No Result
View All Result

“ମହାପ୍ରଭୁଙ୍କ ଦରବାରରେ ସମସ୍ତେ ସମାନ, ଭକ୍ତିର ବନ୍ଧନରେ ନାହିଁ ଉଚ୍ଚନୀଚର ସ୍ଥାନ”
ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ପୁନଃପ୍ରଚଳନ ଦାବିରେ ଚାଲିଥିବା ଅହିଂସାତ୍ମକ ଜନଜାଗରଣ ପଦଯାତ୍ରା ଆଜି ୨୦୪ ଦିନରେ ପହଞ୍ଚିଛି । ଦୀର୍ଘ ଦିନ ଧରି ଅବିରତ ଭାବେ ଜାରି ରହିଥିବା ଏହି ନୀରବ ସତ୍ୟାଗ୍ରହ ପୁରୀବାସୀଙ୍କ ଧାର୍ମିକ ଭାବନା, ଆତ୍ମସମ୍ମାନ ଓ ନ୍ୟାଯ୍ୟ ଅଧିକାର ପ୍ରତି ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ ହୋଇଛି । ଉତ୍କଳ ଦିବସ ଅବସରରେ ଗତ ଏପ୍ରିଲ ୧ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏବଂ ଏପ୍ରିଲ ୨ ତାରିଖରେ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ମଧ୍ୟ ନିଜର ଲକ୍ଷ୍ୟ ଓ ଆଦର୍ଶରେ ଅଟଳ ରହିଛି ।

ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଦାବି ଉପସ୍ଥାପନ କରାଯାଉଛି । ଏହା କୌଣସି ବ୍ୟକ୍ତି ବା ସଂସ୍ଥା ବିରୋଧରେ ଆନ୍ଦୋଳନ ନୁହେଁ; ବରଂ ଜଗନ୍ନାଥ ସଂସ୍କୃତିର ସମାନତା, ସହାନୁଭୂତି, ମାନବିକତା ଓ ସାର୍ବଜନୀନ ଭାବଧାରାକୁ ସମ୍ମାନ ଦେବା ପାଇଁ ଏକ ଶାନ୍ତିପୂର୍ଣ୍ଣ ଜନଉଦ୍ୟମ । ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, ପୁରୀ ସହର ଓ ସଦରବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନର ସୁବିଧା ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ଅହିଂସାତ୍ମକ ସତ୍ୟାଗ୍ରହ ବନ୍ଦ ହେବ ନାହିଁ ।

ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ଏହି ଶାନ୍ତିପୂର୍ଣ୍ଣ ଜନଆନ୍ଦୋଳନ ନିରନ୍ତର ଜାରି ରହିବ । ଆଜିର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ଅରୁଣା ପଟ୍ଟନାୟକ, ଅଞ୍ଜୁବାଳା ମହାନ୍ତି, ଭାରତୀ ମହାନ୍ତି, ମମତା ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ଗଦାଧର ମହାରଣା, ସୁବାସ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ଅନ୍ୟ ପଦଯାତ୍ରୀମାନେ ଯୋଗଦେଇ ଦାବି ପ୍ରତି ସେମାନଙ୍କ ସମର୍ଥନ ଜଣାଇଥିଲେ ।


No Result
View All Result