ହିଞ୍ଜିଳିକାଟୁ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଦୀର୍ଘ ୧୫ ମାସର ବ୍ୟବଧାନ ପରେ ଶୁକ୍ରବାର ବହୁ ପ୍ରତୀକ୍ଷିତ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଆସିକା ଲୋକସଭା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ବ୍ଲକ ପ୍ରତିନିଧି ଏ. ସୁଦର୍ଶନ,
ବ୍ଲକ ଉପାଧ୍ୟକ୍ଷ ସୁନୀଲ ଗନ୍ତାୟତ, ତହସିଲଦାର ତପନ କୁମାର ମହାପାତ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଦୀପକ କୁମାର ରଥ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ବ୍ଲକ ଅଧ୍ୟକ୍ଷା ବୈଠକରେ ଉପସ୍ଥିତ ଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରି ଏକ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲେ। ହିଞ୍ଜିଳିକାଟୁ ବ୍ଲକର ସାମୁହିକ ବିକାଶ ପାଇଁ ସମସ୍ତ ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଉତ୍ତମ ବୁଝାମଣା,
ସହଯୋଗ ଏବଂ ସମନ୍ୱୟ ରକ୍ଷା କରି ଉନ୍ନୟନ କାର୍ଯ୍ୟ ଆଗେଇ ନେବା ପାଇଁ ବ୍ଲକ ଅଧ୍ୟକ୍ଷା ଓ ସାଂସଦ ପରାମର୍ଶ ଦେଇଥିଲେ। ଗତ ବର୍ଷ ମେ ମାସ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ସମିତି ବୈଠକରେ ଆସିକା ସାଂସଦ ପୁର୍ବ ସରକାରଙ୍କ ଦ୍ବାରା ହୋଇଥିବା ବିକାଶ ମୂଳକ କାର୍ଯ୍ୟକୁ ଖୋଲାଖୋଲି ସମାଲୋଚନା କରିଥିଲେ । ସାଂସଦଙ୍କ ଏଭଳି ମନ୍ତବ୍ୟକୁ ନେଇ କିଛି ଜନ ପ୍ରତିନିଧି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପରସ୍ପର ମଧ୍ୟରେ କଥା କଟାକଟି ହୋଇ ବୈଠକରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଚଳିତ ବୈଠକରେ ସାଂସଦ ସମାଲୋଚନାକୁ ଏଡ଼ାଇ ନରମ ଆଭିମୁଖ୍ୟ ଗ୍ରହଣ କରି ହିଞ୍ଜିଳିକାଟୁ ବ୍ଳକର ସାମଗ୍ରିକ ବିକାଶକୁ ଆଗେଇ ନେବା ପାଇଁ ପ୍ରାଥମିକତା ଦେଇଥିଲେ। ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ମାଳ ମାଳ ସମସ୍ୟା ରହିଥିଲେ ମଧ୍ୟ ଉପସ୍ଥିତ ଜନ ପ୍ରତିନିଧି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରେ ଅସମର୍ଥ ହୋଇଥିଲେ। କିଛି ଜନ ପ୍ରତିନିଧି ପ୍ରମୁଖ ପ୍ରସଙ୍ଗକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ କିଛି ଅଣତାରକା ପ୍ରଶ୍ନକୁ ଉଠାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।
ଏକ ପଞ୍ଚାୟତରେ ଗାଁ ମଝି ଦାଣ୍ଡରେ ମଇଳା ପାଣି ଦୀର୍ଘ ଦିନ ଧରି ଜମା ହୋଇ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରିଥିବା ବେଳେ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କିଛି ଗ୍ରାମବାସୀ ହିଞ୍ଜିଳିକାଟୁ ବିଡିଓଙ୍କୁ ଅବଗତ କରିଥିଲେ ମଧ୍ଯ ଏ ପର୍ଯ୍ୟନ୍ତ ତାହା ସମାଧାନ କରିବାରେ ପ୍ରଶାସନ ସକ୍ଷମ ହୋଇ ନ ଥିବା ଜଣାପଡ଼ିଛି। ପୋଖରୀରୁ ଲକ୍ଷ ଲକ୍ଷ ଟଙ୍କାର ମାଟି ଚାଲାଣ ହେବା ଏବଂ ନିମ୍ନ ମାନର କାମ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତ ସମସ୍ୟାକୁ ନେଇ ଜନ ପ୍ରତିନିଧି ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରେ ଅସମର୍ଥ ହୋଇଥିଲେ।
ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ଏଭଳି ବିଭିନ୍ନ ପ୍ରସଙ୍ଗକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ କେଉଁ ଅଦୃଶ୍ୟ ଚାପ ଯୋଗୁଁ ଜନ ପ୍ରତିନିଧି ମାନେ ପ୍ରଶାସନ ନିକଟରେ ନୀରବ ରହିବାକୁ ଉଚିତ ମନେ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ପରାମର୍ଶ, ପ୍ରତିଶୃତି ଓ ଆଶ୍ଵାସନା ଭିତରେ ମୁଖ୍ୟ ସମସ୍ୟାକୁ ଏଡ଼ାଇ ଦିଆଯାଇ କେବଳ ଔପଚାରିକ ଭାବେ ସାଧାରଣ ସମିତି ବୈଠକ ଶେଷ ହୋଇଛି । ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ମତାମତ ରଖିଥିଲେ ।














