଓଙ୍କୁ ବହୁ ସମୟ ବୁଝାସୁଝା କରିବା ପରେ ଧାରଣାରୁ ହଟିଥିଲେ ।
No Result
View All Result