No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ଓଡ଼ିଶା :- ଓଡ଼ିଶାର ଉପକୂଳ ଅଞ୍ଚଳ ଆଉ ବାତ୍ଯା ଜଣାଶୁଣା କଥା । ଯଦି ମହାବାତ୍ୟା କଥା ଆସେ , ତେବେ ମନକୁ ମନ ଆପେ ଆସିଯାଇଥାଏ ୧୯୯୯ ମସିହା ଅକ୍ଟୋବର୨୯ ତାରିଖର ସେହି ପ୍ରଳୟଙ୍କରୀ ମହାବାତ୍ୟା । ୧୯୯୯ ଓଡ଼ିଶା ମହାବାତ୍ୟା ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରକୃତିକ ବିପର୍ଜୟ ଥିଲା। ଶକ୍ତି ଅନୁସାରେ ଏହି ଭାରତ ମହାସାଗର ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ ଥିଲା । ସେତେବେଳେ ବାତ୍ୟାର ପୂର୍ବାନୁମାନ କରିବାର ବ୍ଯବସ୍ଥା ଉନ୍ନତ ମାନର ନଥିଲା କି ବାତ୍ୟା ମୁକାବିଲା କରିବା ପାଇଁ ସରକାରୀ ସ୍ତରରେ ସେଭଳି ଭଲ ବ୍ଯବସ୍ଥା ନଥିଲା । ସେଇ ମହାବାତ୍ୟା ଦେଇଥିବା ଶିକ୍ଷା ଯୋଗୁଁ ଆଜି ଓଡ଼ିଶାର ମେଟ୍ରୋଲୋଜି ବିଭାଗ ହେଉ କିମ୍ବା ଓଡ୍ରାଫ ଓ ଏନ.ଡି.ଆର.ଏଫ ବିଭାଗ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ସ୍ଥାନରେ ରହିଛି ।
●●● ମୋ ଘର କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଚାରିଗାଁରେ । ୧୯୯୯ ମସିହା ଅକ୍ଟୋବର ୨୯ର ସେହି ମହାପ୍ରଳୟଙ୍କରୀ ମହାବାତ୍ୟା କୁ ମୁଁ ଅତିନିକଟରୁ ଦେଖିଛି । ୧୯୯୯ ଅକ୍ଟୋବର ୨୮ ତାରିଖ ରାତି ପ୍ରାୟ ୧୦ଟା ସେତେବେଳେ କଳାଧଳା କୋଣାର୍କ ଟିଭିରେ ଦିଲ୍ଲୀ ଦୂରଦର୍ଶନ ଦ୍ବାରା ପ୍ରସାରିତ ହିନ୍ଦୀ ସେ ନେମା ଦେଖୁଥିଲି । ହଠାତ ମୋ ନଜର ପଡ଼ିଲା ସ୍କ୍ରୋଲିଂ ଉପରେ ” ଓଡ଼ିଶାକୁ ବାତ୍ୟା ମାଡ଼ି ଆସୁଛି ” ବାସ ସେଇଠୁ ମୋ ଟିଭି ଦେଖା ବନ୍ଦ କରି ଚାଳଘରେ ଥିବା ସମସ୍ତ ଗୁରୁତ୍ବପୂର୍ଣ କାଗଜ ପତ୍ର ସହିତ ଆସବାବପତ୍ର ବାନ୍ଧି ଆମ କୋଠା ଘରକୁ ମୁଁ ଏବଂ ମୋର ସାନଭାଇ ବୋହିଚାଲିଲୁ । ବାପା ବିରକ୍ତ ହୋଇ କହୁଥିଲେ ମୁଁ ମୋ ଜୀବନରେ ଏହି ଚାଳଘରେ ଅନେକ ବାତ୍ୟା ଦେଖିଛି , ଆମର କିଛି ହୋଇନଥିଲା , ଆଉ ଏବେବି କିଛି ହେବନି । ଦେଖ ଆକାଶରେ ଜହ୍ନ ପଡ଼ିଛି ଏବଂ ବାଦଲ ମଧ୍ୟ ଦେଖାନାହିଁ ଟିଭି କଣ କହିଦେଲା ଯେ ତମେ ଦୁହେଁ ନଈ ନଦେଖୁଣୁ ଲଙ୍ଗଳା ହେଉଛ ତମେ ସେ କୋଠାଘରେ ରୁହ ମୁଁ ଏ ଚାଳଘରେ ରହୁଛି କହି ସେ ଏକା ଚାଳଘରେ ରହିଥିଲେ । ଆମ ଦୁଇଭାଇଙ୍କୁ ଗାଁର ଅନ୍ୟ ମାନେ ବହୁତ ଟାହିଟାପରା କଲେ । କିଏ କହିଲା ଏ ଦୁଇଭାଇ ଏତେ ଡରକୁଳା , ତ କିଏ କହିଲା ଏତେ ଡରିଲେ ତମେ ଭବିଷ୍ୟତରେ କଣ କରିବ ? ହେଲେ ଆମେ କାହାରି କଥାକୁ ଭୃକ୍ଷେପ ନକରି ଆମ କାମରେ ଆମେ ଲାଗିଥିଲୁ ଧାନ , ଚାଉଳ , ଡାଲି ଇତ୍ୟାଦି ଯାହାଥିଲା ସବୁ ବୋହି କୋଠାଘରକୁ ଆଣିଲୁ । ଠିକ ରାତି ୧.୩୦ ବେଳକୁ ଘଡ଼ଘଡ଼ି ଓ ବିଜୁଳି ରେ ଆକଶ ଫାଟି ପଡ଼ିଲା ଏବଂ ସେଇ ସମୟ ଠାରୁ ବିଦ୍ଯୁତ ବିଛିନ୍ନ ହୋଇଗଲା । ବହୁତ ବୁଝାସୁଝା କରି ବାପାଙ୍କୁ ଚାଳଘରୁ କୋଠାଘରକୁ ଆଣିଲୁ । ତାସହିତ ଗାଁରେ ଯେଉଁ ମାନଙ୍କର ଅତି ଦୁର୍ବଳ ଚାଳଘର ଥିଲା ସେମାନଙ୍କୁ ବୁଝାସୁଝା କଲୁ ହେଲେ ସେମାନେ ଆମକଥାକୁ ଥଟ୍ଟା କରି କହିଲେ ତମେ ତମ କଥା ବୁଝ ଆମେ ଆମକଥା ବୁଝୁଛୁ ।
●●● ଅକ୍ଟୋବର ୨୯ ମୋ ସ୍ତ୍ରୀ କୁ କହିଲି ଆମର (ବାପା,ବୋଉ,ସାନଭାଇ ମୁଁ ଓ ମୋସ୍ତ୍ରୀ) ଦୁଇଦିନ ପାଇଁ ସକାଳ ୮ଟା ପୂର୍ବରୁ ଭାତ ଡଲମା କରିବାକୁ । ସେ ମଧ୍ୟ ତା’ କାମ ଯଥା ସମୟରେ ସାରିଦେଲା । ଠିକ୍ ଦିନ ୧୧ ଟାରୁ ଆରମ୍ଭ ହେଲା ବାତ୍ୟା । ଯେଉଁମାନେ ମୋତେ ଥଟ୍ଟା କରୁଥିଲେ ଠିକ୍ ଦିନ ୧୨ଟା ବେଳକୁ ଅଖିଆ ଅପିଆ ଗୋରୁ ଗାଈ ସହିତ ୬ – ୭ ପରିବାରର ଲୋକେ ଆମଘରେ ପହଞ୍ଚିଲେ । ଜଣେ ପଡ଼ିଶାଙ୍କ ଘରେ ହରିବଂଶ ପାରାୟଣ ଚାଲିଥିଲା ତାଙ୍କ ଘର ଭୁସୁଡ଼ି ପଡ଼ିବାରୁ ତାଙ୍କ ପରିବାର ସହିତ ଦୁଇଜଣ ପୁରୋହିତ ମଧ୍ୟ ଆସିଲେ । ସମସ୍ତଙ୍କୁ ଭୋକ । ଆମଘରେ ଆମ ୫ଜଣଙ୍କ ପାଇଁ ରୋଷେଇ ହୋଇଛି । କଣ କରିବୁ ଆମେ ଖାଇବୁ ସେମାନେ ଓପାଷ ରହିବେ , ମୋ ସ୍ତ୍ରୀ ଭାତ ଓ ଡାଲମା ଗୋଳେଇ ଗୁଳାକରି ସମସ୍ତଙ୍କୁ ବାଣ୍ଟିଲା । ଠିକ୍ ଦିନ ଦୁଇଟା ବେଳକୁ ବିରାଟକାୟ ଝାଉଁ ଗଛ ଉପୁଡି ପଡ଼ି ଆମ ପୂର୍ବ ପୁରୁଷଙ୍କ ୧୦ ବଖରା ଖଞ୍ଜା ଘର ମାଟିରେ ମିଶିଗଲା । ପବନର ବେଗ ଏତେ ପ୍ରଖର ଥିଲା ଯେ କୋଠାଘରର କବାଟରେ ଦୁଇ ଦୁଇଟି ଶାବଳ ସହିତ ପଥର ଢିରା ଦେବାକୁ ପଡ଼ିଲା । ରାତିର ଅନ୍ଧାରରେ ସେ ଲୋମଟାଙ୍କୁରା ପବନର ଶବ୍ଦ ଆଜିବି ମନେ ପଡ଼ିଲେ ଦେହ ଶିତେଇ ଯାଉଛି । ରାତି ପାହିଲା ବେଳକୁ ଗାଁ ଟା ଯାକର ଘରଭାଙ୍ଗି ମାଟିରେ ମିଶିଯାଇଥିଲା । ପାରାଦୀପ ରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ହଜାର ହଜାର ଶବ ପାଣିରେ ଭାସୁଥିଲା । ବାପା ମାଆଙ୍କୁ ହରାଇଥିବା ଅନାଥ ପିଲାଙ୍କ ଛାତି ଫଟା କାନ୍ଦ ଆଜି ବି କାନରେ ଗୁଞ୍ଜରଣ ସୃଷ୍ଟି କରୁଛି ।
●●● ବାତ୍ୟାର ପରେପରେ ପେଟ ଭୋକୁ ମାରିବା ପାଇଁ ଆଦିମ ମଣିଷ ଭଳି ଭୋକିଲା ମାନେ କଞ୍ଚାଅମୃତ ଭଣ୍ଡା , ପଈଡ଼ ନାଳି , ମାଛ ପୋଡ଼ା ଏପରିକି କିଛି ପତ୍ର ମଧ୍ୟ ଖାଇଚାଲିଲେ । ଅମାର ଅମାର ଧାନ , ଚୁଡ଼ା , ଚାଉଳ , ବିରି , ମୁଗ ଇତ୍ୟାଦି ମାଟିରେ ମିଶିଯାଇଥିଲା । ସେମାନେ ସେଦିନ ଯଦି ମୋତେ ଥଟ୍ଟା ନକରି , ମୋ କଥା ମାନି , ଆବଶ୍ୟକ କାଗଜପତ୍ର ସହିତ ଖାଦ୍ୟ ଷଶ୍ଯ ଆଣି ସୁରକ୍ଷିତ ଜାଗାରେ ରଖିଥାନ୍ତେ ହୁଏତ ଖାଦ୍ଯାଭାବରୁ ମୁକ୍ତି ପାଇଥାନ୍ତେ । ସେ ମହାବାତ୍ୟାରୁ ଆମ ଗାଁର ଲୋକେ ସତର୍କ ହେବାର ଶିକ୍ଷା ପାଇଥିଲେ । ପରେ ପରେ ଆରମ୍ଭ ହୋଇଗଲା ରିଲିଫ , ଧନୀ ଠୁଁ ଗରିବ ସମସ୍ତଙ୍କୁ ଗୋଟିଏ ଧାଡ଼ିରେ ଛିଡ଼ା କରେଇଦେଇଥିଲା ୧୯୯୯ ମହାବାତ୍ୟା ।
●●● ପ୍ରକୃତି ନିକଟରେ ସମସ୍ତେ ହାରମାନିଛନ୍ତି। ଆଜିକୁ ଠିକ୍ ୨୦ ବର୍ଷ ତଳେ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ମହାବାତ୍ୟାରେ ଉପକୂଳ ବସ୍ତି ଅଚଂଳର ପାରାଦ୍ବୀପ .କେନ୍ଦ୍ରାପଡା .ବିଷେଷକରି ଜଗସିଗଂପୁର କ୍ଷତିଗ୍ରସ୍ତ ହୋଇ ହଜାର ହଜାର ଲୋକ ମୃତ୍ୟୁ ବରଣ କରିଥିଲେ । ଆଜିର ଦିନରେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ମୃତ୍ୟୁ ବରଣ କରିଥିବା ସମସ୍ତ ପରିବାରଙ୍କୁ ଭଲରେ ରଖନ୍ତୁ ଏପରି ବିପଦ ଆମ ରାଜ୍ୟକୁ ଆଉ ନଆସୁ ତାହା ହିଁ ଆମର ପ୍ରାର୍ଥନା ।
No Result
View All Result